ରାଜ୍ୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ: ପେଟ୍ରୋଲ୍‌, ଡିଜେଲ୍‌ ଉପରୁ ଟିକସ କମାଅ

ଟିକସ ନ କମାଇବା ଲୋକଙ୍କ ପ୍ରତି ଅନ୍ୟାୟ, ପ୍ରଧାନମନ୍ତ୍ରୀଙ୍କୁ ବିରୋଧୀଙ୍କ କଡ଼ା ସମାଲୋଚନା

ନୂଆଦିଲ୍ଲୀ: ୟୁକ୍ରେନ ଯୁଦ୍ଧ ଯୋଗୁଁ ବିଶ୍ବ ବଜାରରେ ତେଲ ଦର ଉପରେ ଚାପ ପଡ଼ିଛି। ଫଳରେ ଆମ ଦେଶରେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ତେବେ ରାଜ୍ୟମାନେ ଚାହିଲେ ସାଧାରଣ ଜନତା ଉପରୁ ଏହି ଦର ବୋଝ କମାଇପାରିବେ। ସେମାନେ ପେଟ୍ରୋଲ୍ ଓ ଡିଜେଲ୍ ଉପରୁ ମୂଲ୍ୟଯୁକ୍ତ ଟିକସ (ଭାଟ୍‌) ହ୍ରାସ କରନ୍ତୁ। କୋଭିଡ୍ ସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଜି ସମୀକ୍ଷା ବୈଠକ ବେଳେ ଏଭଳି ମତ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ କହିଛନ୍ତି ଯେ ଗତ ନଭେମ୍ବର ମାସରେ କେନ୍ଦ୍ର ସରକାର ତେଲ ଉପରୁ ଉତ୍ପାଦନ ଶୁଳ୍କ ହ୍ରାସ କରିଥିଲେ। କେନ୍ଦ୍ରକୁ ଅନୁସରଣ କରି ଅନେକ ରାଜ୍ୟ ଭାଟ୍ କମାଇଲେ। କିନ୍ତୁ କିଛି ରାଜ୍ୟ ଭାଟ୍ ନକମାଇବାରୁ ସେହି ରାଜ୍ୟଗୁଡ଼ିକରେ ତେଲ ଦର ଅଧିକ ରହିଛି। ସଂପୃକ୍ତ ରାଜ୍ୟବାସୀଙ୍କ ପ୍ରତି ଏହି ସରକାରମାନେ ଅନ୍ୟାୟ କରିଛନ୍ତି। ତାହାର ପ୍ରଭାବ ପଡ଼ୋଶୀ ରାଜ୍ୟଗୁଡ଼ିକ ଉପରେ ପଡ଼ୁଛି। ତେବେ ପ୍ରଧାନମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ କେତେକ ଅଣ-ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ବିରୋଧ କରିବା ସହିତ ତାଙ୍କର ସମାଲୋଚନା କରିଛନ୍ତି।

ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କେରଳ, ଝାଡ଼ଖଣ୍ଡ ଓ ତାମିଲନାଡୁ ଭଳି ଅଣ ବିଜେପି ଶାସିତ ରାଜ୍ୟଗୁଡ଼ିକର ନାମ ନେଇ ପ୍ରଧାନମନ୍ତ୍ରୀ କହିଲେ ଯେ ବିଭିନ୍ନ କାରଣ ଯୋଗୁଁ ଏମା‌ନେ କେନ୍ଦ୍ରର ଅନୁରୋଧକୁ ଶୁଣୁନାହାନ୍ତି। ସେଥିପାଇଁ ଏହି ରାଜ୍ୟଗୁଡ଼ିକର ଲୋକଙ୍କୁ ଅଧିକ ଦାମରେ ତେଲ କିଣିବାକୁ ପଡ଼ୁଛି। ଏହା ସତ ଯେ ଭାଟ୍ ହ୍ରାସ କଲେ ରାଜ୍ୟମାନଙ୍କର ରାଜସ୍ବ କମିଯିବ। କିନ୍ତୁ କିଛି ରାଜ୍ୟ ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ଏଭଳି ପଦକ୍ଷେପ ନେଇଛନ୍ତି। ଏହି ଅବସରରେ ସେ କର୍ଣ୍ଣାଟକ ଏବଂ ଗୁଜରାଟ ଭଳି ବିଜେପି ଶାସିତ ରାଜ୍ୟ କଥା ଉଲ୍ଲେଖ କରି ସେ କହିଲେ ଯେ ଭାଟ୍ କାଟ୍ କରିବା ଯୋଗୁଁ ଏହି ରାଜ୍ୟମାନଙ୍କର ବିପୁଳ ରାଜସ୍ବ ଘଟିଥିଲା। ତେଲ ଉପରୁ ଆଉ ଉତ୍ପାଦନ ଶୁଳ୍କ କମାଇବା ସ୍ଥିତିରେ କେନ୍ଦ୍ର ନାହିଁ ବୋଲି ଉଲ୍ଳେଖ କରି ମୋଦୀ କହିଲେ ଯେ କେନ୍ଦ୍ର ରାଜସ୍ବର ୪୨ ଭାଗ ରାଜ୍ୟମାନଙ୍କୁ ଦିଆଯାଉଛି। ତେଣୁ ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ରାଜ୍ୟମାନେ ଭାଟ୍ କମାନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଗତବର୍ଷ ନଭେମ୍ବର ୪ରେ କେନ୍ଦ୍ର ସରକାର ପେଟ୍ରୋଲ୍‌ ଟିକସରେ ୧୦ ଟଙ୍କା ଓ ଡିଜେଲ୍‌ରେ ୫ ଟଙ୍କା ହ୍ରାସ କରିଥିଲେ। ଏହାପରେ ପ୍ରାୟ ୨୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଭାଟ୍‌ ହ୍ରାସ କରିଥିଲେ। ସାତଟି ରାଜ୍ୟ କିନ୍ତୁ ଭାଟ୍ ହ୍ରାସ କରିନାହାନ୍ତି। ଏହି ରାଜ୍ୟଗୁଡ଼ିକ ମଧ୍ୟରୁ ତେଲେଙ୍ଗାନାରେ ଭାଟ୍‌ ହାର ପେଟ୍ରୋଲ୍‌ରେ ସର୍ବାଧିକ ୩୫% ଓ ଡିଜେଲ୍‌ରେ ୨୭% ରହିଛି। ଅନ୍ୟ ରାଜ୍ୟଗୁଡ଼ିକରେ ଭାଟ୍ ହାର ୧୩%ରୁ ୩୫% ଭିତରେ ରହିଛି। ଡିଜେଲ୍‌ରେ ଭାଟ୍‌ ହାର ୧୧%ରୁ ୨୩ ପ୍ରତିଶତ ଭିତରେ ରହିଛି। ଭାଟ୍‌ କମ୍ କରିନଥିବାରୁ ମହାରାଷ୍ଟ୍ରର ମୁମ୍ବାଇରେ ପେଟ୍ରୋଲ୍ ଦାମ୍ ୧୨୦ ଟଙ୍କା ୫୧ ପଇସା ଓ ଡିଜେଲ୍ ଦାମ୍ ୧୦୪ ଟଙ୍କା ୭୭ ପଇସା ରହିଛି। ତାମିଲନାଡୁର ଚେନ୍ନାଇରେ ପେଟ୍ରୋଲ୍ ଦାମ୍ ୧୧୦ ଟଙ୍କା ୮୫ ପଇସା ଓ ଡିଜେଲ୍ ୧୦୦ ଟଙ୍କା ୯୪; ଝାଡ଼ଖଣ୍ଡର ରାଞ୍ଚିରେ ପେଟ୍ରୋଲ୍‌ ଦାମ୍ ୧୦୮ ଟଙ୍କା ୭୧ ପଇସା ଓ ଡିଜେଲ୍ ୧୦୨ ଟଙ୍କା ୨ ପଇସା; ପଶ୍ଚିମବଙ୍ଗର କୋଲ୍‌କାତାରେ ପେଟ୍ରୋଲ୍‌ ୧୧୫ ଟଙ୍କା ୧୨ ପଇସା ଓ ଡିଜେଲ୍ ୯୯ ଟଙ୍କା ୮୩ ପଇସା; କେରଳର କୋଚିରେ ପେଟ୍ରୋଲ୍ ୧୧୫ ଟଙ୍କା ୭ ପଇସା ଓ ଡିଜେଲ ୧୦୧ ଟଙ୍କା ୯୬ ପଇସା; ତେଲେଙ୍ଗାନାର ହାଇଦ୍ରାବାଦରେ ପେଟ୍ରୋଲ୍ ୧୧୯ ଟଙ୍କା ୪୯ ପଇସା ଓ ଡିଜେଲ୍ ୧୦୫ ଟଙ୍କା ୪୯ ପଇସା ଏବଂ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ପେଟ୍ରୋଲ୍ ଦାମ୍ ୧୨୧ ଟଙ୍କା ୭ ପଇସା ଓ ଡିଜେଲ୍ ଦାମ୍ ୧୦୬ ଟଙ୍କା ୬୭ ପଇସା ରହିଛି। ଏହି ରାଜ୍ୟଗୁଡ଼ିକ ତୁଳନାରେ ଦିଲ୍ଲୀରେ ପେଟ୍ରୋଲ୍ ଦାମ୍ ଯଥେଷ୍ଟ କମ୍ ଅର୍ଥାତ ୧୦୫ ଟଙ୍କା ୪୧ ପଇସା ଓ ଡିଜେଲ୍ ଦାମ୍ ୯୬ ଟଙ୍କା ୬୭ ପଇସା ରହିଛି। ଭୁବନେଶ୍ବରରେ କିନ୍ତୁ ପେଟ୍ରୋଲ୍‌ ଦାମ୍ ୧୧୨ ଟଙ୍କା ୫୦ ପଇସା ଓ ଡିଜେଲ୍ ଦାମ୍ ୧୦୨ ଟଙ୍କା ୨୪ ପଇସା ରହିଛି। ଓଡ଼ିଶାରେ ପେଟ୍ରୋଲ୍‌ରେ ୨୮% ଓ ଡିଜେଲ୍‌ରେ ୨୪% ଭାଟ୍‌ ଲାଗୁ କରାଯାଇଛି।