ବେଟୁଲ : ମଧ୍ୟପ୍ରଦେଶର ବେଟୁଲ ଜିଲ୍ଲା ଅନ୍ତର୍ଗତ ମାଣ୍ଡବି ଗାଁରେ ୪୦୦ ଫୁଟ୍ ଗଭୀର ନଳକୂପ (ବୋର୍‌ୱେଲ୍‌)ରେ ଖସିପଡ଼ି ୫୫ ଫୁଟ ତଳେ ଫସି ରହିଥିବା ୮ ବର୍ଷର ବାଳକକୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ଚେଷ୍ଟା କରାଯାଉଛି। କିନ୍ତୁ ଇତିମଧ୍ୟରେ ