ନୂଆଦିଲ୍ଲୀ : ପାନ୍ କାର୍ଡକୁ ଆଧାର କାର୍ଡ ସହ ଲିଙ୍କ  କରିବା ପାଇଁ ସରକାର ୨୦୨୩ ଜୁନ୍ ୩୦ ପର୍ଯ୍ୟନ୍ତ ସମୟ ଦେଇଥିଲେ। ଏହା ପୂର୍ବରୁ ମଧ୍ୟ ଏହି ସମୟସୀମାକୁ ଅନେକ ଥର ବଢ଼ାଇ ଦିଆଯାଇଛି। କିନ୍ତୁ ଜୁନ୍ ମାସରେ ସରକାର ଏହି ତାରିଖ ବୃଦ୍ଧି କରାଯିବ ନାହିଁ ବୋଲି ପୂର୍ବରୁ ଚେତାବନୀ ଦେଇଥିଲେ। ଏହା ପରେ ମଧ୍ୟ ଅନେକ ଲୋକ ପାନ୍ କୁ ଆଧାର ସହ ଲିଙ୍କ୍ କରିନଥିଲେ। ଯାହାର ଫଳାଫଳ ଏବେ ସାମ୍ନାକୁ ଆସୁଛି ।

Advertisment

ଯେଉଁମାନେ ପାନ୍ କାର୍ଡକୁ ଆଧାର କାର୍ଡ ସହ ଲିଙ୍କ କରିନାହାନ୍ତି, ସେମାନଙ୍କ ପାନ୍ କାର୍ଡ ନିଷ୍କ୍ରିୟ (ବ୍ଲକ୍) ହୋଇଯାଇଛି। ଏଥିପାଇଁ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ସମ୍ପର୍କରେ ଆୟକର ବିଭାଗ ପକ୍ଷରୁ କୁହାଯାଇଛି ଯେ, ପାନ୍ କାର୍ଡର ନିଷ୍କ୍ରିୟତାର ଅର୍ଥ ହେଉଛି ଆପଣଙ୍କ ପ୍ୟାନ କାର୍ଡ ନାହିଁ । ଏଭଳି ବ୍ୟକ୍ତିଙ୍କୁ ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ଏଫଡିରେ ନିବେଶ କରିବା, ବ୍ୟାଙ୍କରୁ ବିପୁଳ ପରିମାଣର ଟଙ୍କା ଉଠାଇବାରେ ଅସୁବିଧା ହେବ। କାରଣ ଏଥିପାଇଁ ପାନ୍ କାର୍ଡର ଆବଶ୍ୟକତା ରହିଛି। ଅନ୍ୟ ବ୍ୟାଙ୍କିଙ୍ଗ କାରବାରରେ ମଧ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

କିନ୍ତୁ ଯଦି ପାନ୍ କାର୍ଡ ଓ ଆଧାର କାର୍ଡ ଲିଙ୍କ୍ ହୋଇନାହିଁ, ତେବେ ଆପଣଙ୍କ ଦରମା ଆକାଉଣ୍ଟକୁ ଟ୍ରାନ୍ସଫର ହେବ ନାହିଁ କି ? ଏହାର ଉତ୍ତର ହେଉଛି ନା । ପ୍ୟାନ କାର୍ଡ ଲିଙ୍କ୍ ହୋଇନଥିଲେ ବି ବ୍ୟାଙ୍କ ଖାତାକୁ ଦରମା ଜମା ହୋଇପାରିବ କିନ୍ତୁ ଏଥିରେ ବିଳମ୍ବ ହୋଇପାରେ । କାରଣ ଯେତେବେଳେ ଆପଣଙ୍କ କମ୍ପାନି କିମ୍ବା ନିଯୁକ୍ତିଦାତା ଆପଣଙ୍କ ଖାତାରେ ଦରମା ଜମା କରନ୍ତୁ ତାଙ୍କୁ ପ୍ୟାନ ନମ୍ବର ଦେବାକୁ ପଡ଼ିବ । ସେତେବେଳେ ସମସ୍ୟା ହୋଇପାରେ ।