କାନ୍ସ ଚଳଚ୍ଚିତ୍ର ମହୋତ୍ସବର ସଫଳତା କାମନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଚଳିତ ବର୍ଷ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ‘ସମ୍ମାନିତ ରାଷ୍ଟ୍ର’ ଭାବେ ଭାରତର ଅଂଶଗ୍ରହଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି । ଏକ ବାର୍ତ୍ତା ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତର ଅଂଶଗ୍ରହଣ ଏପରି ଏକ ସ୍ମରଣୀୟ ମୁହୂର୍ତ୍ତରେ ହେଉଛି ଯେତେବେଳେ ଦେଶ ସ୍ବାଧୀନତାର ୭୫ ବର୍ଷ ପୂରଣ କରୁଛି।  କାନ୍ସ ଚଳଚ୍ଚିତ୍ର ମହୋତ୍ସବର ୭୫ ବର୍ଷ ପୂର୍ତ୍ତି ପାଳନ କରାଯାଉଛି ଏବଂ ଭାରତ-ଫ୍ରାନ୍ସ କୂଟନୈତିକ ସମ୍ପର୍କକୁ ମଧ୍ୟ ୭୫ ବର୍ଷରେ ପଦାର୍ପଣ କରିଛି ।

ଭାରତକୁ ବିଶ୍ବର ସର୍ବବୃହତ ଚଳଚ୍ଚିତ୍ର ପ୍ରଯୋଜନାକାରୀ ରାଷ୍ଟ୍ର ଭାବେ ଅଭିହିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମ ଚଳଚ୍ଚିତ୍ର କ୍ଷେତ୍ରର ବହୁବିବିଧତା ଉଲ୍ଲେଖନୀୟ ଏବଂ ସମୃଦ୍ଧ ଐତିହ୍ୟ ଓ ସାଂସ୍କୃତିକ ବିବିଧତା ଆମର ସାମର୍ଥ୍ୟ । ଭାରତରେ କହିବା ଲାଗି ଅନେକ କାହାଣୀ ରହିଛି ଏବଂ ବିଶ୍ବର କଣ୍ଟେଣ୍ଟ ହବ୍‌ (ବିଷୟବସ୍ତୁ କେନ୍ଦ୍ର) ହେବାର ଅପାର ସମ୍ଭାବନା ଦେଶରେ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଚଳଚ୍ଚିତ୍ର କ୍ଷେତ୍ରରେ ବ୍ୟବସାୟିକ ସୁଗମତାରେ ସୁଧାର ଆଣିବା ଲାଗି ଭାରତର ପ୍ରତିବଦ୍ଧତାକୁ ଦୋହରାଇ ଶ୍ରୀ ମୋଦୀ କହିଛନ୍ତି ଯେ, ଅନ୍ତର୍ଜାତୀୟ ଚଳଚ୍ଚିତ୍ର ସହପ୍ରଯୋଜନା ପାଇଁ ସୁବିଧା ଦେବାଠାରୁ ଆରମ୍ଭ କରି ସାରା ଦେଶରେ ଚଳଚ୍ଚିତ୍ର ନିର୍ମାଣ ପାଇଁ ଅନୁମତି ଦେବା ନିମନ୍ତେ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ବ୍ୟବସ୍ଥା କରିବାକୁ ବିଶ୍ବର ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଭାରତ ଅପାର ସମ୍ଭାବନା ଦେଇଛି । ଭାରତ ଚଳିତ ବର୍ଷ ମହାନ ଚଳଚ୍ଚିତ୍ର ନିର୍ମାତା ସତ୍ୟଜିତ ରାୟଙ୍କ ଜନ୍ମ ଶତବାର୍ଷିକୀ ପାଳନ କରୁଛି। ଏହି ଉପଲକ୍ଷେ ତାଙ୍କର ଏକ ପୁନରୁଦ୍ଧାର ହୋଇଥିବା ଚଳଚ୍ଚିତ୍ର କାନ୍ସ କ୍ଲାସିକ ବର୍ଗରେ ସ୍କ୍ରିନିଂ ହେବାକୁ ନେଇ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । କାନ୍ସ ଚଳଚ୍ଚିତ୍ର ମହୋତ୍ସବର ଚଳିତ ସଂସ୍କରଣରେ ଭାରତର ଅଂଶଗ୍ରହଣର ସବୁଠୁ ଉଲ୍ଲେଖନୀୟ ଦିଗ ହେଉଛି ଏଥିରେ ଶ୍ରୀ ଆର. ମାଧବନଙ୍କ ପ୍ରଯୋଜିତ ‘‘ରକେଟ୍ରୀ’’ ଚଳଚ୍ଚିତ୍ରର ୱାର୍ଲ୍ଡ ପ୍ରିମିୟର ହେବ । ଏହି ଚଳଚ୍ଚିତ୍ର ୧୯ ମେ ୨୦୨୨ରେ ପାଲାଇସ ଡେସ ମହୋତ୍ସବର ମାର୍କେଟ୍‌ ସ୍କ୍ରିନିଂରେ ପ୍ରଦର୍ଶିତ ହେବ । କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁରଙ୍କ ନେତୃତ୍ବରେ ଅଂଶଗ୍ରହଣ କରିଥିବା ଭାରତୀୟ ପ୍ରତିନିଧି ଦଳରେ ଦେଶର ବିଭିନ୍ନ ସ୍ଥାନରୁ ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗ ଦେଇଛନ୍ତି ।

ସମ୍ବନ୍ଧିତ ଖବର