ପଞ୍ଜାବ କଂଗ୍ରେସ ଅଡ଼ୁଆ ବଢ଼ାଇଲେ ଜାଖର: ଚନ୍ନିଙ୍କ ପଛରେ କେବଳ ୨ ବିଧାୟକ, ସିଦ୍ଧୁଙ୍କ ପଛରେ ୬ବିଧାୟକଙ୍କ ସମର୍ଥନ ଥିଲା

ବଥିନ୍ଦା : ପଂଜାବ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ସେ ନେଇ ବିବାଦ ତୁଟୁନଥିବା ବେଳେ ଆଜି ପୂର୍ବତନ ରାଜ୍ୟ କଂଗ୍ରେସ ମୁଖ୍ୟ ସୁନିଲ ଜାଖରଙ୍କ ବୟାନ ଦଳୀୟ କନ୍ଦଳକୁ ଆହୁରି ତୀବ୍ର କରିଛି। ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ପଂଜାବ କଂଗ୍ରେସ ପକ୍ଷରୁ ଏଯାଏଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ହୋଇନି। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦୌଡ଼ରେ ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଏବଂ ପଂଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ଅଛନ୍ତି। ବରିଷ୍ଠ ନେତା ଜାଖରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦୌଡ଼ରୁ ବାଦ୍‌ ଦିଆଯାଇଛି।

ପୂର୍ବତନ ପଂଜାବ କଂଗ୍ରେସ ସଭାପତି ଜାଖର ଆଜି ଚନ୍ନିଙ୍କୁ ନେଇ ଚକିତକାରୀ ତଥ୍ୟ ପ୍ରଘଟ କରିଛନ୍ତି। ଜାଖରଙ୍କର ଏହି ତଥ୍ୟ ପ୍ରକାଶ ସହ ପଂଜାବ କଂଗ୍ରେସ‌ରେ ନୂଆ ସଙ୍କଟ ଆରମ୍ଭ ହୋଇଯାଇଛି। ଜାଖର କହିଛନ୍ତି କ୍ୟାପଟେନ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ପଂଜାବ କଂଗ୍ରେସର ୭୯ ବିଧାୟକଙ୍କ ମଧ୍ୟରୁ ୪୨ ଜଣ ମତେ ମୁଖ୍ୟମନ୍ତ୍ରୀ କରାଯିବାକୁ ସମର୍ଥନ କରୁଥିଲେ। ଚନ୍ନିଙ୍କ ସପକ୍ଷରେ ମାତ୍ର ୨ ଜଣ ବିଧାୟକ ଥିବା ବେଳେ ସୁଖଜିନ୍ଦର ସିଂହ ରନ୍ଧୱାଙ୍କ ପ୍ରତି ୧୬ ବିଧାୟକଙ୍କ ସମର୍ଥନ ଥିଲା। ମାତ୍ର ୨ ଜଣ ବିଧାୟକଙ୍କ ସମର୍ଥନ ସହ ମୁଖ୍ୟମନ୍ତ୍ରୀ ହେବାପାଇଁ ଚନ୍ନି ଚାହୁଥିଲେ ଏବଂ ଏହାକୁ କଂଗ୍ରେସ ହାଇକମାଣ୍ଡ ସମର୍ଥନ କରିଥିଲେ। ନବଜୋତ ସିଂହ ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ମାତ୍ର ୬ ବିଧାୟକ ଚାହୁଥିଲେ। ଜାଖର ଆଜି ଆବୋହର ନିର୍ବାଚନ ମଣ୍ଡଳିରେ ଚାଲିଥିବା ଏକ ଦଳୀୟ ବୈଠକରେ ଏଭଳି ଟିପ୍ପଣୀ ରଖିଛନ୍ତି। ଏହି ଆସନରେ ଜାଖରଙ୍କ ପୁତୁରା ନିର୍ବାଚନ ଲଢ଼ୁଛନ୍ତି। ଅମରିନ୍ଦରଙ୍କ ପରେ ମୁଖ୍ୟମନ୍ତ୍ରୀ ହେବାପାଇଁ ମୁ ହିଁ ପ୍ରଥମ ପସନ୍ଦ ଥିଲେ ବୋଲି ଜାଖର ଦାବି କରିଛନ୍ତି। ତେବେ ଦଳ ତାଙ୍କୁ କାହିଁକି ବାଛିଲାନି ବୋଲି ପ୍ରଶ୍ନ କରାଯିବାରୁ ଜାଖର କହିଛନ୍ତି, ଯଦିଓ କଂଗ୍ରେସ ଏକ ଧର୍ମନିରପେକ୍ଷ ଦଳ, କିନ୍ତୁ ଜଣେ ଶିଖ୍‌ ହିଁ କେବଳ ପଂଜାବର ମୁଖ୍ୟମନ୍ତ୍ରୀ ହୋଇପାରିବେ ବୋଲି ଧାରଣା ସୃଷ୍ଟି କରାଯାଇଛି। ପଂଜାବ ଏବଂ ଦିଲ୍ଲୀର କିଛି ନେତା ଏହି ନିଷ୍ପତ୍ତି ନେଉଛନ୍ତି। ଜାଖର କହିଛନ୍ତି, ମୁଁ ଶିଖ୍‌ ହୋଇନଥିବାରୁ ମତେ ବିଚାରକୁ ନିଆଯାଇନି। ଉପମୁଖ୍ୟମନ୍ତ୍ରୀ ହେବାପାଇଁ ମତେ କୁହାଯିବାରୁ ମୁଁ ଏହାକୁ ପ୍ରତ୍ୟାଖ୍ୟା କରିଥିଲି ବୋଲି ଜାଖର କହିଛନ୍ତି।

ସମ୍ବନ୍ଧିତ ଖବର