ୟୁକ୍ରେନ୍‌ ଫେରନ୍ତା ମେଡିକାଲ ଛାତ୍ରଙ୍କ ସମସ୍ୟା ବଢ଼ିଲା: ଭାରତରେ ନାମଲେଖା ଅନୁମତି ମିଳିବନି

ସୁପ୍ରିମ‌କୋର୍ଟରେ ତଥ୍ୟ ରଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ୟୁକ୍ରେନ୍‌ ଫେରନ୍ତା ମେଡିକାଲ ଛାତ୍ରଙ୍କୁ ଭାରତୀୟ ଶିକ୍ଷାନୁଷ୍ଠାନରେ ନାମଲେଖା ସୁଯୋଗ ମିଳିବା ପ୍ରସଙ୍ଗରେ କେନ୍ଦ୍ର ସରକାର ଆଜି ସୁପ୍ରିମ‌କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। କେନ୍ଦ୍ର ସରକାର କହିଛନ୍ତି, ଏନ୍‌ଏମସି (ଜାତୀୟ ମେଡିକାଲ କମିସନ୍‌)ରେ ଏଭଳି କୌଣସି ବ୍ୟବସ୍ଥା ନାହିଁ। ଏଭଳି ଏକ ନିଷ୍ପତ୍ତି ଭାରତରେ ମେଡିକାଲ ଶିକ୍ଷା ଷ୍ଟାଣ୍ଡାର୍ଡ ପାଇଁ ବାଧା ସୃଷ୍ଟି କରିବ। ଛାତ୍ରମାନେ କେବଳ ୨ଟି କାରଣ ପାଇଁ ବିଦେଶକୁ ପଢ଼ିବାକୁ ଯାଇଥିଲେ। ଗୋଟିଏ ହେଉଛି ନିଟ୍‌ରେ ମେରିଟ ତାଲିକାରେ ନ ରହିବା ଏବଂ ଅନ୍ୟଟି ହେଉଛି ବିଦେଶ‌ରେ ଶସ୍ତାରେ ମେଡିକାଲ ଶିକ୍ଷା ଗ୍ରହଣ। ନିଟ୍‌ରେ ମେରିଟ୍‌‌ରେ ନଥିବା ଛାତ୍ରମାନଙ୍କୁ ଭାରତର ପ୍ରମୁଖ ମେଡିକାଲ କଲେଜ୍‌ରେ ସ୍ଥାନ ମିଳିଲେ ଏହା ଆଗକୁ ବହୁତ ବିବାଦୀୟ ସ୍ଥିତି ସୃଷ୍ଟି କରିବ ବୋଲି ସରକାର କହିଛନ୍ତି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୋର୍ଟରେ ଏ ନେଇ ସତ୍ୟପାଠ ଦାଖଲ ହୋଇଛି। ସରକାର କହିଛନ୍ତି, ୟୁକ୍ରେନ୍‌ ଫେରନ୍ତା ଛାତ୍ରଙ୍କ ପଢ଼ା ଶେଷ ପାଇଁ ସରକାର ଅନ୍ୟାନ୍ୟ କୋହଳ ପଦକ୍ଷେପ ଗ୍ରହଣ କରିଛନ୍ତି। ଯଦି ଭାରତର ପ୍ରମୁଖ ମେଡିକାଲ ଶିକ୍ଷାନୁଷ୍ଠାନରେ ସେମାନଙ୍କୁ ଆଡମିସନ ‌ମିଳେ ତେବେ ଏହା ଭାରତୀୟ ମେଡିକାଲ କାଉନସିଲ ଆକ୍ଟ ୧୯୫୬ର ବିଭିନ୍ନ ଧାରା ଏବଂ ଏନ୍‌ଏମସି ଆଇନ, ୨୦୧୯ର ଉଲ୍ଲଂଘନ କରିବ। ଦେଶରେ ମେଡିକାଲ ଶିକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଏହା ଅତି ଖରାପ ପ୍ରଭାବ ପକାଇବ ବୋଲି ସରକାର କହିଛନ୍ତି।

ସମ୍ବନ୍ଧିତ ଖବର