ପୁଟିନଙ୍କୁ ଗାଦିଚ୍ୟୁତ କରିବା ପ୍ରକ୍ରିୟା ଚାଲିଛି: ୟୁକ୍ରେନ୍‌

ପୁଟିନ କ୍ୟାନସର ଓ ପାର୍କିନସନ ରୋଗରେ ପୀଡ଼ିତ ଆଶଙ୍କା

କିବ୍: ୟୁକ୍ରେନ୍-ରୁଷ୍ ଯୁଦ୍ଧ ଚାଲିଥିବା ବେଳେ ୟୁକ୍ରେନ୍‌ର ଜଣେ ବରିଷ୍ଠ ସେନାଧିକାରୀ ମେଜର ଜେନେରାଲ କିରିଲୋ ବୁଡ଼ାନୋଭ ଦାବି କରିଛନ୍ତି ଯେ ‌ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଉ ବେଶି ଦିନ କ୍ଷମତାରେ ରହିପାରିବେ ନାହିଁ। ଏକ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ବୁଡ଼ାନୋଭ କରିଛନ୍ତି, ପୁଟିନଙ୍କୁ ଗାଦିଚ୍ୟୁତ କରିବା ପ୍ରକ୍ରିୟା ଚାଲିଛି ଏବଂ ତାହାକୁ କେହି ଅଟକାଇ ପାରିବେ ନାହିଁ। ସେ ପୂର୍ବାନୁମାନ କରିଛନ୍ତି ଯେ, ଅଗଷ୍ଟ ମଧ୍ୟଭାଗରେ ଯୁଦ୍ଧ ଏକ ଗୁରୁତ୍ବପୂର୍ଣ୍ଣ ମୋଡ଼ ନେବ ଏବଂ ବର୍ଷ ଶେଷ ସୁଦ୍ଧା ଯୁଦ୍ଧ ଶେଷ ହେବ। ଯଦି ରୁଷିଆ ଯୁଦ୍ଧରେ ହାରେ ତେବେ ପୁଟିନ ବିତାଡ଼ିତ ହେବେ ଏବଂ ରୁଷ୍‌ ଭୁଶୁଡ଼ିପଡ଼ିବ।

ବୁଡ଼ାନୋଭ କହିଥିଲେ ଯେ ପୁଟିନଙ୍କୁ ବିଦା କରିବା ପ୍ରକ୍ରିୟା ଚାଲିଛି। ସେ ପୁଣି ଦାବି କରିଥିଲେ ଯେ, ଭ୍ଲାଦିମିର ପୁଟିନ ଏବେ କ୍ୟାନସର ପରି ଭୟଙ୍କର ରୋଗରେ ପୀଡ଼ିତ। ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ତାଙ୍କର ରହିଛି। ସେ ଅତ୍ୟନ୍ତ ମାନସିକ ଓ ଶାରୀରିକ ଅସୁସ୍ଥତା ଦେଇ ଗତି କରୁଛନ୍ତି। ସେ ଇନ୍‌ଫର୍ମେସନ ୱାର (ସୂଚନା ଯୁଦ୍ଧ)ର ଅଂଶସ୍ବରୂପ ଏପରି ମିଥ୍ୟା ପ୍ରଚାର କରୁନାହାନ୍ତି କି ବୋଲି ପଚାରିବାରୁ ବୁଡ଼ାନୋଭ ତାହାକୁ ଅସ୍ବୀକାର କରିଥିଲେ। ସୂଚନାଯୋଗ୍ୟ, ଅନେକ ପ୍ରମୁଖ ପଶ୍ଚିମ ଗଣମାଧ୍ୟମ ରୁଷ୍‌ ବାବଦରେ ଲଗାତାର ମିଥ୍ୟା ଓ ବିଭ୍ରାନ୍ତିକର ଖବର ପ୍ରସାର କରୁଛନ୍ତି ଏବଂ ଏଥିରେ ଉତ୍ସାହିତ ହୋଇ ୟୁକ୍ରେନ୍‌ର ନେତା ଓ ସାମରିକ ଅଧିକାରୀମାନେ ବିଭ୍ରାନ୍ତି ସୃଷ୍ଟି କରିଚାଲିଛନ୍ତି।
ସୂଚନାଯୋଗ୍ୟ, ସମ୍ପ୍ରତି ପୁଟିନଙ୍କ ସ୍ବାସ୍ଥ୍ୟକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଉଛି। ସେ ଗୁରୁତର ଅସୁସ୍ଥ ଥିବା ନେଇ ଅନେକ ରିପୋର୍ଟ ପ୍ରକାଶ ପାଇଲାଣି। ବେଲାରୁଷର ନେତା ଆଲେକ୍‌ଜାଣ୍ଡର ଲୁକାସେଙ୍କୋଙ୍କୁ ସ୍ବାଗତ କଲାବେଳେ ସେ ଥରୁଥିବାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଘୂରିବୁଲୁଛି। ଏହାକୁ ଦେଖି ସେ ପାର୍କିନସନ ରୋଗରେ ପୀଡ଼ିତ ଥିବା ଅନେକ ଅନୁମାନ କରୁଛନ୍ତି। ପୁଟିନଙ୍କ ସ୍ବାସ୍ଥ୍ୟକୁ ନେଇ ଏତେ ରିପୋର୍ଟ ବାହାରିଲା ପରେ ଏହା ଉପରେ କ୍ରେମଲିନ କିଛି ମନ୍ତବ୍ୟ ବା ସ୍ପଷ୍ଟୀକରଣ ଦେଇନାହିଁ।

ସମ୍ବନ୍ଧିତ ଖବର