ଦେଶରେ ଆରୋଗ୍ୟ ହାର ୪୭.୪୦% ଛୁଇଁଲା, ୨୪ ଘଣ୍ଟାରେ ରେକର୍ଡ ୧୧,୨୬୪ ସୁସ୍ଥ

ଦିନକରେ ୭୯୬୪ ପଜିଟିଭ୍‌ ଠାବ, ମହାରାଷ୍ଟ୍ରରେ ୧୩୦୦ରୁ ବେଶି ପୁଲିସ କର୍ମୀ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍‌ର ଦ୍ରୁତ ସଂକ୍ରମଣ ଚାଲିଥିବା ବେଳେ ବିଗତ ୨୪ ଘଣ୍ଟା ମଧ୍ୟରେ ୭୯୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ସବୁଠାରୁ ବଡ଼ ଆଶ୍ବସ୍ତି ହେଉଛି ଦେଶରେ ଆରୋଗ୍ୟ ହାର ୪୭%ରୁ ଅଧିକ ରହିଛି ଏବଂ ଗତକାଲି ଗୋଟିଏ ଦିନରେ ରେକର୍ଡ ୧୧୨୬୪ ଜଣ ଆରୋଗ୍ୟ ହୋଇଛନ୍ତି। ଦେଶରେ ପ୍ରଥମ ଥର ପାଇଁ ନୂଆ ସଂକ୍ରମିତଙ୍କ ଠାରୁ ଅଧିକ ସଂଖ୍ୟାରେ ଆରୋଗ୍ୟ ହୋଇଛନ୍ତି। ଦେଶରେ ଏବେ ଆରୋଗ୍ୟ ହାର ୪୭.୪୦ ପ୍ରତିଶତରେ ପହଞ୍ଚିଯାଇଛି। ଅନ୍ୟପକ୍ଷରେ ଆଜି ପର୍ଯ୍ୟନ୍ତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୭୪ ହଜାର ଥିବା ବେଳେ ୮୬ ହଜାରରୁ ଅଧିକ ସକ୍ରିୟ ରୋଗୀ ଅଛନ୍ତି।

ଦେଶରେ ଗତକାଲି ଗୋଟିଏ ଦିନରେ ସର୍ବାଧିକ ୨୬୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ପ୍ରକାଶ। ଏହା ସହିତ ଦେଶରେ କରୋନା ସଂକ୍ରମଣରେ ମୃତକଙ୍କ ସଂଖ୍ୟା ପ୍ରାୟ ୫ ହଜାରରେ ପହଞ୍ଚିଯାଇଛି। ମହାରାଷ୍ଟ୍ରରେ ସର୍ବାଧିକ ୨୧୦୦ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁଜରାଟରେ ୯୮୦, ଦିଲ୍ଲୀରେ ୩୯୮, ମଧ୍ୟପ୍ରଦେଶରେ ୩୩୪, ପଶ୍ଚିମବଂଗରେ ୩୦୨, ଉତ୍ତରପ୍ରଦେଶରେ ୧୯୮, ରାଜସ୍ଥାନରେ ୧୮୪, ତାମିଲନାଡ଼ୁରେ ୧୫୪, ତେଲେଙ୍ଗାନାରେ ୭୧ ଏବଂ ଆନ୍ଧ୍ର ପ୍ରଦେଶରେ ୬୦ ଜଣଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ସର୍ବାଧିକ ୬୨ ହଜାର ୩ ଶହ ଆକ୍ରାନ୍ତ ହୋଇଥିବା ବେଳେ ରାଜ୍ୟରେ ଲକ୍‌ଡାଉନ୍‌ ବଳବତ୍ତର ରହିବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କହିଛନ୍ତି। ଗତକାଲି ରାଜ୍ୟରେ ଗୋଟିଏ ଦିନରେ ୧୧୪ ଜଣ ପୁଲିସ କର୍ମୀ କରୋନା ଆକ୍ରାନ୍ତ ହୋଇଛନ୍ତି। ମହାରାଷ୍ଟ୍ରରେ ଆଜି ପର୍ଯ୍ୟନ୍ତ ପ୍ରାୟ ୧୩ ଶହ ପୁଲିସ କର୍ମୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତାମିଲନାଡ଼ୁରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ଅତିକ୍ରମ କରିଯାଇଛି ଏବଂ ରେଡ୍‌ ଜୋନ୍‌ଗୁଡ଼ିକରେ ସ୍ବତନ୍ତ୍ର କଟକଣା ଜାରି ହୋଇଛି। ଦିଲ୍ଲୀରେ ୧୭ ହଜାର ୪ ଶହରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଲକ୍‌ଡାଉନ୍‌ ବଢ଼ାଗଲେ ବି କରୋନାଭୂତାଣୁ ରହିବ ଏବଂ ସଂକ୍ରମିତମାନଙ୍କର ଚିକିତ୍ସା ବ୍ୟବସ୍ଥା କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର