ବ୍ରିକ୍ସ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନିମନ୍ତ୍ରଣ କ୍ରମେ ଚତୁର୍ଦ୍ଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ । ୨୩-୨୪ ଜୁନ୍‌, ୨୦୨୪ରେ ଚୀନ୍‌ ଦ୍ବାରା ଭର୍ଚୁଆଲ ମାଧ୍ୟମରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରାଯିବ । ସମ୍ମିଳନୀ ଅବସରରେ ଜୁନ ୨୪ ତାରିଖରେ ଅତିଥି ରାଷ୍ଟ୍ରମାନଙ୍କୁ ନେଇ ବିଶ୍ବ ଘଟଣାକ୍ରମ ଉପରେ ଏକ ଉଚ୍ଚସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ।

ସବୁ ବିକାଶଶୀଳ ରାଷ୍ଟ୍ରର ଆପୋସ ସମସ୍ୟା ଆଧାରିତ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବା ଏବଂ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ବ୍ରିକ୍ସ ଏକ ମଞ୍ଚ ଭାବେ କାର୍ଯ୍ୟ କରି ଆସୁଛି । ବହୁପକ୍ଷୀୟ ବ୍ୟବସ୍ଥାରେ ସଂସ୍କାର ଆଣିବା ନିମନ୍ତେ ବ୍ରିକ୍ସ ରାଷ୍ଟ୍ରମାନେ ନିୟମିତ ଭାବେ ଆହ୍ବାନ କରି ଆସୁଛନ୍ତି, ଯାହାଫଳରେ ଏହି ବ୍ୟବସ୍ଥା ଅଧିକ ପ୍ରତିନିଧିମୂଳକ ଓ ସମାବେଶୀ ହୋଇପାରିବ। ଚତୁର୍ଦ୍ଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ଆତଙ୍କବାଦ ମୁକାବିଲା, ବାଣିଜ୍ୟ, ସ୍ବାସ୍ଥ୍ୟ, ପାରମ୍ପରିକ ଚିକିତ୍ସା, ପରିବେଶ, ଏସ୍‌ ଆଣ୍ଡ୍‌ ଟି ଏବଂ ନବୋନ୍ମେଷ, କୃଷି, ବୈଷୟିକ ଓ ଧନ୍ଦାମୂଳକ ଶିକ୍ଷା, ପ୍ରଶିକ୍ଷଣ ଏବଂ ଏମ୍‌ଏସ୍‌ଏମ୍‌ଇ ଆଦି କ୍ଷେତ୍ରରେ ଆନ୍ତଃବ୍ରିକ୍ସ ସହଯୋଗ ବଢ଼ାଇବା ଉପରେ ଆଲୋଚନା ହେବ ବୋଲି ଆଶା କରାଯାଉଛି। ବହୁପକ୍ଷୀୟ ମଞ୍ଚରେ ସଂସ୍କାର, କୋଭିଡ-୧୯ ମହାମାରୀ ମୁକାବିଲା ଏବଂ ବିଶ୍ବ ଆର୍ଥିକ ସୁଧାର ଆଦି ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଶିଖର ସମ୍ମିଳନୀ ଆୟୋଜନ ହେବା ପୂର୍ବରୁ ୨୨ ଜୁନ୍‌ ୨୦୨୨ରେ ବ୍ରିକ୍ସ ବ୍ୟବସାୟ ମଞ୍ଚର ଉଦ୍‌ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶଗ୍ରହଣ କରିବେ ଓ ଏଥିରେ ସେ ଦୀକ୍ଷାନ୍ତ ଭାଷଣ ଦେବେ।

ସମ୍ବନ୍ଧିତ ଖବର