ୟୁକ୍ରେନ୍ ରୁଷ୍‌ର ଅଗ୍ରଗତିକୁ ଏଯାଏ ରୋକିପାରିବାର କାରଣ

ପ୍ୟାରିସ୍ ରୁଷିଆ ୟୁକ୍ରେନ୍ ଆକ୍ରମଣ କରିବାର ଇତିମଧ୍ୟରେ ୧୨ ଦିନ ବିତିଲାଣି ଅଥଚ ନିଜଠାରୁ ବହୁଗୁଣ ଶକ୍ତିଶାଳୀ ଏକ ସେନାକୁ ୟୁକ୍ରେନ୍ ଆଜିଯାଏ ରାଜଧାନୀ ଦଖଲ କରିବାରୁ ରୋକିପାରିଛି। ଏଥିପାଇଁ ବିଶ୍ଳେଷକମାନେ ୟୁକ୍ରେନ୍‌ର ଉତ୍ତମ ପ୍ରସ୍ତୁତି, ଜାତୀୟ ଏକତା ଓ ରୁଷୀୟ ତ୍ରୁଟିବିଚ୍ୟୁତିକୁ ଦାୟୀ କରିଛନ୍ତି। ତେବେ ସେ ଓ ତାଙ୍କ ଲକ୍ଷ୍ୟ ମଝିକୁ କେହି ଆସିପାରିବେ ନାହିଁ ବୋଲି ଭ୍ଲାଦିମିର ପୁଟିନ ବାରମ୍ବାର କହୁଥିବା ବେଳେ ଆଗକୁ କ’ଣ ହେବ ଏବେଠୁ କହିବା କଷ୍ଟକର। ଫ୍ରାନ୍ସର ଜନୈକ ବରିଷ୍ଠ ସେନାଧିକାରୀ କହିଛନ୍ତି ଯେ ରୁଷ୍ ସେନା କିବ୍ ଦଖଲ କରିବା ପାଇଁ ଯେଉଁଭଳି ଭାବେ ଆଗେଇବା କଥା ଆଗେଇପାରୁ ନାହାନ୍ତି। ସେମାନଙ୍କ ମନ୍ଥର ଅଗ୍ରଗତିର ସେ କେତେକ କାରଣ ଉଲ୍ଲେଖ କରିଛନ୍ତି। ୨୦୧୪ରେ ରୁଷିଆ ୟୁକ୍ରେନୀୟ ଉପଦ୍ବୀପ କ୍ରିମିଆକୁ ବିଜୁଳି ବେଗରେ ଦଖଲ କରି ନିଜ ଦେଶ ସହ ମିଶେଇଦେଲା। ତା’ପରେ ପାଶ୍ଚାତ୍ୟର ସହଯୋଗରେ ୟୁକ୍ରେନ୍ ନିଜ ସାମରିକ ଶକ୍ତିର ଢେର ବୃଦ୍ଧି କରିପାରିଛି। ୨୦୧୬ରେ ନାଟୋ ଓ କିବ୍ ୟୁକ୍ରେନୀୟ ସ୍ବତନ୍ତ୍ର ବାହିନୀ ପାଇଁ ଏକ ତାଲିମ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏବେ ସେମାନଙ୍କ ସଂଖ୍ୟା ୨୦୦୦ ଅଛି। ଗତ ଆଠବର୍ଷ ହେଲା ୟୁକ୍ରେନୀୟମାନେ ସମ୍ଭାବ୍ୟ ରୁଷ୍ ଆକ୍ରମଣର ପ୍ରତିରୋଧ ପାଇଁ ଯୋଜନା ପ୍ରସ୍ତୁତି, ତାଲିମ ଏବଂ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହେବାରେ ଲାଗିଥିଲେ ବୋଲି ଜର୍ଜଟାଉନ ୟୁନିଭର୍ସିଟିର ପ୍ରଫେସର ଡଗଲାସ ଲଣ୍ଡନ କହିଛନ୍ତି।

ପୂର୍ବ ସୋଭିଏତ ଅମଳରେ ୟୁକ୍ରେନ୍ ଯାହା ଥିଲା, ରୁଷିଆ ତା’ରି ସହ ପରିଚିତ। ଏହା ଭିତରେ ୟୁକ୍ରେନ୍ କେତେ ଆଗେଇ ଗଲାଣି, ଯାହା ରୁଷିଆକୁ ଜଣାନାହିଁ। ତେଣୁ ୟୁକ୍ରେନ୍‌କୁ ଅତି ଦୁର୍ବଳ ମନେ କରିବା ସେମାନଙ୍କର ଗୋଟିଏ ଭୁଲ୍। ଗଳିକନ୍ଦି, ରାସ୍ତାଘାଟ ବିଷୟରେ ୟୁକ୍ରେନୀୟମାନେ ଯେତିକି ଅବଗତ, ରୁଷ୍ ସେନା ନୁହନ୍ତି। ୟୁକ୍ରେନୀୟଙ୍କ ଏହି ସ୍ଥାନୀୟ ଅଞ୍ଚଳର ଜ୍ଞାନ ସେମାନଙ୍କୁ ବେଶ୍ ସହାୟକ ହୋଇଛି। ପ୍ରତ୍ୟେକ କୋଣ ଓ ଛକଜାଗାରେ ରୁଷ୍ ସେନା ଅସୁବିଧାରେ ପଡ଼ିବା ସ୍ବାଭାବିକ। ରାଷ୍ଟ୍ରପତି ବଲଡିମିର ଜେଲେନ୍‌ସ୍କିଙ୍କ ନେତୃତ୍ବରେ ୟୁକ୍ରେନୀୟମାନଙ୍କ ଭିତରେ ଏକତା ଓ ଦେଶପ୍ରେମ ବୃଦ୍ଧି ପାଇଛି। ଜୀବନ ପ୍ରତି ବିପଦ ଥିବା ସତ୍ତ୍ବେ ଜେଲେନ୍‌ସ୍କି କିବ୍ ଛାଡ଼ି ଯାଉ ନ ଥିବା ବେଳେ ୟୁକ୍ରେନୀୟମାନେ ପ୍ରତିକୂଳତାର ମୁକାବିଲା କରିବାକୁ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ସାଧାରଣ ନାଗରିକମାନେ ନିଜ ପରିବାର ସୁରକ୍ଷିତ ଭାବେ ବାହାର ଦେଶକୁ ପଳାଇବା ପରେ ବନ୍ଧୁକ ଧରି ରୁଷ୍ ସେନା ସହ ଲଢ଼ିବା ପାଇଁ ସ୍ବେଚ୍ଛାକୃତ ଭାବେ ଆଗେଇ ଆସୁଛନ୍ତି। ଏହି ସ୍ବେଚ୍ଛାସେବୀମାନଙ୍କୁ ତାଲିମ ଦେଇ ଯୁଦ୍ଧରେ ନିୟୋଜିତ କରିବା ଛଡ଼ା ୟୁକ୍ରେନ୍ ପାଖରେ ରୁଷ୍ ସେନାକୁ ଅଧିକ ଦିନ ମୁକାବିଲା କରିବା ପାଇଁ ଆଉ ଅନ୍ୟ ବିକଳ୍ପ ନାହିଁ।

ସାମରିକ ବିଶ୍ଳେଷକଙ୍କ କହିବା ଅନୁସାରେ ଅନୁପ୍ରବେଶର ପ୍ରାରମ୍ଭିକ ଦିନଗୁଡ଼ିକରେ ରୁଷିଆ କିଛି ତ୍ରୁଟି କରିଛି। ଫେବ୍ରୁଆରି ୨୪ରେ ଯୁଦ୍ଧ ଆରମ୍ଭ ସମୟରେ ରୁଷିଆ ଅଳ୍ପ ସଂଖ୍ୟକ ସ୍ଥଳସୈନ୍ୟ ୟୁକ୍ରେନ୍ ପଠାଇଥିଲା। ସ୍ଥଳ ଓ ବାୟୁସେନାକୁ ପଛକୁ ପଛ ନିୟୋଜିତ କରି ନ ଥିଲା। କାରଣ ମସ୍କୋ ଭାବିଥିଲା ଅଳ୍ପ କେଇଦିନ ଭିତରେ ବିଶେଷ ଆୟାସ ବିନା ସେନାକୁ ସଫଳତା ମିଳିଯିବ। ରାଜଧାନୀ କିବ୍‌ରେ ସେନା ସହଜରେ ପ୍ରବେଶ କରିପାରିବେ ବୋଲି ସେମାନେ ଭାବିଥିଲେ କିନ୍ତୁ ତାହା ସମ୍ଭବ ହେଲାନି ବରଂ ସେମାନେ ମାଡ଼ ଖାଇଗଲେ। ତିନିଦିନରେ କିବ୍ ଦଖଲ କରିନେବେ ବୋଲି ଭାବିବା ସେମାନଙ୍କର ନିର୍ବୋଧତା ଥିଲା ବୋଲି ଜନୈକ ବିଶ୍ଳେଷକ କହିଛନ୍ତି।

ସମ୍ବନ୍ଧିତ ଖବର