ଆରୋଗ୍ୟ ହାର ୭୫% ଡେଇଁଲା: ୩୧,୬୭,୩୨୩ ମୋଟ ଆକ୍ରାନ୍ତ, ୫୮,୩୯୦ ମୃତ

ଆରୋଗ୍ୟ ପରେ ବି ଦୀର୍ଘଦିନ ଯାଏ ପ୍ରଭାବ ରହିବ

ନୂଆଦିଲ୍ଲୀ: ଦେଶରେ ମହାମାରୀ କୋଭିଡ୍‌-୧୯ ଦ୍ବାରା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ଲକ୍ଷ ୬୭ ହଜାର ୩୨୩ରେ ପହଞ୍ଚିଛି। ସେମାନଙ୍କ ଭିତରୁ ୫୮ ହଜାର ୩୯୦ ଜଣ ମୃତ୍ୟୁବରଣ କରିଥିବାବେଳେ ୨୪ ଲକ୍ଷ ୪ ହଜାର ୫୮୫ ଜଣ ଆରୋଗ୍ୟ ଲାଭ କରିଥିବା ଜଣାଯାଇଛି। ଏଥିରୁ କୋଭିଡ୍‌ ପୀଡ଼ିତଙ୍କ ଆରୋଗ୍ୟ ହାର ୭୫ ପ୍ରତିଶତ ଡେଇଁଥିବା ସ୍ପଷ୍ଟ ହୋଇଛି। ଗତ ୨୫ ଦିନ ଭିତରେ ଏହି ଆରୋଗ୍ୟ ହାର ଶତ ପ୍ରତିଶତ ବଢ଼ିଥିବା ଜଣାଯାଇଛି। ସେହିପରି ଗତ ୨୪ ଘଣ୍ଟା ଭିତରେ ଦେଶରେ ୬୦ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦେଶରେ ମୋଟ ୭ ଲକ୍ଷ ୪ ହଜାର ୩୪୮ ସକ୍ରିୟ ମାମଲା ରହିଛି। ତେବେ ମୋଟ ସଂକ୍ରମିତଙ୍କ ଭିତରୁ ସିଂହଭାଗ ଅର୍ଥାତ୍‌ ୬୧.୩୧ ପ୍ରତିଶତ ହେଉଛନ୍ତି ୨୧ ବର୍ଷରୁ ୫୦ ବର୍ଷ ବର୍ଗର ବୋଲି ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍‌ଆର୍‌) ସୂତ୍ରରୁ ଜଣାଯାଇଛି। ଅପରପକ୍ଷେ, ଦିନକୁ ଦିନ ନମୁନା ପରୀକ୍ଷା ସଂଖ୍ୟା ବଢ଼ିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା କମିବା ଆଶ୍ବସ୍ତିର ବିଷୟ ହୋଇଛି। ଏପରିକି ଗତ ୨୪ ଘଣ୍ଟା ଭିତରେ ପ୍ରଥମ ଥର ପାଇଁ ସଂକ୍ରମିତଙ୍କ ସଂଖ୍ୟା ପୂର୍ବ ଦିନ ତୁଳନାରେ ୬,୪୨୩ କମିଥିବା ଜଣାଯାଇଛି। ସୂଚନା ଥାଉ କି, ଗତ ପହିଲାରେ କୋଭିଡ୍‌ ପରୀକ୍ଷଣ ହାର ଦୈନିକ ପ୍ରତି ନିୟୁତରେ ୩୬୩ ରହିଥିବା ବେଳେ ବର୍ତ୍ତମାନ ଏହା ନିୟୁତ ପିଛା ୬୦୦ରେ ପହଞ୍ଚିଛି। ସେହିପରି ସାପ୍ତାହିକ ସଂଖ୍ୟାକୁ ବିଚାରକୁ ନେଲେ ଚଳିତ ମାସ ପ୍ରଥମ ସପ୍ତାହରେ କୋଭିଡ୍‌ ସଂକ୍ରମିତ ପଜିଟିଭ୍‌ ହାର ୧୧ ପ୍ରତିଶତ ରହିଥିବା ବେଳେ ବର୍ତ୍ତମାନ ତାହା ୮ ପ୍ରତିଶତକୁ ଖସି ଆସିଛି। ସେହିପରି ଦେଶରେ ମୋଟ ସକ୍ରିୟ ଥିବା ସଂକ୍ରମିତଙ୍କ ଠାରୁ ୧୭ ଲକ୍ଷ ଅଧିକ ଆରୋଗ୍ୟ ଲାଭ କରିଛନ୍ତି, ଅର୍ଥାତ୍‌ ୩.୧୪ ଗୁଣରୁ ଅଧିକ ଆରୋଗ୍ୟ ହେବା ମଧ୍ୟ ଖୁସିର କଥା ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସଚିବ ରାଜେଶ ଭୂଷଣ କହିଛନ୍ତି।

ନୂଆଦିଲ୍ଲୀ: ବିଶ୍ବ ତମାମ ଚିକିତ୍ସକମାନେ ଏବେ କୋଭିଡ୍‌-୧୯ରେ ଆକ୍ରାନ୍ତ ଥାଇ ସ୍ନାୟବିକ, ହୃଦ ସମସ୍ୟା ପରି ଲକ୍ଷଣ ଦେଖାଉଥିବା ପୀଡ଼ିତମାନଙ୍କଠାରେ ଶ୍ବାସକ୍ରିୟା ସମସ୍ୟାଠାରୁ ଅଧିକ କିଛି ଭାବି ଚିକିତ୍ସା ଯୋଗାଉଛନ୍ତି। ତେବେ ହୃଦ୍‌ଘାତ, ଅଙ୍ଗପ୍ରତ୍ୟଙ୍ଗ ଫୁଲା, ସ୍ବାଦ ଓ ଘ୍ରାଣଶକ୍ତି ହ୍ରାସ ଏବଂ କ୍ଳାନ୍ତ ହେବା ପରି ଲକ୍ଷଣଗୁଡ଼ିକ କୋଭିଡ୍‌ରୁ ଆରୋଗ୍ୟ ଲାଭ ପରେ ମଧ୍ୟ ଦୀର୍ଘଦିନ ଯାଏ ରହୁଥିବା ଚିନ୍ତାର କାରଣ ହୋଇଛି। ଏହି ମହାମାରୀ ଆବିର୍ଭାବ ହେବାର ଦୀର୍ଘ ୮ ମାସ ବିତିଗଲାଣି ଏବଂ ଏଥିରେ ବିଶ୍ବ ସାରା ୨ କୋଟି ୩୮ ହଜାର ପାଖାପାଖି ଲୋକ ଆକ୍ରାନ୍ତ ହେବା ସହ ୮ ଲକ୍ଷ ୧୭ ହଜାରରୁ ଅଧିକ ଆଖୁ ବୁଜିସାରିଲେଣି। ତେବେ ଏହି ଘାତକ ଅଭିନବ କରୋନା ଭୂତାଣୁ ସାର୍ସ-କୋଭ୍‌-୨ ଲୋକଙ୍କ ଉପରେ ଯେତିକି ପ୍ରଭାବ ପକାଇ ସାରିଛି ତାହାଠୁ ଅଧିକ ଅଜଣା କଥା ମଧ୍ୟ ଅଦ୍ୟାବଧି ରହିଛି।

ଦିଲ୍ଲୀ ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲର ବରିଷ୍ଠ ଫୁସ୍‌ଫୁସ୍‌ ବିଶେଷଜ୍ଞ ଡା. ରାଜେଶ ଚାଵଲାଙ୍କ ମତରେ, କୋଭିଡ୍‌ ସୁସ୍ଥ ହୋଇଥିବା ପୀଡ଼ିତଙ୍କ ମଧ୍ୟରୁ ୫୦ ପ୍ରତିଶତଙ୍କ ଠାରେ କ୍ଳାନ୍ତ, ଦୁର୍ବଳତା, ନିଦ୍ରାହୀନତା ଏବଂ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କଲା ଭଳି ଲକ୍ଷଣ ସବୁ ଅନେକ ଦିନ ଯାଏ ବଜାୟ ରହୁଛି। ଏଭଳି ଦୀର୍ଘସ୍ଥାୟୀ ଲକ୍ଷଣ ସମ୍ପର୍କରେ ପୁନଃପ୍ରମାଣିତ ତଥ୍ୟ ନଥିଲେ ହେଁ ଫେସ୍‌ବୁକ୍‌ରେ ୧୫୬୭ ଜଣ କୋଭିଡ୍‌ ପୀଡ଼ିତ ଅନୁଗାମୀମାନଙ୍କ ମଧ୍ୟରେ ‘ସର୍ଭାଇଭର୍‌ସ କର୍ପସ’ ନାମକ ସର୍ବେକ୍ଷଣରେ ସମସ୍ତ ପୀଡ଼ିତ କ୍ଳାନ୍ତ ମନେ କରୁଥିବା କହିଛନ୍ତି। ସେମାନଙ୍କ ଭିତରୁ ୫୦ ପ୍ରତିଶତ ଆରୋଗ୍ୟଲାଭ ପରେ ବି ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରୁଥିବା ଜଣାଯାଇଛି। ସେହିପରି ୪୦ ପ୍ରତିଶତଙ୍କର ଉତ୍କଣ୍ଠା ବଢ଼ିଯିବା, ସ୍ମରଣଶକ୍ତିରେ ସମସ୍ୟା ଓ ଘୁମେଇଲା ପରି ଲକ୍ଷଣ ବଳବତ୍ତର ରହିଛି। ଅପରପକ୍ଷେ, ୟୁକେର ବ୍ରିଷ୍ଟଲ ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇଥିବା ୧୧୦ ଜଣ ରୋଗୀଙ୍କ ଭିତରୁ ଆରୋଗ୍ୟ ଲାଭ ପରେ ୭୫ ପ୍ରତିଶତଙ୍କ ଠାରେ ଶ୍ବାସକ୍ରିୟାରେ କଷ୍ଟ କି କ୍ଳାନ୍ତ ହୋଇପଡ଼ିବା କିମ୍ବା ମାଂସପେଶୀରେ ଘୋଳାବିନ୍ଧା ହେବା ଆଦି ଲକ୍ଷଣ ଭିତରୁ ଅତି କମ୍‌ରେ ଗୋଟିଏ ଲକ୍ଷଣ ଜାରି ରହିଥିବା ଜଣାଯାଇଛି। ସେହିପରି ଚୀନ୍‌ର ଉହାନ ସହରରେ କରାଯାଇଥିବା ସର୍ବେକ୍ଷଣରେ ୫ ପ୍ରତିଶତ ରୋଗୀଙ୍କର ହୃଦ୍‌ଘାତ ହୋଇଥିବା ବେଳେ ୩୬.୪ ପ୍ରତିଶତଙ୍କ ଠାରେ ସ୍ନାୟବିକ ସମସ୍ୟା ଦେଖାଯାଇଛି।

ସମ୍ବନ୍ଧିତ ଖବର