ନୂଆଦିଲ୍ଲୀ : କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍ଆଇସି)ର ବଳକା ପାଣ୍ଠିକୁ ଷ୍ଟକ୍ ମାର୍କେଟରେ ନିବେଶ କରାଯିବ। ସେନସେକ୍ସ ଓ ନିଫ୍ଟିର ଏକ୍ସଚେଞ୍ଜ ଟ୍ରେଡେଡ ଫଣ୍ଡ୍ (ଇଟିଏଫ୍)ରେ ଉକ୍ତ ରାଶି ସୀମିତ ରହିବ। କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ରବିବାର ଇଏସଆଇସିର ୧୮୯ତମ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ବର୍ତ୍ତମାନ ହୋଇଥିବା ନିବେଶରୁ କମ୍ ରିଟର୍ଣ୍ଣ ମିଳୁଛି। ତେଣୁ ଇଟିଏଫ୍ରେ ନିବେଶ ପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରଥମେ ବଳକା ପାଣ୍ଠିର ୫ ପ୍ରତିଶତରୁ ଏହି ନିବେଶ ଆରମ୍ଭ ହେବ। ୬ ମାସ ସମୀକ୍ଷା ପରେ ଏହାକୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ଆସେଟ୍ ମ୍ୟାନେଜମେଣ୍ଟ କମ୍ପାନିର ଫଣ୍ଡ ମ୍ୟାନେଜରଙ୍କ ଦ୍ବାରା ଏହାର ପରିଚାଳନା ହେବ। ଏଥିସହିତ ଆଜିର ବୈଠକରେ ଅଗରତାଲାର ଶ୍ୟାମଳୀ ବଜାର ଏବଂ କେରଳର ଇଡୁକିରେ ୧୦୦ ଶଯ୍ୟା ଲେଖାଏଁ ଡାକ୍ତରଖାନା ସ୍ଥାପନ ପ୍ରସ୍ତାବକୁ ମଞ୍ଜୁରି ସମେତ ଅନ୍ୟ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ଇଏସଆଇ ଯୋଜନାରେ କର୍ମଚାରୀ ସଂଖ୍ୟା ବୃଦ୍ଧି ପାଇଛି। ତେଣୁ ଆବଶ୍ୟକତା ପୂରଣ ପାଇଁ ଭିତ୍ତିଭୂମି ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଇଏସଆଇସି ଡାକ୍ତରଖାନାର ଆଧୁନିକୀକରଣ ଏବଂ ବିକାଶ ପାଇଁ ‘ନିର୍ମାଣ ସେ ଶକ୍ତି’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି ସେ କହିଥିଲେ। ଏହି ବୈଠକରେ କେନ୍ଦ୍ର ଶ୍ରମ ରାଷ୍ଟ୍ରମନ୍ତ୍ରୀ ରାମେଶ୍ବର ତେଲି ଓ ଅନ୍ୟମାନେ ଉପସ୍ଥିତ ଥିଲେ।