ଭାରତୀୟ ଅଞ୍ଚଳକୁ ନେପାଳ ମାନଚିତ୍ରରେ ଦେଖାଇବାର ଅସଲ କାରଣ

ନୂଆଦିଲ୍ଲୀ: ଲିପୁଲେଖ, ଲିପ୍ୟାଧୁରା ଓ କାଲାପାନିକୁ ନେପାଳ ମାନଚିତ୍ରରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ସାମିଲ କରିବାଟା ଥିଲା ଏକ ଘରୋ଼ଇ ରାଜୀନତିକ ବାଧ୍ୟବା଼ଧକତାର ଏକ ଅଂଶ। ଏହାର ପୃଷ୍ଠଭୂମିରେ ଚୀନ୍‌ର ଭିତିରି ଭୂମିକା ରହିଛି। ଭାରତର ଏହି ସ୍ଥାନଗୁଡ଼ିକ ଉତ୍ତରାଖଣ୍ଡ ରାଜ୍ୟରେ ରହିଥିବା ବେଳେ ନେପାଳ ଏଗୁଡ଼ିକୁ ଦରଚୁଲା ଜିଲ୍ଲାର ବ୍ୟାସ (ଭାରତରେ ଯାହା ବ୍ୟାଂସ) ଗ୍ରାମୀଣ ପୌରପାଳିକା ଅଧୀନରେ ରଖି ଦର୍ଶାଇଛି। ବୁଧବାର ଏହି ବିବାଦୀୟ ମାନଚିତ୍ର ଜାରି କରାଯିବା ପ୍ରସଙ୍ଗ ଉପରେ ନେପାଳର କେନ୍ଦ୍ର ମନ୍ତ୍ରୀ ପଦ୍ମା କୁମାର ଆର୍ୟାଲ କହିଛନ୍ତି ଯେ ଭାରତ ଏହାକୁ ସକାରାତ୍ମକ ଭାବେ ନେବ। ସୀମା ବିବାଦରେ ଏହା ଏକ ଅସ୍ୱାଭାବିକ ସ୍ଥିତି ହୋଇଥିଲେ ବି ସକାରାତ୍ମକ ଭାବେ ନେବାକୁ ହେବ। ଏବେ ନେପାଳ କମ୍ୟୁନିଷ୍ଟ ପାର୍ଟି (ଏଦ୍‌ସିପି) ଦ୍ୱାରା ନେପାଳ ଶାସିତ ଏବଂ ଗତ ସପ୍ତାହରେ ଏହି ଦଳକୁ ଦୁଇ ବର୍ଷ ପୂରିଛି। ଚୀନ୍‌ର ଶାସକ କମ୍ୟୁନିଷ୍ଟ ପାର୍ଟି ଇସାରାରେ ନେପାଳର ଦୁଇ କମ୍ୟୁନିଷ୍ଟ ପାର୍ଟି ମାର୍କସବାଦୀ-ଲେନିନ୍‌ବାଦୀ ଏବଂ ମାଓବାଦୀ, ଦୁଇଟିଯାକ ମିଳିତ ହୋଇ ଏହି ପ୍ରଭାବଶାଳୀ ଏନ୍‌ସିପି ସୃଷ୍ଟି ହୋଇଛି। ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ତାଙ୍କର ଗାଦିର ଆପୋସ ବିନିମୟ କରୁଛନ୍ତି ନେପାଳ କମ୍ୟୁନିଷ୍ଟ ପାର୍ଟିର ପୁଷ୍ପ କୁମାର ଦହଲଙ୍କ ସହ, ଯିଏ ପ୍ରଚଣ୍ଡ ନାମରେ ବିଖ୍ୟାତ। ୨୦୧୭ରେ ନିର୍ବାଚିତ ହୋଇ ଓଲି ପ୍ରଧାନମନ୍ତ୍ରୀ ହେବାଟା ଥିଲା ଦୁଇ କମ୍ୟୁନିଷ୍ଟ ପାର୍ଟି ମଧ୍ୟରେ ଏକ ବୁଝାମଣା। ଦେଶରେ ମାଓବାଦୀ ପ୍ରଧାନମନ୍ତ୍ରୀ ପଦ ପାଇଁ ଚାପ ପଡ଼ୁଥିବାରୁ ଓଲିଙ୍କ ଗାଦି ସୁରକ୍ଷିତ ନୁହେଁ। କୋଭିଡ୍‌-୧୯ ବ୍ୟାପିବା କାଳରେ ଓଲି ସରକାରର ବିଫଳତା ସତ୍ତ୍ୱେ ସେ ଗାଦି ଛାଡ଼ିବାକୁ ଚାହାନ୍ତି ନାହିଁ। ସେଥିପାଇଁ ଏପ୍ରିଲ୍‌ ୨୦ରେ ଦୁଇଟି ଅଧ୍ୟାଦେଶ ଜାରି କରିଛନ୍ତି, ଯାହାକି କୋଭିଡ୍-୧୯ ରଣନୀତି ନୁହେଁ।

ତାହା ଥିଲା ରାଜନୀତିକ ଦଳ ଅଧିନିୟମ, ଯାହା ଦ୍ୱାରା ଏକ ରାଜନୀତିକ ଦଳକୁ ସହଜରେ ଖଣ୍ଡ ଖଣ୍ଡ କରାଯାଇପାରିବ। ସେହି ଅଧ୍ୟାଦେଶ ନେପାଳ ରାଷ୍ଟ୍ରପତିଙ୍କ ଦ୍ୱାରା ଅନୁମୋଦିତ ହୋଇଥିଲା। ଏହା ପରେ ହିଁ ସବୁ ପାଲା ଆରମ୍ଭ ହୋଇଯାଇଥିଲା। ବିଦ୍ରୋହୀ ଗୋଷ୍ଠୀ ପଟେ ପ୍ରଚଣ୍ଡ ଠିଆ ହୋଇଥିଲେ। ଏହି ସମୟରେ ଚୀନ୍‌ ରାଷ୍ଟ୍ରଦୂତ ଉଭୟ ଗୋଷ୍ଠୀ ମଧ୍ୟରେ ବାରମ୍ବାର ବୈଠକ କରିଥିଲେ ଏବଂ ରାଷ୍ଟ୍ରପତି ଭଣ୍ଡାରୀଙ୍କ ସହ ମଧ୍ୟ ଆଲୋଚନା କରି ଏକ ବୁଝାମଣା କରିଥିଲେ। କିନ୍ତୁ ଜନମତ ଯାଇଥିଲା ସରକାରଙ୍କ ବିରୋଧରେ। ତେଣୁ ଓଲିଙ୍କ ମୁଣ୍ଡରେ ପଶିଥିଲା ଭାରତ ବିରୋଧୀ କିଛି ଗୋଟେ କରିଦେଇ ଦେଶବାସୀଙ୍କ ଧ୍ୟାନ ବଦଳାଇବା। ଭାରତ ତୁରନ୍ତ ଲିପୁଲେଖ ପାସ୍‌ ଦେଇ କୈଳାସ ମାନସରୋବର ରୁଟ୍‌ ଖୋଲିଥିଲା। ଲଞ୍ଚିଙ୍ଗ୍‌ ପ୍ୟାଡ୍‌ ଦର୍ଶାଇ ଭାରତ ନିଜର ମାନଚିତ୍ର ଜାରି କରିଥିଲା। ୬ ମାସ ପରେ ଏବେ ନେପାଳ ଏ କାଣ୍ଡ କରିଛି। ତେବେ କାଲାପାନି ୬୦ ବର୍ଷ ପୂର୍ବରୁ ନେପାଳର ଜନଗଣନାରେ ସ୍ଥାନ ପାଇଥିବା ବେଳେ ୧୯୬୨ରେ ନେପାଳ ରାଜା ମହେନ୍ଦ୍ର ବିକ୍ରମ ଶାହ ଦେବ ତାହାକୁ ଭାରତକୁ ଦାନ କରିଦେଇଥିଲେ। ଉଦ୍ଦେଶ୍ୟ ଥିଲା ଭାରତ-ଚୀନ୍‌ ଯୁଦ୍ଧରେ ଚୀନ୍‌ ଆଉ ଭାରତକୁ ଯେପରି ପଶି ନଆସିବ। ଏପରିକି ୧୮୧୬ରେ ସୁଗାଉଲି ରାଜିନାମା ସ୍ୱାକ୍ଷର କରିଥିଲା ଇଷ୍ଟ ଇଣ୍ଡିଆ କମ୍ପାନି, ନେପାଳର ରାଜାଙ୍କ ସହ ଯେପରିକି ଭାରତ-ନେପାଳ ସୀମାକୁ ଜଗିବା ସହଜ ହୋଇପାରିବ। ସେହି ସମଗ୍ର ଅଂଚଳ ବିବାଦୀୟ ଥିବା ବେଳେ ଚୀନ୍‌ ଅଧିକ ଆଗ୍ରହ ପ୍ରକାଶ କରୁଛି, ଏଥିରେ ଘିଅ ଢାଳିବା ପାଇଁ। କାରଣ ୨୦୧୫ରେ ନେପାଳ ବିଦେଶ ମନ୍ତ୍ରୀ ମହେନ୍ଦ୍ର ବାହାଦୁର ପାଣ୍ଡେ ଦାବି କରିଥିଲେ ଯେ କାଲାପାନିକୁ ଭାରତକୁ ଦାନ କରାଯାଇଥିଲା। ଜାରି ହୋଇଥିବା ନୂଆ ମାନଚିତ୍ରରେ ମୂଳ ପରିସ୍ଥିତି ବଦଳି ନାହିଁ।

ସମ୍ବନ୍ଧିତ ଖବର