୧୦ ରାଜ୍ୟର ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ପ୍ରଧାନମନ୍ତ୍ରୀ, ସାମାନ୍ୟ ଅବହେଳା ବି ବଡ଼ ବିପଦ ଆଣିବ

ନୂଆଦିଲ୍ଲୀ: ଦେଶର ଗ୍ରାମାଞ୍ଚଳରେ କରୋନା ସ୍ଥିତିର ମୁକାବିଲା ଉପରେ କେନ୍ଦ୍ର ସରକାର ଏବେ ତତ୍ପର ହୋଇଉଠିଛନ୍ତି। ୧୦ଟି ରାଜ୍ୟରେ ଜିଲ୍ଲାସ୍ତରରେ କରୋନା ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି କିଭଳି ରହିଛି ତାହାର ସମୀକ୍ଷା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଛନ୍ତି। ଗ୍ରାମାଞ୍ଚଳ ଭାରତ ଯେଭଳି କରୋନାମୁକ୍ତ ରହିବ ସେଥିପାଇଁ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଭର୍ଚୁଆଲ ମାଧ୍ୟମରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ କହିଥିଲେ ଯେ ପରିସ୍ଥିତିକୁ ଦେଖି ରଣନୀତି ବଦଳାଇବାକୁ ପଡ଼ିବ। କରୋନା ମୁକାବିଲା କ୍ଷେତ୍ରରେ ସାମାନ୍ୟ ଅବହେଳା ବି ବଡ଼ ବିପଦ ଆଣିବ ବୋଲି ପ୍ରଧାନମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି। ଗ୍ରାମାଞ୍ଚଳରେ କରୋନା ନ ବ୍ୟାପିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବା ଲାଗି ପ୍ରଧାନମନ୍ତ୍ରୀ ଏହି ଅବସରରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ଅଭାବ ସହିତ ଚିକିତ୍ସା ଉପକରଣ ଆବଶ୍ୟକ ମାତ୍ରାରେ ମିଳି ନଥାଏ। କରୋନା ସଂପୂର୍ଣ୍ଣ ଦୂର ନହେବା ପର୍ଯ୍ୟନ୍ତ ଏହା ବିରୋଧରେ ଲଢ଼େଇ ଯେଭଳି ମନ୍ଥର ନହୁଏ ସେଥିପାଇଁ ଜିଲ୍ଲାପାଳମାନେ ବିଶେଷ ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। କରୋନା ସଂକ୍ରମଣ ସଂଖ୍ୟା କମିଗଲେ ମଧ୍ୟ ରୋଗ ଦୂର ହୋଇଯାଏ ନାହିଁ। ମହାମାରୀରୁ ଆମକୁ ଏହି ଶିକ୍ଷା ମିଳିଛି। ସଂକ୍ରମଣ ଅତି ନଗଣ୍ୟ ସ୍ତରରେ ରହିଲେ ବି ରୋଗ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଦେଶରେ କ‌ରୋନା ଟିକା ନଷ୍ଟକୁ ରୋକିବା ଅତି ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗୋଟିଏ ଡୋଜ୍ ଟିକା ନଷ୍ଟ ହେଲେ ଜଣେ ବ୍ୟକ୍ତି କରୋନା ସୁରକ୍ଷାରୁ ବଞ୍ଚିତ ହେଉଛି। ତେଣୁ କରୋନା ଟିକା ନଷ୍ଟକୁ ବନ୍ଦ କରିବା ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଲୋକଙ୍କ ଜୀବନଯାପନ ଉପରେ ମହାମାରୀର ଗଭୀର ପ୍ରଭାବ ପଡ଼ିଛି। ଲୋକଙ୍କ ଜୀବନ ବଞ୍ଚାଇବା ସହିତ ସେମାନଙ୍କ ‌ନିତିଦିନିଆ ଜୀବନଯାପନକୁ ସହଜ ରଖିବା ମଧ୍ୟ ମହତ୍ତ୍ବପୂର୍ଣ୍ଣ। ଏଥିପାଇଁ ଗରିବ ଲୋକମାନେ ଯେଭଳି ମାଗଣା ‌ରାସନ ନିଶ୍ଚିତ ପାଇବେ, ଅନ୍ୟ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଯେଭଳି ସେମାନଙ୍କ ନିକଟରେ ବିନା ବାଧାରେ ପହଞ୍ଚିବ, କଳା ବଜାରିକୁ ଯେଭଳି ରୋକାଯାଇ ପାରିବ ତାହାକୁ ଜିଲ୍ଲାଗୁଡ଼ିକ ଦେଖିବା ଆବଶ୍ୟକ। ମହାମାରୀ ବିରୋଧରେ ଚାଲିଥିବା ଲଢ଼େଇରେ ଜିତିବା ପାଇଁ ଏସବୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେହିଭଳି କରୋନା ଭୂତାଣୁ ଏହାର ରୂପ ବଦଳାଉଥିବାରୁ ଆମକୁ ଆମର ରଣନୀତିକୁ ମଧ୍ୟ ଉନ୍ନତସ୍ତରର କରିବାକୁ ହେବ। ଯୁବକ ଏବଂ ପିଲାଙ୍କଠାରେ କରୋନା ସଂକ୍ରମଣ ଏବଂ ଗୁରୁତର ଅସୁସ୍ଥତା ସଂକ୍ରାନ୍ତ ତଥ୍ୟ ସଂଗ୍ରହ କରିବା ପାଇଁ ପ୍ରଧାନମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର