କେନ୍ଦ୍ର ସରକାରଙ୍କ ନିକଟରେ ଅଟକିଛି କଲେଜିୟମ୍‌ଙ୍କ ପ୍ରସ୍ତାବ: କାର୍ଯ୍ୟକାରୀ ହୋଇପାରୁନି ଓଡ଼ିଶା ସମ୍ପର୍କିତ ସୁପାରିସ

ନୂଆଦିଲ୍ଲୀ : ହାଇକୋର୍ଟଗୁଡ଼ିକରେ ବିଚାରପତି ନିଯୁକ୍ତି ପ୍ରକ୍ରିୟା ବିଳମ୍ବକୁ ନେଇ ଗତକାଲି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ସଂଜୟ କିଷନ କୌଲ ଏବଂ ବିଚାରପତି ଜଷ୍ଟିସ ଅଭୟ ଶ୍ରୀନିବାସ ଓକାଙ୍କ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ପରିପେକ୍ଷୀରେ ସୁପ୍ରିମକୋର୍ଟ କ‌ଲେଜିୟମ ଦ୍ବାରା କେନ୍ଦ୍ର ସରକାରଙ୍କୁ ହାଇକୋର୍ଟ ବିଚାରପତିଙ୍କ ନିଯୁକ୍ତି, ପଦୋନ୍ନତି ଓ ବଦଳି ସଂପର୍କିତ କରାଯାଇଥିବା ସୁପାରିସଗୁଡ଼ିକ ଚର୍ଚ୍ଚା ପରିସରକୁ ଆସିଛି। କଲେଜିୟମଙ୍କ ଦ୍ବାରା କରାଯାଇଥିବା ଅନେକ ସୁପାରିସ ଏବେ ବି କେନ୍ଦ୍ର ସରକାରଙ୍କ ନିକଟରେ ବିଚାରାଧୀନ ଅଛି। ଏଥିରେ ଓଡ଼ିଶା ସମ୍ପର୍କିତ କିଛି ପ୍ରସ୍ତାବ ମଧ୍ୟ ରହିଛି।

ତତ୍କାଳୀନ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ କଲେଜିୟମ ଜୁଲାଇ ୨୫, ୨୦୨୨ରେ ଦୁଇ ଜଣ ବିଚାର ବିଭାଗୀୟ ଅଧିକାରୀ ଗୌରୀଶଙ୍କର ଶତପଥୀ ଓ ଚିତ୍ତରଂଜନ ଦାଶ ଏବଂ ଆଇନଜୀବୀ ସୁମନ ପଟ୍ଟନାୟକଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ନିଯୁକ୍ତି ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ। ଅଗଷ୍ଟ ୧୨,୨୦୨୨ରେ ଗୌରୀଶଙ୍କର ଶତପଥୀ ଓ ଚିତ୍ତରଂଜନ ଦାଶଙ୍କୁ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା। ଆଇନଜୀବୀ ସୁମନ ପଟ୍ଟନାୟକଙ୍କୁ ବିଚାରପତି ଭାବେ ନିଯୁକ୍ତି ନେଇ କଲେଜିୟମଙ୍କ ସୁପାରିସ ଏବେ‌ବି କେନ୍ଦ୍ର ସରକାରଙ୍କ ପାଖରେ ବିଚାରାଧୀନ ରହିଛି। ସେହିଭଳି ପୂର୍ବତନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତଙ୍କ ଅଧ୍ୟକ୍ଷତାରେ ଗଠିତ ଛଅ ଜଣିଆ କଲେଜିୟମ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍ ମୁରଲୀଧରଙ୍କୁ ମାଡ୍ରାସ ହାଇକୋର୍ଟକୁ ବଦଳି ପାଇଁ ସେପ୍ଟେମ୍ବର ୨୮, ୨୦୨୨ରେ କରାଯାଇଥିବା ସୁପାରିସ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାରଙ୍କ ଅନୁମୋଦନ ଲାଭ କରିନାହିଁ।

ସେହିଭଳି ଓଡ଼ିଶା ହାଇକୋର୍ଟରୁ ବିଚାରପତି ଜଷ୍ଟିସ ମିଶ୍ରଙ୍କୁ ଉତ୍ତରାଖଣ୍ଡ ହାଇକୋର୍ଟକୁ ବଦଳି କରାଯାଇଥିଲା। ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ୮ ଅକ୍ଟୋବର ୨୦୨୧ରେ ଦାୟିତ୍ବ ଗ୍ରହଣ କରିଥିବା ଜଷ୍ଟିସ୍‌ ଯଶୱନ୍ତ ସିଂହଙ୍କୁ ପଦୋନ୍ନତି ଦିଆଯାଇ ସେପ୍ଟେମ୍ବର ୨୮, ୨୦୨୨ରେ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ ପୂର୍ବତନ ପ୍ରଧାନ ବିଚାରପତି ଜିଷ୍ଟିସ୍‌ ଲଳିତଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ। ଏହା ମଧ୍ୟ ଅଟକି ରହିଛି। ନିଯୁକ୍ତି ଓ ବଦଳି ପ୍ରସଙ୍ଗରେ ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିସଗୁଡ଼ିକୁ କେନ୍ଦ୍ର ସରକାର ଏକ ନିର୍ଦ୍ଦିଷ୍ଟ ସମୟ ଅବଧି ମଧ୍ୟରେ ନିଷ୍ପତ୍ତି ନେବାର ବାଧ୍ୟବାଧକତା ନାହିଁ। ତେବେ ପୂର୍ବରୁ ସୁପାରିସଗୁଡ଼ିକୁ ୩ରୁ ୪ ସପ୍ତାହ ମଧ୍ୟରେ କେନ୍ଦ୍ର ସରକାର ଅନୁମୋଦନ ଦେଉଥିଲେ।

ସମ୍ବନ୍ଧିତ ଖବର