ନୂଆଦିଲ୍ଲୀ: ଜାନୁଆରି ୨୩, ୧୮୯୭ରେ ଜନ୍ମଗ୍ରହଣ କରିଥିବା ମହାନ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀକୁ ସାମିଲ କରିବା ପାଇଁ ଏଣିକି ସାଧାରଣତନ୍ତ୍ର ଦିବସ ଉତ୍ସବ ଜାନୁଆରି ୨୪ ବଦଳରେ ୨୩ରୁ ଆରମ୍ଭ ହେବ। ଆମ ଇତିହାସ ଓ ସଂସ୍କୃତିର ସ୍ମରଣୀୟ ଦିନଗୁଡ଼ିକୁ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ବ ଦେଉଥିବା ପରିପ୍ରେକ୍ଷୀରେ ଏଭଳି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଭାରତ ସରକାର ନେତାଜୀ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ କରିବା ଆରମ୍ଭ କରିଥିଲେ। କେନ୍ଦ୍ର ସରକାର ନେତାଜୀଙ୍କ ସ୍ମୃତିବିଜଡ଼ିତ ସ୍ଥାନଗୁଡ଼ିକର ନବୀକରଣ କରିବା ପାଇଁ ମଧ୍ୟ ଯୋଜନା କରିଛନ୍ତି।

Advertisment

ଚଳିତବର୍ଷ ଦ୍ବିତୀୟ ଥର ପାଇଁ ସାଧାରଣତନ୍ତ୍ର ଦିବସ କରୋନା କଟକଣା ଭିତରେ ପାଳିତ ହେବ। ଗତବର୍ଷ ଏହି ଉତ୍ସବରେ ୨୫,୦୦୦ ଲୋକ ଯୋଗ ଦେବା ଅନୁମତି ମିଳିଥିବା ବେଳେ ଏ ବର୍ଷ ୨୪,୦୦୦ କୁ କମାଇ ଦିଆଯାଇଛି। ସେହିଭଳି ଗତବର୍ଷ ଭଳି ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ କୌଣସି ବିଦେଶୀ ଅତିଥି ଯୋଗଦେବା ସମ୍ଭାବନା ନାହିଁ। କାରଣ ୫ କେନ୍ଦ୍ରୀୟ ଏସିଆ ରା‌ଷ୍ଟ୍ରର ରାଷ୍ଟ୍ରମୁଖ୍ୟ ବର୍ତ୍ତମାନ ସୁଦ୍ଧା ଯୋଗଦେବା ନେଇ ସମ୍ମତି ଦେଇନାହାନ୍ତି।