ଦେଶରେ ଆରୋଗ୍ୟ ହାର ୫୦% ଟପିଲା, ଦିନକରେ ରେକର୍ଡ ୧୨ ହଜାର ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍‌ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୨ ହଜାର ନୂଆ ସଂକ୍ରମିତ ଚିହ୍ନଟ ହେବା ସହିତ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୨୦ ହଜାର ପାର ହୋଇଯାଇଛି। ଆଜି ସକାଳେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ମୁତାବକ ଗତକାଲି ସକାଳ ୯ଟାରୁ ଆଜି ସକାଳ ୮ଟା ସୁଦ୍ଧା ଦେଶରେ ୧୧ ହଜାର ୯୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ପାଇଛି ଏବଂ ଏହା ୫୦.୫୯ ପ୍ରତିଶତରେ ପହଞ୍ଚିଛି।

ବିଗତ ୨୪ ଘଣ୍ଟା ମଧ୍ୟରେ ୮,୦୪୯ କୋଭିଡ୍‌-୧୯ ରୋଗୀ ଠିକ୍‌ ହୋଇଛନ୍ତି। ଦେଶରେ ଆରୋଗ୍ୟ ହୋଇଥିବା ଲୋକଙ୍କ ସଂଖ୍ୟା ୧,୬୨,୩୭୮ରେ ପହଞ୍ଚିଛି। ପ୍ରାୟ ଅଧା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିବା ଏକ ବଡ଼ ଆଶ୍ବାସନା ପାଲଟିଛି। ଏବେ ଦେଶରେ ୧,୪୯,୩୪୮ ସକ୍ରିୟ ମାମଲା ରହିଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛନ୍ତି। ଦେଶରେ ଆଇସିଏମ୍‌ଆର୍‌ ଟେଷ୍ଟିଂ କ୍ଷମତା ବଢ଼ାଇବା ପାଇଁ କେତେକ ଜରୁରୀ ପଦକ୍ଷେପ ନେିଛି ଏବଂ ଖୁବ୍‌ଶୀଘ୍ର ଦୈନିକ ୨ ଲକ୍ଷ ଲୋକଙ୍କ ଟେଷ୍ଟିଂ ହେବ ବୋଲି ଜଣାପଡ଼ିଛି। ଏବେ ସରକାରୀ ଟେଷ୍ଟଂ ଲ୍ୟାବ୍‌ ସଂଖ୍ୟା ୬୪୬ ରହିଥିବା ବେଳେ ଘରୋଇ ଲ୍ୟାବ ସଂଖ୍ୟା ହେଉଛି ୨୪୭। ଗତକାଲି ଦେଶରେ ୧,୫୧,୪୩୨ ଲୋକଙ୍କ ନମୁନା ଯାଞ୍ଚ କରାଯାଇଛି।

ସମ୍ବନ୍ଧିତ ଖବର