ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଦିଲ୍ଲୀଠାରେ ବାଣିଜ୍ୟ ଭବନ ଉଦ୍ଘାଟନ କରିବା ସହ ନିର୍ୟାତ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ, ସୋମ ପ୍ରକାଶ ଓ ଅନୁପ୍ରିୟା ପଟେଲ ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ।
ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ନବଭାରତରେ ଗତ ଆଠବର୍ଷ ଧରି ଚାଲି ଆସୁଥିବା ନାଗରିକ କୈନ୍ଦ୍ରିକ ପ୍ରଶାସନିକ ଢାଞ୍ଚାରେ ଆଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ଦେଶ ଆଜି ଏକ ନୂତନ ଓ ଆଧୁନିକ ବାଣିଜ୍ୟ ଭବନ ସହିତ ଏକ ରପ୍ତାନି ପୋର୍ଟାଲ ପାଇଛି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ମଧ୍ୟ ଦେଶର ପ୍ରଥମ ଶିଳ୍ପମନ୍ତ୍ରୀ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ମୃତ୍ୟୁବାର୍ଷିକୀ। ତାଙ୍କ ନୀତି, ନିଷ୍ପତ୍ତି, ସଂକଳ୍ପ ଓ ସେଗୁଡ଼ିକର ନିଷ୍ପାଦନ ସ୍ୱାଧୀନ ଭାରତକୁ ଦିଗ୍ଦର୍ଶନ ଦେବା ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଆଜି ଦେଶ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି ବୋଲି ସେ କହିଥିଲେ।
/sambad/media/post_attachments/wp-content/uploads/2022/06/2-22-300x193.jpg)
ପ୍ରଧାନମନ୍ତ୍ରୀ କହିଥିଲେ ଯେ ନବଭାରତର ନୂତନ କର୍ମସଂସ୍କୃତି ହେଉଛି ଯେକୌଣସି ପ୍ରକଳ୍ପକୁ ଠିକ୍ ସମୟରେ ସାରିବା। ଯେତେବେଳେ ସରକାରୀ ପ୍ରକଳ୍ପ ବର୍ଷ ବର୍ଷ ଧରି ପଡ଼ି ନ ରହି ନିଧାର୍ଯ୍ୟ ସମୟ ମଧ୍ୟରେ ଶେଷ ହୁଏ ଓ ସରକାରୀ ଯୋଜନା ଲକ୍ଷ୍ୟ ସ୍ଥଳରେ ପହଞ୍ଚେ, ସେତେବେଳେ ହିଁ ଦେଶର ଟିକସଦାତା ତା’ର ଉଚିତ ସମ୍ମାନ ପାଏ। ଆଜି ଆମ ପାଖରେ ଆଧୁନିକ ମଞ୍ଚ ଭାବେ ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ରହିଛି। ଏହି ବାଣିଜ୍ୟ ଭବନ ଦେଶକୁ ‘ଗତିଶକ୍ତି’ ପଥରେ ଅଗ୍ରସର କରିବ ବୋଲି ସେ କହିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ନିର୍ୟାତ- ଜାତୀୟ ଆମଦାନି, ରପ୍ତାନି ପାଇଁ ବାଣିଜ୍ୟିକ ପୋର୍ଟାଲ ଅଂଶୀଦାରମାନଙ୍କୁ ପ୍ରକୃତ ତଥ୍ୟ ପ୍ରଦାନ କରିବ। ଏହି ପୋର୍ଟାଲ ଜରିଆରେ ୨ଠଠରୁ ଅଧିକ ଦେଶକୁ ରପ୍ତାନି ହେଉଥିବା ୩ଠରୁ ଅଧିକ ସାମଗ୍ରୀ ସମ୍ପର୍କରେ ତଥ୍ୟ ଉପଲବ୍ଧ ହେବ। ସମୟକ୍ରମେ ଜିଲ୍ଲାସ୍ତରରୁ ରପ୍ତାନି ସାମଗ୍ରୀ ସମ୍ପର୍କରେ ମଧ୍ୟ ସବିଶେଷ ତଥ୍ୟ ମିଳିବ। ଏହା ଜିଲ୍ଲାଗୁଡ଼ିକୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରପ୍ତାନି କେନ୍ଦ୍ର ଭାବେ ବିକଶିତ କରିବାରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/1-29.jpg)