ତାଲିବାନର ସରକାର ଗଠନ ପ୍ରକ୍ରିୟା ଆରମ୍ଭ: ୧୨ ଜଣିଆ ପରିଷଦରେ କରଜାଇ, ଅବଦୁଲ୍ଲା ଏବଂ ବରାଦର

ତାଲିବାନ ନେତାଙ୍କ ସହ ସିଆଇଏ ମୁଖ୍ୟଙ୍କ ଗୁପ୍ତ ବୈଠକ

କାବୁଲ: ସମଗ୍ର ଆଫଗାନିସ୍ତାନକୁ ନିଜ ଦଖଲକୁ ନେଇଥିବା ତାଲିବାନ ଏବେ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଆଜି ଶୀର୍ଷ ନେତାମାନଙ୍କର ଏକ ବୈଠକ ପରେ ତାଲିବାନ ‌କେତେକ ପ୍ରମୁଖ ନିଯୁକ୍ତି ଦେଇଛି। ତାଲିବାନ ଆଫଗାନିସ୍ତାନରେ ଜଣେ ନୂଆ ଅର୍ଥମନ୍ତ୍ରୀ, ଗୁଇନ୍ଦା ମୁଖ୍ୟ ଏବଂ ଜଣେ କାର୍ଯ୍ୟକାରୀ ଆଭ୍ୟନ୍ତରୀଣ ମନ୍ତ୍ରୀଙ୍କୁ ନିଯୁକ୍ତି ଦେଇଛି। ଗୁଲ୍‌ ଆଘା ଅର୍ଥ ମନ୍ତ୍ରୀ ଏବଂ ସଦର ଇବ୍ରାହିମ କାର୍ଯ୍ୟକାରୀ ଆଭ୍ୟନ୍ତରୀଣ ମନ୍ତ୍ରୀ ହେବେ ବୋଲି ଆଜି ଘୋଷଣା ହୋଇଛି। ନଜିବୁଲ୍ଲାଙ୍କୁ ଗୁଇନ୍ଦା ମୁଖ୍ୟ ‌କରାଯାଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ମୁଲ୍ଲା ଶିରିନ କାବୁଲର ଗଭର୍ଣ୍ଣର ହେବେ ଏବଂ ହମଦୁଳ୍ଲା ନୋରମାନି କାବୁଲର ମେୟର ହେବେ ବୋଲି ତାଲିବାନ ପ୍ରବକ୍ତା କହିଛନ୍ତି।

ଏହା ସହିତ ସରକାର ଗଠନ ପ୍ରକ୍ରିୟାକୁ ଚୂଡ଼ାନ୍ତ ରୂପ ଦେବାପାଇଁ ତାଲିବାନ ୧୨ ଜଣିଆ ସଦସ୍ୟ ବିଶିଷ୍ଟ ଏକ ପରିଷଦ ଗଠନ କରିଛି। ଏହି ପରିଷଦ ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନର ଶାସନ ବ୍ୟବସ୍ଥାକୁ ପରିଚାଳନା କରିବ। ଉକ୍ତ ପରିଷଦ ପାଇଁ ୭ ଜଣ ସେମାନଙ୍କ ପଦବିରେ ରାଜି ଅଛନ୍ତି। ଅନ୍ୟ ୫ ଜଣଙ୍କୁ ନିଯୁକ୍ତି ପାଇଁ ବିଚାରବିମର୍ଶ ଜାରି ରହିଛି। ପରିଷଦରେ ପୂର୍ବତନ ଆଫଗାନ ରାଷ୍ଟ୍ରପତି ହମିଦ କରଜାଇ, ‘ହାଇ କାଉନସିଲ୍‌ ଫର୍‌ ନ୍ୟାସନାଲ ରିକନ୍‌ସିଲିଏସନ୍‌’ ମୁଖ୍ୟ ଅବଦୁଲ୍ଲା ଅବଦୁଲ୍ଲା ଏବଂ ତାଲିବାନ୍‌ର ସହ ପ୍ରତିଷ୍ଠାତା ଅବଦୁଲ ଗନି ବରାଦର ସାମିଲ ଅଛନ୍ତି।

ତାଲିବାନ ନେତାଙ୍କ ସହ ସିଆଇଏ ମୁଖ୍ୟଙ୍କ ଗୁପ୍ତ ବୈଠକ

ୱାସିଂଟନ୍‌: ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ମୁଖ୍ୟ ୱିଲିୟମ୍‌ ଜେ ବର୍ନ‌୍‌ସ ଗତକାଲି ତାଲିବାନ ନେତା ଅବଦୁଲ ଘନି ବରାଦରଙ୍କ ସହ କାବୁଲରେ ଏକ ଗୁପ୍ତ ବୈଠକ କରିଛନ୍ତି। ‘ୱାସିଂଟନ ପୋଷ୍ଟ’ ରିପୋର୍ଟରୁ ଏହା ଜଣାପଡ଼ିଛି। ଆଫଗାନିସ୍ତାନରେ ତାଲିବାନ ଶାସନ ଅକ୍ତିଆର କରିବାର ସପ୍ତାହକ ପରେ ଆମେରିକା ଏବଂ ତାଲିବାନ୍‌ ମଧ୍ୟରେ ଏହା ପ୍ରଥମ ଆଲୋ‌ଚନା ବୈଠକ। ସିଆଇଏ ପକ୍ଷରୁ ଏନେଇ କିଛି ସ୍ପଷ୍ଟ କରାଯାଇ ନଥିଲେ ମଧ୍ୟ ବୈଠକରେ ଆଗାମୀ ଅଗଷ୍ଟ ୩୧ ତାରିଖ ସୁଦ୍ଧା ସେନା ପ୍ରତ୍ୟାହାର ପାଇଁ ତାଲିବାନ ଦେଇଥିବା ଧମକ ନେଇ ଆଲୋଚନା ହୋଇଥିବା କୁହାଯାଉଛି। ଅଗଷ୍ଟ ୩୧ ସୁଦ୍ଧା ଆମେରିକା ଆଫଗାନିସ୍ତାନରୁ ଏହାର ସମସ୍ତ ନାଗରିକ ଏବଂ ସୈନିକଙ୍କୁ ଖାଲି ନକଲେ ପରିଣାମ ଭୋଗିବ ବୋଲି ତାଲିବାନ ଧମକ ଦେଇଥିଲା। କିନ୍ତୁ ବ୍ରିଟେନ୍‌, ଫ୍ରାନ୍ସ ସମେତ ବିଭିନ୍ନ ରାଷ୍ଟ୍ର ଏହା ସମ୍ଭବ ନୁହେଁ ବୋଲି କହିବା ସହ ଅଗଷ୍ଟ ୩୧ ପରେ ବି ଆଫଗାନିସ୍ତାନରେ ଆମେରିକାର ସୈନ୍ୟ ଉପସ୍ଥିତି ଜରୁରୀ ବୋଲି କୁହାଯାଇଥିଲା। ଆଜି ଅନୁଷ୍ଠିତ ଜି-୭ ବୈଠକରେ ମଧ୍ୟ ଏ ନେଇ ଆଲୋଚନା ହୋଇଛି। ବରାଦର ଏବଂ ସିଆଇଏ ମୁଖ୍ୟଙ୍କ ମଧ୍ୟରେ ହୋଇଥିବା ବୈଠକର ପରିଣାମ ଉପରେ ଅନେକ କିଛି ନିର୍ଭର କରୁଛି ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର