ପ୍ରଧାନମନ୍ତ୍ରୀଙ୍କ ଘୋଷଣା: ଅଗଷ୍ଟ ୧୪କୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବରେ ପାଳନ କରାଯିବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କହିଛନ୍ତି ଯେ ଆମ ଲୋକଙ୍କ ସଂଘର୍ଷ ଏବଂ ବଳିଦାନକୁ ସ୍ମରଣ କରିବା ପାଇଁ ଅଗଷ୍ଟ ୧୪କୁ ସାରା ଦେଶରେ ବିଭାଜନ ଆତଙ୍କ ସ୍ମୃତି ଦିବସ ଭାବେ ପାଳନ କରାଯିବ। ବିଭାଜନର ଯନ୍ତ୍ରଣା କେବେ ବି ଭୁଲିହେବ ନାହିଁ। ଆମର ଲକ୍ଷ ଲକ୍ଷ ଭଉଣୀ ଓ ଭାଇ ବିସ୍ଥାପିତ ହୋଇଥିଲେ ଏବଂ ଅନେକେ ଘୃଣା ଓ ହିଂସା ହେତୁ ପ୍ରାଣ ହରାଇଲେ। ଆମ ଲୋକଙ୍କ ସଂଘର୍ଷ ତଥା ବଳିଦାନକୁ ସ୍ମରଣ କରି ୧୪ ଅଗଷ୍ଟକୁ ବିଭାଜନ ଭୟାବହତାର ସ୍ମୃତି ଦିବସ ଭାବରେ ପାଳନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଟ୍ବିଟ୍‌ କରି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଭାଜନ ଆତଙ୍କ ସ୍ମରଣ ଦିବସ ଆମକୁ ସାମାଜିକ ବିଭାଜନ, ଅସହଯୋଗର ବିଷକୁ ହଟାଇବା ଏବଂ ଏକତା, ସାମାଜିକ ସୌହାର୍ଦ୍ଦ୍ୟ ଏବଂ ମାନବ ସଶକ୍ତୀକରଣର ଆତ୍ମାକୁ ଆହୁରି ଦୃଢ଼ କରିବାର ଆବଶ୍ୟକତାକୁ ମନେ ପକାଇବ।

‘ବିଭାଜନ ଆତଙ୍କ ସ୍ମୃତି ଦିବସ’ ପାଳନ ଲାଗି ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଭାରତର ୭୫ତମ ସ୍ୱାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ଆସିଛି। ଅଗଷ୍ଟ ୧୪ରେ ପାକିସ୍ତାନ ଏହାର ସ୍ୱାଧୀନତା ଦିବସ ପାଳନ କରେ। ଜୁନ୍ ୩, ୧୯୪୭ରେ ଭାରତର ଶେଷ ଭାଇସରୟ ଲର୍ଡ ମାଉଣ୍ଟବ୍ୟାଟେନ୍‌ ଭାରତ ସ୍ବାଧୀନତା ପରେ ଦୁଇ ଦେଶରେ ବିଭକ୍ତ ହେବ ବୋଲି ଘୋଷଣା କରିଥିଲେ। ମାଉଣ୍ଟବ୍ୟାଟେନ୍‌ଙ୍କ ଯୋଜନା ଭାବରେ ଜଣାଶୁଣା ଏହି ଯୋଜନା ବିଭାଜନର ନୀତି ଘୋଷଣା କରିଥିଲା ​​ଏବଂ ଉଭୟ ଭାରତ ଓ ପାକିସ୍ତାନକୁ ସ୍ବାଧୀନତା ଓ ସାର୍ବଭୌମତ୍ୱ ପ୍ରଦାନ କରିଥିଲା। ଏହା ମଧ୍ୟ ସେମାନଙ୍କୁ ନିଜର ସମ୍ବିଧାନ ଗଠନ କରିବାର ଅଧିକାର ଦେଇଥିଲା। ୧୯୪୭ ମସିହାରେ ବ୍ରିଟିଶ ଉପନିବେଶୀୟ ଶାସନର ଅନ୍ତ ଘଟିବା ପରେ ଭାରତ ଓ ପାକିସ୍ତାନ ଦୁଇ ଦେଶରେ ବିଭକ୍ତ ହେଲେ। ତା’ ସହ ଆରମ୍ଭ ହେଲା ଏକ ବଡ଼ ଧରଣର ଦଙ୍ଗା। ଏଥିରେ ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଥିଲେ ଏବଂ ଆହୁରି ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା। ବିଭାଜନ ପରେ ଘଟିଥିବା ବର୍ବର ହିଂସାରେ ପ୍ରାୟ ୧ ନିୟୁତ ଲୋକ ନିହତ ହୋଇଥିଲେ, କାହାରି କାହାରି ମତରେ ବାସ୍ତବ ସଂଖ୍ୟା ଏହାର ଦୁଇଗୁଣ ହେବ।

ସମ୍ବନ୍ଧିତ ଖବର