ଦେଶରେ ଆରୋଗ୍ୟ ହାର ୪୦.୩୧%, ମାମଲା ୧ ଲକ୍ଷ ୧୨ ହଜାର ପାର୍‌

୨୪ ଘଣ୍ଟାରେ ୫୬୦୯ ଆକ୍ରାନ୍ତ

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ ମୃତ୍ୟୁର ତାଣ୍ଡବ ଚଳାଇଥିବା କରୋନା ମହାମାରୀର ପ୍ରକୋପ ଭାରତରେ ବଢ଼ି ଚାଲିଛି। ଚଚୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଭିତରେ ବି ସଂକ୍ରମ ଦ୍ରୁତ ଗତିରେ ବଢ଼ୁଛି ଏବଂ ଆଜି ଦେଶରେ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୧୨ ହଜାର ଅତିକ୍ରମ କରିଯାଇଛି। ବିଶ୍ବ ସଂକ୍ରମଣ କ୍ଷେତ୍ରରେ ଭାରତର ସ୍ଥାନ ଏକାଦଶରେ ରହିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୫୬୦୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୧୩୨ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୪୫୦ ଅତିକ୍ରମ କରିଯାଇଛି।

ତ‌େବେ ଭାରତରେ ୪୫ ହଜାରରୁ ଅଧିକ ଲୋକ କରୋନାରୁ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଛନ୍ତି ଏବଂ ଆରୋଗ୍ୟ ହାର ୪୦.୩୧ ପ୍ରତିଶତରେ ପହଞ୍ଚିଛି। ଅନ୍ୟ ରାଷ୍ଟ୍ରମାନଙ୍କ ତୁଳନାରେ ଭାରତର ଆରୋଗ୍ୟ ହାର ଲଗାତାର ବଢ଼ୁଥିବାରୁ ଏହା ଏକ ବଡ଼ ଆଶ୍ବାସନା ପାଲଟିଛି। ଦେଶବ୍ୟାପୀ ଏବେ ଟେଷ୍ଟିଂ ସଂଖ୍ୟା ବୃଦ୍ଧି ପାଇଛି ଏବଂ ଗତକାଲି ସକାଳ ୯ଟା ସୁଦ୍ଧା ଦେଶରେ ୨୫ ଲକ୍ଷ ୧୨ ହଜାର ୩୩୮ଟି ନମୁନା ଯାଞ୍ଚ କରାଯାଇଥିବା ଆଇସିଏମ୍‌ଆର୍‌ ପକ୍ଷରୁ କୁହାଯାଇଛି। ପ୍ରତିଦିନ ଦେଶରେ ଯାଞ୍ଚ ସଂଖ୍ୟା ବଢ଼ୁଛି ଏବଂ ପ୍ରତିଦିନ କ ଲୋକଙ୍କ ଯାଞ୍ଚ ରିପୋର୍ଟ ପ୍ରସ୍ତୁତ ହୋଇପାରୁଛି। ଦେଶର ସମସ୍ତ ରାଜ୍ୟରେ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଥିବା ବେଳେ ଅନେକ ରାଜ୍ୟ ଏବେ ଏହି ମହାମାରୀରୁ ମୁକ୍ତ ଘୋଷଣା ହୋଇଛି। ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ଅତିକ୍ରମ କରିଯାଇଛି ଏବଂ ଏଠାରେ ମୃତକଙ୍କ ମଧ୍ୟରୁ ୨୬ ପ୍ରତିଶତରୁ ଅଧିକ ଲୋକ ୫୦ରୁ ୫୯ ବର୍ଷ ବୟସର ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର