ପ୍ରିୟଙ୍କା ପ୍ରଭାବ: ସପା-ବସପା କଂଗ୍ରେସ ଆଡ଼କୁ ଢ଼ଳିଲେ; ୟୁପିରେ ବଦଳିବ ରାଜନୈତିକ ସମୀକରଣ

ଲକ୍ଷ୍ନୌ/ ନୂଆଦିଲ୍ଲୀ: ପ୍ରିୟଙ୍କା ଗାନ୍ଧୀଙ୍କ ସକ୍ରିୟ ରାଜନୀତରେ ପ୍ରବେଶ ପରେ ଏବେ ଉତ୍ତରପ୍ରଦେଶ ରାଜନୀତିର ରାଜନୈତିକ ସମୀକରଣରେ ପରିବର୍ତ୍ତନ ଘଟିବ ବୋଲି ଜୋରସୋରରେ ଚର୍ଚ୍ଚା ଓ ଆଲୋଚନା ଚାଲିଛି।

ପ୍ରିୟଙ୍କା କଂଗ୍ରେସର ସକ୍ରିୟ ରାଜନୀତିକୁ ଆସିବା ପରେ ତାଙ୍କୁ ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦିଆଯିବା ସହ ଦେଶର ଅନ୍ୟତମ ପ୍ରମୁଖ ରାଜ୍ୟ ତଥା ‘ହିନ୍ଦୀ ହାର୍ଟଲାଣ୍ଡ’ ଭାବେ ପରିଚିତ ଏବଂ ରାଜନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଉତ୍ତରପ୍ରଦେଶର ଦାୟିତ୍ୱ ମଧ୍ୟ ଦିଆଯାଇଛି। ଦେଶର ସବୁଠାରୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶର ପୂର୍ବ ଓ ପଶ୍ଚିମର ସମସ୍ତ ଦଳୀୟ ଦାୟିତ୍ୱ ରହିଛି ପ୍ରିୟଙ୍କାଙ୍କ ହାତରେ; ଯାହା ମଧ୍ୟରେ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ବାଚନ ମଣ୍ଡଳୀ। ପୁଣି ପ୍ରୟଙ୍କାଙ୍କୁ ସହଯୋଗ କରିବା ପାଇଁ କଂଗ୍ରେସ ନିଯୁକ୍ତ କରିଛି ଦଳର ଅନ୍ୟତମ ଯୁବ ଏବଂ ଟାଣୁଆ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ।

ପ୍ରିୟଙ୍କା ଉତ୍ତରପ୍ରଦେଶର ଦାୟିତ୍ୱ ଗ୍ରହଣ କରି ଦଳୀୟ କଥା ବୁଝିବା ପରେ ଦଳୀୟ କର୍ମୀ ମହଲରେ ନୂତନ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି ହୋଇଛି। ଏବଂ ଯାହାର ଝଲକ ଆଜି ଦେଖିବା ପାଇଁ ମିଳିଛି। ଦାୟିତ୍ୱ ଗ୍ରହଣ ପରେ ଆଜି ପ୍ରଥମ ଥର ପାଇଁ ପ୍ରିୟଙ୍କା ଉତ୍ତରପ୍ରଦେଶ ଗସ୍ତରେ ଆସିବା ସହ ଦଳ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ପ୍ରିୟଙ୍କା ସଙ୍ଗରେ ଭାଇ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଅନ୍ୟତମ ସହଯୋଗୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଉତ୍ତରପ୍ରଦେଶ କଂଗ୍ରେସ କମିଟି ସଭାପତି ରାଜ୍‌ ବାବରଙ୍କୁ ଧରି ଆଜି ଯେଉଁ ର‍୍ୟାଲି ଓ ରୋଡ୍‌ ସୋ’ର ଆୟୋଜନ କରିଥିଲେ, ତାକୁ ବିପୁଳ ଜନ ସମର୍ଥନ ମିଳିଥିବା ଦେଖିବାକୁ ମିଳିଛି।

ଆଜିର ଘଟଣା ଉତ୍ତରପ୍ରଦେଶର ଅନ୍ୟ ଦୁଇ ପ୍ରମୁଖ ରାଜନୈତିକ ଦଳ ସମାଜବାଦୀ ପାର୍ଟି (ସପା) ଓ ବହୁଜନ ସମାଜ ପାର୍ଟି (ବସପା)ର ଚିନ୍ତାକୁ ବଢ଼ାଇ ଦେଇଛି। କାରଣ, ଗତ ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ କରି ଉତ୍ତରପ୍ରଦେଶରେ ନିର୍ବାଚନ ଲଢ଼ିଥିବା ସପା ଏଥର ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ କରି ନିର୍ବାଚନ ଲଢ଼ିବ ନାହିଁ ବୋଲି ଘୋଷଣା କରି ବସପା ସହ ମେଣ୍ଟ କରିଥିଲା। ସପା ସୁପ୍ରିମୋ ଅଖିଳେଶ ଯାଦବ ଓ ବସପା ସୁପ୍ରିମୋ ମାୟାବତୀ ମେଣ୍ଟ କରି ଆଗାମୀ ସାଧାରଣ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଥିଲେ। କେବଳ ରାହୁଲ ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର ଆମେଥି ଓ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର ରାଏବରେଲିକୁ କଂଗ୍ରେସ ପାଇଁ ଛାଡ଼ିଦେବା ସହ ଉତ୍ତରପ୍ରଦେଶର ଅନ୍ୟ ସମସ୍ତ ଆସନରେ ସପା- ବସପା ମେଣ୍ଟ ପ୍ରର୍ଥୀ ଦେବ ବୋଲି ଉଭୟ୍ର ଅଖିଳେଶ ଓ ମାୟାବତୀ ଘୋଷଣା କରିଥିଲେ।

ତେବେ, ଆଜିର ଘଟଣାକ୍ରମ ଦେଖିବା ପରେ ଏବେ ଉଭୟ ସପା ଓ ବସପା ସେମାନଙ୍କ ପୂର୍ବ ନିଷ୍ପତ୍ତିରେ ପରିବର୍ତ୍ତନ ଆଣିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏବଂ କଂଗ୍ରେସ ସହ ମିଶି ଏକାଠି ଉତ୍ତରପ୍ରଦେଶରେ ଆଗାମୀ ନିର୍ବାଚନ ଲଢ଼ିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏବଂ ନିଜର ପରିବର୍ତ୍ତିତ ମନୋଭାବ ମଧ୍ୟ କଂଗ୍ରେସକୁ ବିନା ବିଳମ୍ବରେ ଜଣାଇ ଦେଇଛନ୍ତି। ହେଲେ, ସପା ଓ ବସାପର ଏ ଆଗ୍ରହକୁ କଂଗ୍ରେସ କେତେଦୂର ଗ୍ରହଣ କରିବ ବା ନକରିବ ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ। ତେବେ, ଆଜିର ଘଟଣା ପରେ ଆଗାମୀ ଦିନରେ ଉତ୍ତରପ୍ରଦେଶ ରାଜନୀତିର ରାଜନୈତିକ ସମୀକରଣରେ ପରିବର୍ତ୍ତନ ଘଟିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ କହୁଛନ୍ତି।

ସମ୍ବନ୍ଧିତ ଖବର