ଭାଇରାଲ ଭିଡିଓ ପଛର ସତ କାହାଣୀ : ବସ୍‌ ଚାଳକଙ୍କ ଉଚିତ୍‌ ଜବାବ ଦେବାକୁ ନୁହେଁ ଏହି କାରଣରୁ ରାସ୍ତା ମଝିରେ ଠିଆ ହୋଇ ଯାଇଥିଲେ ମହିଳା

ଥିରୁବନନ୍ତପୁରମ୍‌ : କିଛି ଦିନ ତଳେ କେରଳର ଘଟିଥିବା ଏକ ଘଟଣାର ଭିଡିଓ ଭାଇରାଲ ହୋଇଥିଲା । ଭିଡିଓ ସେୟାର କରାଯିବାର କିଛି ସମୟ ମଧ୍ୟରେ ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ ହୋଇଥିବା ବେଳେ ମହିଳାଜଣଙ୍କ ଭିଡିଓରେ ଏକ ବସ୍‌ ଆଗରେ ଠିଆ ହୋଇଥିବାର ଦେଖିବାକୁ ମିଳିଥିଲା । ପ୍ରଥମେ ମହିଳା କ’ଣ ପାଇଁ ଏଭଳି ଠିଆ ହୋଇଛନ୍ତି ବୋଲି କେହି ଜାଣି ପାରୁ ନଥିବା ବେଳେ ପରେ ଭିଡିଓର କ୍ୟାପ୍‌ସନ୍‌ରୁ ବସ୍‌ ଚାଳକଙ୍କୁ ଉଚିତ୍‌ ଜବାବ ଦେବା ପାଇଁ ସେ ଏଭଳି କରିଥିବା ଜଣା ପଡ଼ିଥିଲା । କିନ୍ତୁ ଏବେ ସ୍କୁଟି ଚଳାଉଥିବା ମହିଳା କିଛି ଅଲଗା କାହାଣୀ ଜଣାଇଛନ୍ତି । ଡ଼ରରେ ସେ ରାସ୍ତା ମଝିରେ ଠିଆ ହୋଇ ଯାଇଥିଲେ ଏବଂ ବସ୍‌କୁ ଆଗରୁ ଆସୁଥିବା ଦେଖି ସେ ଡ଼ରରେ ଆଗକୁ ଯାଇ ପାରି ନଥିଲେ ବୋଲି କହିଛନ୍ତି ।

ନିଉ ଇଣ୍ଡିଆ ଏକ୍ସପ୍ରେସ୍‌କୁ ସାକ୍ଷାତକାର ଦେଇ ସୂର୍ଯ୍ୟା ମନିଷ କହିଛନ୍ତି, ସେ ସମୟରେ ମୁଁ ଡ଼ରରେ ସ୍ଥାଣୁ ହୋଇ ଠିଆ ହୋଇ ଯାଇଥିଲି । ରାସ୍ତା କଡ଼ରେ ସ୍କୁଲ ବସ୍‌ ପାର୍କ କରାଯାଇଥିଲା । ଯାହା ପାଇଁ ମୁଁ ମୋ ଗାଡ଼ି ବୁଲାଇବା ପାଇଁ ଜାଗା ପାଇ ନଥିଲି । ଯେତେବେଳେ ସ୍କୁଲ ବସ୍‌ଟି ଆଗକୁ ବଢ଼ିଥିଲା ସେତେବେଳେ ମୁଁ ଆଗକୁ ଯିବା ପାଇଁ ବାଟ ପାଇଥିଲି । କିନ୍ତୁ ଏହି ସମୟରେ ଆଗପଟୁ ଦ୍ରୁତ ଗତିରେ ବସ୍‌ଟି ମୋ ଆଡ଼କୁ ମାଡ଼ି ଆସିଥିଲା । ବସ୍‌କୁ ଦେଖି ଡ଼ରରେ ମୁଁ ବସ୍‌ ଆଗରେ ଠିଆ ହୋଇ ଯାଇଥିଲି । କିନ୍ତୁ ବସ୍‌ ଚାଳକଙ୍କ ଉପସ୍ଥିତ ବୁଦ୍ଧି ପାଇଁ ମୋ ଜୀବନ ବଞ୍ଚି ପାରିଥିଲା ।

ସମ୍ବନ୍ଧିତ ଖବର