ବିଶ୍ବ କୋଭିଡ୍ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ: ହୁ’ରେ ଲୋଡ଼ା ସଂସ୍କାର, ଗୁରୁତ୍ବପୂର୍ଣ୍ଣ ଭୂମିକା ପାଇଁ ଭାରତ ପ୍ରସ୍ତୁତ

ନୂଆଦିଲ୍ଲୀ: ଗୁରୁବାର ଅନୁଷ୍ଠିତ ଦ୍ବିତୀୟ ବିଶ୍ବ କୋଭିଡ୍ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ବ ସ୍ବାସ୍ଥ୍ୟ ସଂଗଠନରେ ସଂସ୍କାର ଆଣିବା ଓ ତାକୁ ଅଧିକ ଶକ୍ତିଶାଳୀ କରିବା ଉପରେ ଗୁରୁତ୍ବ ଦେଇଛନ୍ତି। ଯୋଗାଣ ଶୃଙ୍ଖଳକୁ ସୁସ୍ଥିର କରିବା ପାଇଁ ହୁ’ର ଟିକା ଓ ଚିକିତ୍ସା-ପଦ୍ଧତିଗୁଡ଼ିକର ପ୍ରମାଣୀକରଣ ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍‌ବୋଧନରେ କହିଛନ୍ତି।

ଭବିଷ୍ୟତର ସ୍ବାସ୍ଥ୍ୟଗତ ଜରୁରୀ ପରିସ୍ଥିତି ସହ ଲଢ଼ିବା ପାଇଁ ଏକ ସୁସମନ୍ବିତ ବୈଶ୍ବିକ ପ୍ରକ୍ରିୟା ଆବଶ୍ୟକ। ଆମର ଏକ ପ୍ରାଣବନ୍ତ ବିଶ୍ବ ଯୋଗାଣ ଶୃଙ୍ଖଳ ଦରକାର, ଯାହାଦ୍ବାରା ଟିକା ଓ ଔଷଧ ଆଦିର ଯୋଗାଣ ହୋଇପାରିବ। ବିଶ୍ବ-ସମୁଦାୟର ଏକ ଦାୟିତ୍ବସମ୍ପନ୍ନ ସଦସ୍ୟ ଭାବେ ଏହି ପ୍ରକ୍ରିୟାରେ ଭାରତ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ ବୋଲି ମୋଦୀ କହିଥିଲେ। ବୌଦ୍ଧିକ ସମ୍ପତ୍ତି ଅଧିକାର ସମ୍ପର୍କିତ ବିଶ୍ବ ବାଣିଜ୍ୟ ସଂଗଠନର ଆଇନଗୁଡ଼ିକ ଅଧିକ ନମନୀୟ ହେବା ଆବଶ୍ୟକ ବୋଲି ସେ କହିଥିଲେ।
ଭାରତର କୋଭିଡ୍ ମୁକାବିଲା ଉପରେ ମୋଦୀ କହିଲେ ଯେ, ଭାରତ ଏକ ଲୋକ କେନ୍ଦ୍ରିକ ରଣନୀତି ଆପଣାଇଥିଲା। ଭାରତ ତା’ର ବାର୍ଷିକ ସ୍ବାସ୍ଥ୍ୟ ବଜେଟ୍‌ରେ ସବୁଠାରୁ ଅଧିକ ଅର୍ଥ ବରାଦ କରିଥିଲା।

ଆମର ଟିକା କାର୍ଯ୍ୟକ୍ରମ ହେଉଛି ବିଶ୍ବରେ ବୃହତ୍ତମ। ପ୍ରାୟ ୯୦ ପ୍ରତିଶତ ବୟସ୍କ ଲୋକ ସମ୍ପୂର୍ଣ୍ଣ ଟିକା ନେଇଛନ୍ତି। ତା’ ସହ ୫୦ ନିୟୁତରୁ ଅଧିକ ପିଲା ବି ଟିକା ନେଇସାରିଲେଣି। ଭାରତ ୪ଟି ହୁ-ଅନୁମୋଦିତ ଟିକା ପ୍ରସ୍ତୁତ କରୁଛି ଏବଂ ବର୍ଷକୁ ଏହା ୫୦୦ କୋଟି ଡୋଜ୍ ଟିକା ଉତ୍ପାଦନ କ୍ଷମତା ରଖିଛି ‌ବୋଲି ମୋଦୀ କହିଥିଲେ। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ୯୮ଟି ଦେଶକୁ ଭାରତ ୨୦୦ ନିୟୁତ ଡୋଜ୍ ଟିକା ଯୋଗାଇଦେଇଛି। କୋଭିଡ୍ ରୋଗର ପରୀକ୍ଷା, ଚିକିତ୍ସା ଓ ତଥ୍ୟ ପରିଚାଳନା ଲାଗି ଭାରତ ଶସ୍ତା କୋଭିଡ୍ ନିରାକରଣ ପ୍ରଯୁକ୍ତିର ବିକାଶ କରିଛି। ଆମେ ଏ ଜ୍ଞାନକୌଶଳ ଅନ୍ୟ ଦେଶକୁ ବି ଯୋଗାଇଦେଇଛୁ ବୋଲି ସେ କହିଥିଲେ। କୋଭିଡ୍ ସହ ମୁକାବିଲା ପାଇଁ ରୋଗପ୍ରତିରୋଧକ କ୍ଷମତା ବୃଦ୍ଧି ନିମେନ୍ତ ଭାରତରେ ପାରମ୍ପରିକ ଔଷଧର ମଧ୍ୟ ଉପଯୋଗ କରାଯାଇଥିଲା, ଯାହାଫଳରେ କୋଭିଡ୍ ସଂକ୍ରମଣକୁ କେତେକାଂଶରେ ରୋକାଯାଇପାରିଥିଲା। ଗତମାସରେ ପାରମ୍ପରିକ ଔଷଧ ନିମନ୍ତେ ଭାରତରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ବୋଲି ଉକ୍ତ ଅନ୍‌ଲାଇନ୍‌ ସମ୍ମିଳନୀରେ ମୋଦୀ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର