କଟକ, ଭୁବନେଶ୍ବର ଓ ପୁରୀ ସମେତ ଦେଶର୪୦ଟି ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟ ହେଲା ତ୍ବରାନ୍ବିତ

ନୂଆଦିଲ୍ଲୀ: ଦେଶର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକର ପୁନଃବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରିଛି ରେଳ ମନ୍ତ୍ରାଳୟ। ଯାତ୍ରୀମାନଙ୍କୁ ଆଧୁନିକ ସୁବିଧା ସୁଯୋଗ ଯୋଗାଇ ଦେବାଲାଗି ବର୍ତ୍ତମାନ ଭାରତୀୟ ରେଳବାଇର ୪୦ଟି ରେଳଷ୍ଟେସନର ପୁନଃବିକାଶ ପାଇଁପ୍ରକ୍ରିୟା ଆରମ୍ଭ କରାଯାଇଛି। ୧୪ଟି ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଏହା ଆସନ୍ତା ୫ ମାସ ମଧ୍ୟରେ ଶେଷ ହେବ ବୋଲି ଆଶା କରାଯାଉଛି।

ପୁନଃ ବିକଶିତ ହେବାକୁ ଥିବା ରେଳ ଷ୍ଟେସନ ମଧ୍ୟରେ ପୁରୀ, ଭୁବନେଶ୍ବର ଏବଂ କଟକ ରେଳ ଷ୍ଟେସନ ସାମିଲ ରହିଛି। ଇତିମଧ୍ୟରେ କଟକ ରେଳ ଷ୍ଟେସନର ପୁନଃବିକାଶ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇସାରିଛି।
ଦେଶବ୍ୟାପୀ ରେଳ ଷ୍ଟେସନଗୁଡ଼ିକର ପୁନଃ ବିକାଶ ଫଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହିତ ଆର୍ଥିକ ବିକାଶରେ ସୁଧାର ଆସିବ। ଏହାଦ୍ବାରା ଦେଶର ଅର୍ଥ ବ୍ୟବସ୍ଥା ଉପରେ ବହୁଗୁଣିତ ପ୍ରଭାବ ପଡ଼ିବ।

ଏସବୁ ଷ୍ଟେସନର ବିକାଶ କାର୍ଯ୍ୟରେ ଅଧିକ ସ୍ଥାନ ଥିବା ରୁଫ୍ ପ୍ଲାଜା ବ୍ୟବସ୍ଥା କରିବାକୁ ଯୋଜନା କରାଯାଇଛି। ଏହା ବ୍ୟତୀତ ଫୁଡକୋର୍ଟ, ପ୍ରତୀକ୍ଷାଳୟ, ପିଲାମାନଙ୍କ ଖେଳିବା ସ୍ଥାନ, ସ୍ଥାନୀୟ ଉତ୍ପାଦ ପାଇଁ ମାନ୍ୟତା ପ୍ରାପ୍ତ ସ୍ଥାନ ଆଦି ସୁବିଧା ବିକଶିତ କରାଯିବ। ଷ୍ଟେସନ ଗୁଡ଼ିକର ଉନ୍ନତିକରଣ ସମୟରେ ମେଟ୍ରୋ, ବସ ଆଦି ବିଭିନ୍ନ ପରିବହନ ମାଧ୍ୟମକୁ ରେଳ ଷ୍ଟେସନ ସହିତ ଯୋଡ଼ାଯିବ। ଷ୍ଟେସନ ଭିତ୍ତିଭୂମି ନିର୍ମାଣ ସମୟରେ ସବୁଜ ଅଟ୍ଟାଳିକା ଜ୍ଞାନକୌଶଳ ଅବଲମ୍ବନ କରାଯିବ ଏବଂ ଦିବ୍ୟାଙ୍ଗ ଜନଙ୍କପାଇଁ ଅନୁକୂଳ ବ୍ୟବସ୍ଥା ରହିବ।ଇଣ୍ଟେଲିଜେଣ୍ଟ ବିଲ୍ଡିଂ ନିର୍ମାଣ ଲକ୍ଷ୍ୟ ନେଇ ଷ୍ଟେସନଗୁଡ଼ିକୁ ବିକଶିତ କରାଯିବ ଏବଂ ଏଥିରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାରର ଅତ୍ୟାଧୁନିକ ସୁବିଧା ସୁଯୋଗ ରହିବ। ଷ୍ଟେସନଗୁଡ଼ିକର ପୁନଃବିକାଶ ଫଳରେ ରେଳ ଷ୍ଟେସନ ନିକଟରେ ‘ସିଟିସେଣ୍ଟର’ ଭଳି ସ୍ଥାନ ସୃଷ୍ଟିହେବ। ଏହାଦ୍ବାରା ରେଳଯାତ୍ରୀ ଏବଂ ସାଧାରଣ ଜନତା ଉପକୃତ ହୋଇପାରିବେ।

ଇତିମଧ୍ୟରେ ପଶ୍ଚିମ କେନ୍ଦ୍ରୀୟ ରେଳବାଇର ରାଣୀ କମଳାପତି ଷ୍ଟେସନ, ପଶ୍ଚିମ ରେଳବାଇର ଗାନ୍ଧୀ ନଗର କ୍ୟାପିଟାଲ ଷ୍ଟେସନ ଏବଂ ଦକ୍ଷିଣ ପଶ୍ଚିମ ରେଳବାଇର ସାର ଏମ ବିଶ୍ବେଶ୍ବରାୟା ଟର୍ମିନାଲ ଷ୍ଟେସନର ବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହିତ ଏସବୁ କାର୍ଯ୍ୟକ୍ଷମ ହୋଇ ସାରିଛି।

ବର୍ତ୍ତମାନ ପରିସ୍ଥିତିରେ ଏସବୁ ଷ୍ଟେସନର ପୁନଃ ବିକାଶ କାର୍ଯ୍ୟ ପାଇଁ ସମୟସୀମା ନିର୍ଦ୍ଧାରଣ କରିବା ସମ୍ଭବପର ନୁହେଁ କାରଣ ଏହି କାର୍ଯ୍ୟ ଅତ୍ୟନ୍ତ ଜଟିଳ ହୋଇଥିବା ବେଳେ ଏଥିରେ ବହୁ ଅଂଶୀଦାର ମାନଙ୍କର ସମ୍ପୃକ୍ତି ରହିଛି ଏବଂ ଏଥିପାଇଁ ବିଭିନ୍ନ ବୈଧାନିକ ମଞ୍ଜୁରିର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର