ଦେଶରେ ଆରୋଗ୍ୟ ହାର ୬୫.୪୪%, ଦିନକରେ ପୁଣି ୫୪ ହଜାରରୁ ଅଧିକ ଆକ୍ରାନ୍ତ

ସ୍ମାର୍ଟ ଫୋନ୍‌ ବ୍ୟବହାର ପାଇଁ ରୋଗୀଙ୍କୁ ଅନୁମତି ମିଳିବ, ରେଜିଷ୍ଟ୍ରି ତିଆରି ପାଇଁ ଆଇସିଏମ୍‌ଆର୍‌ର ଯୋଜନା

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଥମିବାର ନାମ ନେଉନାହିଁ। ବିଗତ ୨୪ ଘଣ୍ଟା ମଧ୍ୟରେ ୫୪ ହଜାର ୭୩୬ ନୂଆ ସଂକ୍ରମଣ ମାମଲା ସହ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭,୫୦,୭୨୪ରେ ପହଞ୍ଚିଛି। ତେବେ ସବୁଠାରୁ ବଡ଼ ଆଶ୍ବସ୍ତିର କାରଣ ହେଉଛି, ଦେଶରେ ଆରୋଗ୍ୟ ହାର ପ୍ରତିଦିନ ବଢ଼ୁଛି ଏବଂ ଆଜି ଏହା ୬୫.୪୪ ପ୍ରତିଶତରେ ପହଞ୍ଚିଛି। ଏ ପର୍ଯ୍ୟନ୍ତ ଦେଶରେ ୧୧ ଲକ୍ଷ ୪୫ ହଜାର ୬୩୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୭,୩୬୪ରେ ପହଞ୍ଚିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୮୫୩ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏବେ ଦେଶରେ ୫,୬୭,୭୩୦ ସକ୍ରିୟ ମାମଲା ରହିଛି। ବିଗତ ୨୪ ଘଣ୍ଟାରେ ରେକର୍ଡ ୫୧,୨୫୫ ଜଣ ମଧ୍ୟ ସୁସ୍ଥ ହୋଇଛନ୍ତି। ଦେଶରେ ଏବେ କରୋନା ମୃତ୍ୟୁ ହାର ୨.୧୫କୁ ଖସିଆସିଛି। ଆଜି ସୁଦ୍ଧା ଦେଶରେ ୧,୯୮,୨୧,୮୩୧ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ବିଗତ ୨୪ ଘଣ୍ଟାରେ ୪ ଲକ୍ଷ ୬୩ ହଜାର ୧୭୨ଟି ନମୁନା ପରୀକ୍ଷା କରାଯାଇଛି। ଦେଶରେ ଏବେ ୧୩୪୪ଟି ଲ୍ୟାବ୍‌ କାମ କରୁଥିବା ବେଳେ ସେଥିରୁ ୯୧୩ଟି ସରକାରୀ ଏବଂ ୪୩୧ଟି ଘରୋଇ।

ବିଦେଶରୁ ଆସୁଥିବା ଲୋକଙ୍କ ପାଇଁ ଆଜି ସ୍ବାସ୍ଥ୍ୟ ମନ୍ତ୍ରାଳୟ ନୂଆ ଗାଇଡ୍‌ଲାଇନ୍ସ ଜାରି କରିଛି। ସେମାନଙ୍କ ପାଇଁ ୧୪ ଦିନ କ୍ବାରାଣ୍ଟିନ ବାଧ୍ୟତାମୂଳକ କରାଯାଇଛି। ଦିଲ୍ଲୀରେ କରୋନା ନିୟନ୍ତ୍ରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ମାତ୍ର ୯୬୧ଟି ମାମଲା ସାମ୍ନାକୁ ଆସିଛି ଏବଂ ଆଜି ସକ୍ରିୟ ମାମଲା କେବଳ ୧୦,୨୫୬ ରହିଛି। ହସ୍ପିଟାଲ୍‌ରେ ଭର୍ତ୍ତି ହେଉଥିବା କୋଭିଡ୍‌ ରୋଗୀମାନଙ୍କୁ ସ୍ମାର୍ଟଫୋନ୍‌ ବ୍ୟବହାର କରିବା ପାଇଁ ଅନୁମତି ଦେବାକୁ କେନ୍ଦ୍ର ସରକାର ଆଜି ସମସ୍ତ ରାଜ୍ୟ ସରକାରମାନଙ୍କୁ କହିଛନ୍ତି। କୋଭିଡ୍‌ ରୋଗୀମାନେ ସେମାନଙ୍କ ପରିବାର ଏବଂ ବନ୍ଧୁଙ୍କ ସହିତ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଯୋଗାଯୋଗ କରିପାରିବେ ଏବଂ ଏହା ସେମାନଙ୍କୁ ମାନସିକସ୍ତରରେ ସହାୟତା ଯୋଗାଇ ଦେବ। ଅନ୍ୟପକ୍ଷରେ ଆଜି ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମ୍‌ଆର) ହସ୍ପିଟାଲରେ ଭର୍ତ୍ତି ହେଉଥିବା କୋଭିଡ-୧୯ ରୋଗୀଙ୍କ ରେଜିଷ୍ଟ୍ରି ତିଆରି କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି। ବାସ୍ତବିକ ସମୟର ତଥ୍ୟ ଏକାଠି କରିବା ଏବଂ ଏହାକୁ ଅନୁଧ୍ୟାନ କରି ବିହୀତ ପଦକ୍ଷେପ ନେବା ଦିଗରେ ଏହା ବିଶେଷ ଉପଯୋଗୀ ହେବ।

ସମ୍ବନ୍ଧିତ ଖବର