ନୂଆ ଆଇପିଏସ୍‌ ଅଫିସର୍‌ଙ୍କୁ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ର: ସର୍ବଦା ରାଷ୍ଟ୍ରହିତକୁ ଧ୍ୟାନରେ ରଖିବାକୁ ହେବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜାତୀୟ ପୁଲିସ ଏକାଡେମିରେ ଟ୍ରେନି ଆଇପିଏସ୍‌ ଅଧିକାରୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନୂଆ ଆଇପିଏସ୍‌ ଅଧିକାରୀଙ୍କୁ କହିଛନ୍ତି ଯେ ଆପଣଙ୍କ ଭଳି ଯୁବପିଢ଼ି ଉପରେ ଦେଶର ଗୁରୁଦାୟିତ୍ବ ରହିଛି। ମହିଳା ଅଧିକାରୀଙ୍କ ଭୂମିକା ମଧ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ‘ଆପଣମାନଙ୍କୁ ସର୍ବଦା ମନେ ରଖିବାକୁ ହେବ ଯେ ଆପଣମାନେ ଗୋଟିଏ ଭାରତ, ଶ୍ରେଷ୍ଠ ଭାରତର ଧ୍ବଜାବାହକ। ଆପଣଙ୍କ ପ୍ରତ୍ୟେକଟି କାର୍ଯ୍ୟରେ ‘ଦେଶ ପ୍ରଥମ, ସର୍ବଦା ପ୍ରଥମ’ ଭାବନା ରହିବା ଉଚିତ। ଆପଣଙ୍କ ସେବା ଦେଶର ଭିନ୍ନ ଜିଲ୍ଲା ଓ ସହରରେ ହେବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ପ୍ରତ୍ୟେକଟି ନିଷ୍ପତ୍ତି ରାଷ୍ଟ୍ରହିତକୁ ଧ୍ୟାନରେ ରଖି ନେବାକୁ ହେବ’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିଗତ ୭୫ ବର୍ଷରେ ଭାରତ ଏକ ଶ୍ରେଷ୍ଠ ପୁଲିସ ସେବା ନିର୍ମାଣ କରିବାକୁ ପ୍ରୟାସ କରିଛି। ଏହି ସମୟରେ ପୁଲିସ ତାଲିମ ବାବଦ ଭିତ୍ତିଭୂମିରେ ମଧ୍ୟ ବହୁତ ସୁଧାର ହୋଇଛି। ପୁଲିସ ପ୍ରତି ରହିଥିବା କେତେକ ନକରାତ୍ମକ ଧାରଣରେ ପରିବର୍ତ୍ତନ ଆଣିବା ଦିଗରେ ଆହୁରି ଅନେକ କିଛି କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅପରାଧ ନିୟନ୍ତ୍ରଣ ପାଇଁ ନୂଆ ନୂଆ ପ୍ରୟୋଗ ଜରୁରୀ ବୋଲି ମତ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଏ ଦିଗରେ ନିଷ୍ଠାପର ପ୍ରୟାସ ଦ୍ବାରା ଅନେକ ସଫଳତା ମିଳିପାରିବ। ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ୧୪୪ ଜଣ‌ ଟ୍ରେନି ଆଇପିଏସ୍‌ ଅଧିକାରୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର