ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ସଂସଦର ସ୍ବତନ୍ତ୍ର ଅଧିବେଶନ ବସିବ। ଏହି ଅଧିବେଶନରେ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ୍‌ ଆଗତ ହେବ। ‘ଇଣ୍ଡିଆ’ ନାମ ପରିବର୍ତ୍ତନ କରି ‘ଭାରତ’ ନାମରେ ନାମିତ କରିବାପାଇଁ ବି ଏହି ସ୍ବତନ୍ତ୍ର ଅଧିବେଶନରେ ପ୍ରସ୍ତାବ ଆସିପାରେ। ‌ଦେଶର ସମ୍ବିଧାନ ଏବେ ଦେଶକୁ ‘ଇଣ୍ଡିଆ ଦାଟ୍‌ ଇଜ୍‌ ଭାରତ....’ ତଥା ଇଣ୍ଡିଆ ଯାହା ଭାରତ...‌ ବୋଲି କହୁଛି। କିନ୍ତୁ ସମ୍ବିଧାନରେ ସଂଶୋଧନ ଆଣି ‘ଇଣ୍ଡିଆ’ ନାମ ପରିବର୍ତ୍ତନ କରି ‘ଭାରତ’ କରିବାପାଇଁ ଏବେ ଦାବି ଜୋର ଧରିଲାଣି। ତେଣୁ କେନ୍ଦ୍ର ସରକାର ଏଥିପାଇଁ ପ୍ରସ୍ତାବ ଆଣିପାରନ୍ତି। ଆରଏସଏସ (ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ) ମୁଖ୍ୟ ମୋହନ ଭାଗବତଙ୍କ ସମେତ ଅନେକ ପ୍ରମୁଖ ବ୍ୟକ୍ତି ଏହି ପରିବର୍ତ୍ତନ ପାଇଁ ସମର୍ଥନ କରିଛନ୍ତି। ଭାଗବତ ମଧ୍ୟ ପୂର୍ବରୁ ଲୋକଙ୍କୁ ‘ଇଣ୍ଡିଆ’ ପରିବର୍ତ୍ତେ ‘ଭାରତ’ କହିବାପାଇଁ ଅନୁରୋଧ କରିଥିଲେ। ଭାଗବତ କହିଛନ୍ତି, ଦୀର୍ଘ ଶତାବ୍ଦୀ ଧରି ଦେଶ ‘ଭାରତ’ ଭାବେ ଜଣାଶୁଣା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଗତ ଅଗଷ୍ଟ ୧୫ରେ ଲାଲ୍‌କିଲାରେ ଏହି ସମାନ ଭାବନା ରଖିଥିଲେ। ସେହିପରି ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ନେବା ଆଣିବା କରୁଥିବା ସ୍ବତନ୍ତ୍ର ବିମାନରେ ବି ‘ଭାରତ’ ଲେଖା ଅଛି।

Advertisment

ନିକଟରେ ଶେଷ ହୋଇଥିବା ସଂସଦର ମୌସୁମୀ ଅଧିବେଶନରେ ବିଜେପି ରାଜ୍ୟସଭା ସାଂସଦ ନରେଶ ବନ୍‌ସଲ ସମ୍ବିଧାନରୁ ‘ଇଣ୍ଡିଆ’ ଶବ୍ଦ ହଟାଇବାପାଇଁ ଦାବି କରିଥିଲେ। ଏହା ଉପନିବେଶୀୟ ଦାସତ୍ବର ପ୍ରତୀକ ବୋଲି ସେ କହିଥିଲେ। ବିଜେପି ସାଂସଦ ହରନାଥ ସିଂହ ଯାଦବ ମଧ୍ୟ ଏହି ସମାନ କଥା କହିଥିଲେ। ‘ଇଣ୍ଡିଆ’ ନାମକୁ ଭାରତ କରିବାପାଇଁ ସେ ସମ୍ବିଧାନରେ ସଂଶୋଧନ ଆଣିବାକୁ ଦାବି କରିଥିଲେ। ଇତିମଧ୍ୟରେ ଜି-୨୦ ପ୍ରତିନିଧିମାନଙ୍କୁ ରାଷ୍ଟ୍ରପତି ଭବନ ପକ୍ଷରୁ କରାଯାଇଥିବା ନିମନ୍ତ୍ରଣରେ ‘ପ୍ରେସିଡେଣ୍ଟ୍‌ ଅଫ୍‌ ଭାରତ’ ଲେଖାଯାଇଛି। ଏହି ପ୍ରସଙ୍ଗରେ ବି ସରକାର ଏବଂ ବିରୋଧୀ ମୁହାଁମୁହିଁ ହୋଇଛନ୍ତି।