ନୂଆଦିଲ୍ଲୀ: ସଂସଦର ଆଗାମୀ ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧୪ରୁ ଆରମ୍ଭ ହୋଇ ଅକ୍ଟୋବର ୧ରେ ଶେଷ ହେବ। ପ୍ରଥମ ଥର ପାଇଁ କରୋନା ମହାମାରୀ ସମୟରେ କୋଭିଡ୍-୧୯ ଗାଇଡଲାଇନ୍ ମାନି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟସଭାର ଉଭୟ ଚ୍ୟାମ୍ବର ଓ ଗ୍ୟାଲେରିରେ ସଦସ୍ୟମାନଙ୍କ ବସିବାର ବ୍ୟବସ୍ଥା କରାଯାଇଛି ବୋଲି ରାଜ୍ୟସଭା ସଚିବାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୧୯୫୨ ମସିହା ପରେ ପ୍ରଥମ ଥର ପାଇଁ ଉଭୟ ଚ୍ୟାମ୍ବର ଓ ଗ୍ୟାଲେରିରେ ଏଭଳି ବସିବା ବ୍ୟବସ୍ଥା କରାଯାଇଛି। ଚ୍ୟାମ୍ବରରେ ୬୦ ସଦସ୍ୟ, ଗ୍ୟାଲେରିରେ ୫୧ ସଦସ୍ୟ ଏବଂ ବାକି ୧୩୨ ଜଣ ଲୋକସଭା ଚ୍ୟାମ୍ବରରେ ବସିବାର ବ୍ୟବସ୍ଥା ହୋଇଛି।
ସେହିଭଳି ଅଫିସର ଗ୍ୟାଲେରି ଏବଂ ପ୍ରେସ୍ ଗ୍ୟାଲେରିରେ ସାମାଜିକ ଦୂରତା ପ୍ରତି ଧ୍ୟାନ ଦିଆଯିବ ଏବଂ ପ୍ରତି ଗ୍ୟାଲେରିରେ ୧୫ ଜଣ ଲେଖା ବସିବେ। ପ୍ରଥମ ଥର ପାଇଁ ବୃହତ୍ ଡିସ୍ପ୍ଲେ ସ୍କ୍ରିନ୍ ବ୍ୟବହାର କରାଯିବ ଏବଂ ଦୁଇ ସଦନ ମଧ୍ୟରେ ପଲି କାର୍ବୋନେଟ୍ ସେପାରେଟର ବ୍ୟବହାର କରାଯିବ। ମୌସୁମୀ ଅଧିବେଶନ ନେଇ ଗତ ଜୁଲାଇ ୧୭ରେ ରାଜ୍ୟସଭା ଅଧ୍ୟକ୍ଷ ଏମ୍. ଭେଙ୍କିଆ ନାଇଡୁ ଏବଂ ଲୋକସଭା ବାଚସ୍ପତି ଓମ୍. ବିର୍ଲା ମିଳିତ ଭାବେ ଅନୁଧ୍ୟାନ କରିଥିଲେ। କରୋନା ମହାମାରୀ ସମୟରେ ସମସ୍ତ କୋଭିଡ ଗାଇଡଲାଇନ ପାଳନ କରାଯିବା ଉପରେ ଗୁରୁତ୍ବାରୋପ କରାଯାଇଛି। ଲୋକସଭା ଏବଂ ରାଜ୍ୟସଭା ଟିଭି ସଂସଦର ସମସ୍ତ କାର୍ଯ୍ୟକୁ ପ୍ରସାରଣ କରିବେ।