କିବ୍ : ୟୁକ୍ରେନ୍ରେ ରୁଷ୍ ଚଳାଇଥିବା ଯୁଦ୍ଧକୁ ଏବେ ୭ ମାସ ଚାଲିଛି। ରୁଷ୍ ୟୁକ୍ରେନ୍ରେ ବ୍ୟାପକ କ୍ଷୟକ୍ଷତି କରିଛି। ରୁଷ୍ର ଆକ୍ରମଣ ପାଇଁ ୟୁକ୍ରେନ୍ରେ ଅନେକ ଜୀବନହାନି ହୋଇଛି। ହଜାର ହଜଜାର ଶିଶୁ ଅନାଥ ହୋଇଯାଇଛନ୍ତି ଏବଂ ଲକ୍ଷାଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ଏହା ସତ। କିନ୍ତୁ ଏସବୁ ପରେ ବି ୟୁକ୍ରେନ୍ ଯୁଦ୍ଧରେ ରୁଷ୍ ବି ବ୍ୟାପକ କ୍ଷତି ସହିଛି। ଖୁବ୍ କମ୍ ଦିନରେ ରୁଷ୍ ଦଖଲ କରିଥିବା କେତେକ ପ୍ରମୁଖ ଅଞ୍ଚଳକୁ ୟୁକ୍ରେନ୍ ନିଜ ନିୟନ୍ତ୍ରଣକୁ ଫେରାଇ ଆଣିବାରେ ସଫଳ ହୋଇଛି।
ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କି ସେପ୍ଟେମ୍ବର ୧୨ ତାରିଖରେ କହିଥିଲେ ତାଙ୍କ ସେନାବାହିନୀ ରୁଷ୍ କବଳରୁ ଏକ ଅଞ୍ଚଳକୁ ପୁନର୍ଦଖଲ କରିଦେଇଛନ୍ତି। ଉତ୍ତରପୂର୍ବ ୟୁକ୍ରେନ୍ ଖାରକିଭର ଏକ ଅଞ୍ଚଳକୁ ୟୁକ୍ରେନ୍ ସେନା ରୁଷ୍ କବଳରୁ ପୁନର୍ଦଖଲ କରିଥିବା ଜେଲେନ୍ସ୍କି କହିଥିଲେ। ରୁଷ୍ କବଳରୁ ଦଖଲ ହୋଇଥିବା ଅଞ୍ଚଳ ଦିଲ୍ଲୀ ଏବଂ ଗୋଆ ଅଞ୍ଚଳଠାରୁ ଆକାରରେ ବଡ଼ ହେବ। ରୁଷ୍ ପାଇଁ ଏହା ଏକ ଶକ୍ତ ଝଟ୍କା। ୟୁକ୍ରେନ୍ ପୁନର୍ଦଖଲ କରିଥିବା ଅଞ୍ଚଳରେ ରୁଷ୍ ଭୟଙ୍କର ବୋମାବର୍ଷା କରିଥିଲା। କିନ୍ତୁ ୟୁକ୍ରେନ୍ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ରୁଷ୍ ସେନା ଏହାର ଆକ୍ରମଣକୁ ବନ୍ଦ ରଖିଥିଲା। ଏହାର କାରଣ ହେଉଛି ଇଜିୟମ ଏବଂ କୁପ୍ୟାନସ୍କ। ଇଜିୟମ ହେଉଛି ଡୋନେସ୍କ ଅଞ୍ଚଳରେ ଥିବା ଏକ ଘାଟି। ରୁଷ୍ ଏଠାରୁ ଏହାର ଅପରେସନ୍ ଚଳାଏ। ଅନ୍ୟପକ୍ଷେ କୁପ୍ୟାନସ୍କ ରେଳ ଜଙ୍କସନ୍କୁ ରୁଷ୍ ଯୋଗାଣ ପାଇଁ ବ୍ୟବହାର କରେ। ଏହା ଏବେ ୟୁକ୍ରେନ୍ ନିୟନ୍ତ୍ରଣକୁ ଚାଲି ଆସିଛି। ୟୁକ୍ରେନ୍ ଖାରକିଭକୁ ପୁନର୍ଦଖଲ କରିବା ସହ ଦକ୍ଷିଣ ଖେରସନ୍ର ପ୍ରାୟ ୫୦୦ ସ୍କୋୟାର କିମି ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ଆଣିଛି।
ଏବେ ବି ରୁଷ୍ ଦଖଲରେ ୟୁକ୍ରେନ୍ର ୬୦୦,୦୦୦ ବର୍ଗ କିମି ଅଞ୍ଚଳ
୧୧୩.୫ ବିଲିଅନ ଡଲାରର କ୍ଷୟକ୍ଷତି
ତେବେ ରୁଷ୍ କବଳରୁ ୟୁକ୍ରେନ୍ କିଛି ଅଞ୍ଚଳକୁ ପୁନର୍ଦଖଲ କରିଥିଲେ ବି ଏହାର ରୁଷ୍ର ପରାଜୟ ବୋଲି କହିହେବନି। ଏବେ ବି ୟୁକ୍ରେନ୍ର ୬୦୦,୦୦୦ ସ୍କୋୟାର କିମି ଅଞ୍ଚଳ ରୁଷ୍ ଦଖଲରେ ଅଛି। ୟୁକ୍ରେନ୍ର କିଛି ଅଂଶରେ ରୁଷ୍ର ପରାଜୟ ପାଇଁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ରୁଷ୍ରେ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି। କିନ୍ତୁ ରୁଷ୍ ଏହାର ସ୍ବତନ୍ତ୍ର ସାମରିକ ଅପରେସନ୍ ଏବେ ବି ବନ୍ଦ କରିନି। ଆମେରିକା ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି, ବାସ୍ତବରେ ଯୁଦ୍ଧର ସ୍ଥିତି ବର୍ତ୍ତମାନ କ’ଣ ତାହା ଏତେ ଶୀଘ୍ର କହିହେବନି। କାରଣ ରୁଷ୍ ୟୁକ୍ରେନ୍ରେ ବିପୁଳ ପରିମାଣରେ ସେନା ମୁତୟନ ଜାରି ରଖିଛି ଏବଂ ଅସ୍ତ୍ରଶସ୍ତ୍ର ମଧ୍ୟ ଠୁଳ କରି ରଖିଛି।
ତେବେ ରୁଷ୍କୁ ମୁକାବିଲା କରିବାପାଇଁ ୟୁକ୍ରେନ୍କୁ ପଶ୍ଚିମ ରାଷ୍ଟ୍ରର ଅସ୍ତ୍ର ସହାୟତା ବେଶ୍ ସହାୟକ ହେଉଛି। ଫେବ୍ରୁଆରିରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ୟୁକ୍ରେନ୍କୁ ୮୫ ବିଲିଅନ ଡଲାର୍ର ସାମରିକ , ମାନବୀୟ ଏବଂ ଆର୍ଥିକ ସହଯୋଗ ମିଳିଛି। ଅର୍ଦ୍ଧାଧିକ ସହଯୋଗ ଆମେରିକା କରିଛି। ଆଇଏମଏଫ୍ ଏବଂ ବିଶ୍ବବ୍ୟାଙ୍କ୍ ମଧ୍ୟ ୟୁକ୍ରେନ୍କୁ ୬.୫ ବିଲିଅନ ଡଲାରରୁ ଅଧିକ ଆର୍ଥିକ ସହାୟତା ଦେଇଛନ୍ତି। ୟୁକ୍ରେନ୍କୁ ସହଯୋଗ କରିଥିବା ଶୀର୍ଷ ୫ଟି ରାଷ୍ଟ୍ର ହେଉଛନ୍ତି ଆମେରିକା, ଇୟୁ (ୟୁରୋପୀୟ ରାଷ୍ଟ୍ରସଂଘ), ବ୍ରିଟେନ୍ , ଜର୍ମାନୀ ଏବଂ କାନାଡ଼ା।
ୟୁକ୍ରେନ୍କୁ ପଠାଯାଇଥିବା କିଛି ପ୍ରମୁଖ ସାମରିକ ଉପକରଣ
ଆମେରିକା ୟୁକ୍ରେନ୍କୁ ପ୍ରାୟ ଗୋଟିଏ ଡଜନ ଏମ୍-୧୪୨ ହାଇ ମୋବିଲିଟି ଆର୍ଟିଲେରି ରକେଟ୍ ସିଷ୍ଟମ୍ ପଠାଇଛି।
ଜୁଲାଇରେ ଅଷ୍ଟ୍ରେଲିଆ, କାନାଡ଼ା ଏବଂ ଆମେରିକା ୟୁକ୍ରେନ୍କୁ ୧୦୦ରୁ ଅଧିକ ଦୂରଗାମୀ ହୋଇଜର ଆର୍ଟିଲେରି ଗନ୍ ପଠାଇଥିଲେ।
ୟୁକ୍ରେନ୍ ମଧ୍ୟ ଆଣ୍ଟି ଟ୍ୟାଙ୍କ୍ ଅସ୍ତ୍ର ପାଇଛି। ପ୍ରାୟ ୫୦୦୦ ଲାଇଟ୍ ଆଣ୍ଟି ଟ୍ୟାଙ୍କ ୱିପନ୍ ୟୁକ୍ରେନ୍କୁ ସହାୟତା ମିଳିଛି।
ତୁର୍କୀ ୟୁକ୍ରେନ୍କୁ ବେରାକଟାର ଟିବି୨ ଡ୍ରୋନ୍ ବିକିଛି। ଏହା ସର୍ବାଧିକ ୩୦୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ ।
ଆମେରିକା ନିକଟରେ ୟୁକ୍ରେନ୍କୁ ଏହାର ସର୍ଫେସ୍ ଟୁ ଏୟାର ମିସାଇଲ ସିଷ୍ଟମ୍ ନାସମ୍ସ ଏବଂ ସ୍ଲୋଭାକିଆ ଏସ୍-୩୦୦ ଏୟାର ଡିଫେନ୍ସ ସିଷ୍ଟମ୍ ଦେଇଛି।
ଯୁଦ୍ଧର ପରିଣତିସେପ୍ଟେମ୍ବର ସୁଦ୍ଧା ଯୁଦ୍ଧରେ ୫,୭୬୭ ନାଗରିକଙ୍କ ମୃତ୍ୟୁ ହୋଇଥିବା ଆକଳନ କରାଯାଉଛି। କିନ୍ଚୁ ୟୁକ୍ରେନ୍ କହୁଛି ପାଖାପାଖି ୩୦ ହଜାର ଲୋକଙ୍କର ଯୁଦ୍ଧରେ ମୃତ୍ୟୁ ହେଲାଣି
୧୩ ନିୟୁତ ୟୁକ୍ରେନ୍ ନାଗରିକ ଯୁଦ୍ଧ ଯୋଗୁଁ ବିସ୍ଥାପିତ ହୋଇଛନ୍ତି। ୬.୬ ନିୟୁତ ନାଗରିକ ୟୁକ୍ରେନ୍ରେ ଏବଂ ୬.୭ ନିୟୁତ ନାଗରିକ ସମଗ୍ର ୟୁରୋପ୍ର ବିଭିନ୍ନ ଅଞ୍ଚଳକୁ ବିସ୍ଥାପିତ ହୋଇଛନ୍ତି ।
ଯୁଦ୍ଧରେ ୯ ହଜାର ୟୁକ୍ରେନ୍ ସୈନିକ ନିପାତ ହୋଇଛନ୍ତି। ଶତାଧିକ ଯବାନ ଆହତ ହୋଇଛନ୍ତି
ଆମେରିକା ଅଧିକାରୀଙ୍କ ଅନୁଯାୟୀ ୭୦ ହଜାରରୁ ୮୦ ହଜାର ରୁଷ୍ ସୈନିକ ନିହତ ଏବଂ ଆହତ ହୋଇଛନ୍ତି।
ୟୁକ୍ରେନ୍ରେ କ୍ଷୟକ୍ଷତିର ମୂଲ୍ୟ ପ୍ରାୟ ୧୧୩.୫ ବିଲିୟନ ଡଲାର ହେବ।