ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ର ଭାରତୀୟ ଦଳ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା (ସିଡବ୍ଲ୍ୟୁଜି) ୨୦୨୨ ପାଇଁ ମନୋନୀତ ଭାରତୀୟ ଦଳ ସହିତ ଜୁଲାଇ ୨୦ ତାରିଖ ଦିନ ୧୦ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବେ। ଉଭୟ ଆଥ୍‌ଲେଟ୍ ତଥା ସେମାନଙ୍କ ପ୍ରଶିକ୍ଷକମାନଙ୍କ ସହ ମଧ୍ୟ ଆଲୋଚନା ହେବ।

ପ୍ରଧାନମନ୍ତ୍ରୀଙ୍କ ଏହି ଆଲୋଚନା ହେଉଛି ପ୍ରମୁଖ କ୍ରୀଡ଼ା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପୂର୍ବରୁ ଆଥ୍‌ଲେଟ୍‌ମାନଙ୍କୁ ଉତ୍ସାହିତ କରିବା ପାଇଁ ତାଙ୍କର ନିରନ୍ତର ପ୍ରୟାସର ଏକ ଅଂଶ। ଗତବର୍ଷ ଟୋକିଓ ୨୦୨୦ ଅଲିମ୍ପିକ୍ସ ପାଇଁ ସ୍ଥିର ହୋଇଥିବା ଭାରତୀୟ ଆଥ୍‌ଲେଟ୍‌ମାନଙ୍କ ସହିତ ତଥା ଟୋକିଓ ୨୦୨୦ ପାରାଲିମ୍ପିକ୍ ଗେମ୍ସ ପାଇଁ ଭାରତୀୟ ପାରା-ଆଥ୍‌ଲେଟ୍‌ମାନଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ।

କ୍ରୀଡ଼ା କାର୍ଯ୍ୟକ୍ରମ ସମୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଥ୍‌ଲେଟ୍‌ମାନଙ୍କ ଅଗ୍ରଗତି ପ୍ରତି ଆଗ୍ରହ ପ୍ରକାଶ କରିଥାନ୍ତି। ଅନେକ ସମୟରେ, ସେ ବ୍ୟକ୍ତିଗତ ଭାବରେ ଆଥ୍‌ଲେଟ୍‌ମାନଙ୍କୁ ସେମାନଙ୍କ ସଫଳତା ଏବଂ ଆନ୍ତରିକ ଉଦ୍ୟମ ପାଇଁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କୁ ଉନ୍ନତ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିଥାନ୍ତି। ଆହୁରି ମଧ୍ୟ ସେମାନେ ଦେଶକୁ ଫେରିବା ପରେ ପ୍ରଧାନମନ୍ତ୍ରୀ ସେମାନଙ୍କ ସହ ସାକ୍ଷାତ କରି ଆଲୋଚନା କରିଥାନ୍ତି।

ସିଡବ୍ଲ୍ୟୁଜି ୨୦୨୨ ଜୁଲାଇ ୨୮ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ବର୍ମିଂହାମ୍‌ରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ମୋଟ ୨୧୫ ଆଥ୍‌ଲେଟ୍‌ ୧୯ଟି କ୍ରୀଡା ବିଭାଗରେ ୧୪୧ଟି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସିଡବ୍ଲ୍ୟୁଜି ୨୦୨୨ରେ ଭାରତର ପ୍ରତିନିଧିତ୍ୱ କରିବେ।

ସମ୍ବନ୍ଧିତ ଖବର