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଭାଟ ହ୍ରାସ ଆହ୍ବାନ ପରେ କଂଗ୍ରେସ, ତୃଣମୂଳ କଂଗ୍ରେସ ଓ ଶିବ ସେନା ପକ୍ଷରୁ ତାଙ୍କୁ ସମାଲୋଚନା କରାଯାଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଆଜିର ବୈଠକ ସମ୍ପୂର୍ଣ୍ଣ ଏକତରଫା ଓ ବିଭ୍ରାନ୍ତୀକର ଥିଲା। ‌ପ୍ରଧାନମନ୍ତ୍ରୀ ଯେଉଁ ତଥ୍ୟ ଦେଇଛନ୍ତି ତାହା ଭୁଲ। ଆମେ ପେଟ୍ରୋଲ ଓ ଡିଜେଲ୍ ଉପରେ ୧୫୦୦ କୋଟି ଟଙ୍କାର ସବ୍‌ସିଡି ଦେଇଛୁ। ବୈଠକରେ ଆମକୁ କଥା କହିବାର ସୁଯୋଗ ନଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ସେହିପରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଥାକ୍‌ରେ କହିଛନ୍ତି ଯେ ତୈଳ ଦରବୃଦ୍ଧି ପାଇଁ ରାଜ୍ୟଗୁଡ଼ିକୁ ଦାୟୀ କରାଯାଇପାରିବ ନାହିଁ। ଝାଡ଼ଖଣ୍ଡର ସ୍ବାସ୍ଥ୍ୟ ମନ୍ତ୍ରୀ ବନା ଗୁପ୍ତା କହିଛନ୍ତି ଯେ ସ୍ବାସ୍ଥ୍ୟ ଉପରେ ଆୟୋଜିତ ବୈଠକରେ ପ୍ରଧାନମନ୍ତ୍ରୀ ପେଟ୍ରୋଲ୍ ଓ ଡିଜେଲ୍ ବିଷୟରେ ଅଧିକ କହିଲେ। ପ୍ରଧାନମନ୍ତ୍ରୀ ପେଟ୍ରୋଲ୍‌, ଡିଜେଲ୍‌ ଓ ଏଲ୍‌ପିଜିକୁ ଜିଏସ୍‌ଟିରେ ସାମିଲ କରିବା ଉଚିତ ବୋଲି ସେ କହିଛନ୍ତି। କଂଗ୍ରେସ ନେତା ଦିପିନ୍ଦର ଏସ୍‌ ହୁଡା ଅଭିଯୋଗ କରିଛନ୍ତି ତୈଳ ଦରବୃଦ୍ଧିରେ କେନ୍ଦ୍ର ନିଜ ଦାୟିତ୍ବଠାରୁ ଦୂରେଇ ଯାଉଛି। ଶିବ ସେନା ନେତ୍ରୀ ପିୟଙ୍କା ଚର୍ତୁବେଦୀ କହିଛନ୍ତି ଯେ କେନ୍ଦ୍ର ସରକାର ତେଲରୁ ୨୬ ଲକ୍ଷ କୋଟି ଟଙ୍କା ଆୟ କରିଛନ୍ତି ଯାହା ତେଲ ଦାମ କମ୍ ଥିବା ସମୟର ଆୟ ତୁଳନାରେ ୧୮ ଗୁଣା ଅଧିକ। ରାଜ୍ୟଗୁଡ଼ିକୁ ଏବେବି ଜିଏସ୍‌ଟି କ୍ଷତିପୂରଣ ଦିଆଯାଇନି। ଏବେ କେନ୍ଦ୍ର ସରକାର ରାଜ୍ୟ ଉପରେ ଆଙ୍ଗୁଳି ଉଠାଉଛନ୍ତି। କଂଗ୍ରେସ ନେତା ପୱନ ଖେରା ପ୍ରଶ୍ନ କରିଛନ୍ତି ଯେ କେନ୍ଦ୍ର ସରକାର ତେଲରୁ ଯେଉଁ ୨୬ ଲକ୍ଷ କୋଟି ଟଙ୍କା ପାଇଛନ୍ତି ତାହା ରାଜ୍ୟଗୁଡ଼ିକ ସହ ବାଣ୍ଟିଛନ୍ତି କି?

ସମ୍ବନ୍ଧିତ ଖବର