ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୫ ତାରିଖ ରାତି ଆଠଟା ବେଳେ ସ୍ମାର୍ଟ ଇଣ୍ଡିଆ ହାକାଥନ-୨୦୨୨ର ଭବ୍ୟ ଉଦ୍ଯାପନୀ ସମାରୋହକୁ ଦୃଶ୍ୟ-ଶ୍ରାବ୍ୟ ମାଧ୍ୟମରେ ସମ୍ବୋଧନ କରିବେ।
ବିଶେଷକରି ଯୁବ ମାନସ ମଧ୍ୟରେ ନବୋନ୍ମୋଷର ଉତ୍ସାହ ଜାଗ୍ରତ କରିବା ପ୍ରଧାନମନ୍ତ୍ରୀଙ୍କ ନିରବଚ୍ଛିନ୍ନ ଉଦ୍ୟମ ହୋଇ ରହି ଆସିଛି। ଏହାକୁ ଆଖି ଆଗରେ ରଖି ସ୍ମାର୍ଟ ଇଣ୍ଡିଆ ହାକାଥନ (ଏସ୍ଆଇଏଚ୍) ୨୦୧୭ ମସିହାରେ ଆରମ୍ଭ କରାଯାଇଥିଲା। ଏସ୍ଆଇଏଚ୍ ଏକ ଦେଶବ୍ୟାପୀ ପଦକ୍ଷେପ ଯେଉଁଥିରେ କି ଛାତ୍ରଛାତ୍ରୀମାନେ ସମାଜ, ସଂଗଠନ ଓ ସରକାର ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସୁଯୋଗ ପାଇଥାନ୍ତି। ଏଗୁଡ଼ିକ ନବୋନ୍ମୋଷ ସଂସ୍କୃତିର ପରିଚାଳନା, ସମସ୍ୟା ସମାଧାନ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁସନ୍ଧାନ କୌଶଳ ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏସ୍ଆଇଏଚ୍ର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି। ଏସ୍ଆଇଏଚ୍ରେ ପଞ୍ଜୀକୃତ ହେଉଥିବା ଦଳଗୁଡିକର ଚାରିଗୁଣ ବୃଦ୍ଧି ଏହାର ପ୍ରମାଣ। ପ୍ରଥମ ସଂସ୍କରଣରେ ୭୫୦୦ ଦଳ ଭାଗ ନେଇଥିବାବେଳେ ଚଳିତ ପଞ୍ଚମ ସଂସ୍କରଣରେ ଏହା ୨୯,୬୦୦କୁ ବୃଦ୍ଧି ପାଇଛି।
ଏହି ବର୍ଷ ୧୫ହଜାରରୁ ଅଧିକ ଛାତ୍ରଛାତ୍ରୀ ଓ ସେମାନଙ୍କ ପୃଷ୍ଠପୋଷକ ୨୦୨୨ ଏସ୍ଆଇଏଚ୍ର ଭବ୍ୟ ସମାରୋହରେ ଯୋଗଦେବା ପାଇଁ ମୁଖ୍ୟ କେନ୍ଦ୍ରକୁ ଯାତ୍ରା କରିଛନ୍ତି। ୨୯୦୦ ବିଦ୍ୟାଳୟ ଓ ୨୨୦୦ ଉଚ୍ଚଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀ ୫୩ଟି ମନ୍ତ୍ରଣାଳୟର ୪୭୬ଟି ବିଭିନ୍ନ ସମସ୍ୟାର ସମାଧାନ କରିବେ। ଏଥିରେ ମନ୍ଦିର ଗାତ୍ରରେ ଖୋଦେଇ ଶିଳାଲିପିର ଅପ୍ଟିକାଲ କ୍ୟାରେକ୍ଟର ରେକଗନିସନ (ଓସିଆର୍) ଓ ଦେବନାଗରୀ ଲିପିରେ ଅନୁବାଦ, ନଷ୍ଟ ହୋଇଯାଉଥିବା ସାମଗ୍ରୀର ରକ୍ଷଣାବେକ୍ଷଣ ସୂତ୍ର, ପାହାଡ଼ ଉପତ୍ୟକାର ଥ୍ରୀଡି ମଡେଲ ହାଇ ରିଜୋଲେସନ, ବିପର୍ଯ୍ୟୟପ୍ରବଣ ଅଞ୍ଚଳରେ ଭିତ୍ତିଭୂମି ଓ ରାସ୍ତା ଅବସ୍ଥା ଇତ୍ୟାଦି ଅନ୍ତର୍ଭୁକ୍ତ। ଚଳିତବର୍ଷ ସ୍ମାର୍ଟ ଇଣ୍ଡିଆ ହାକାଥନ-ଜୁନିୟର ମଧ୍ୟ ପ୍ରଦର୍ଶିତ ହୋଇଛି। ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବୋନ୍ମେଷ ସଂସ୍କୃତି ଓ ବିଦ୍ୟାଳୟସ୍ତରରେ ସମସ୍ୟା ସମାଧାନ ନେଇ ଦକ୍ଷ ହେବା ବା ଶିଖିବା ଏହାର ଉଦ୍ଦେଶ୍ୟ।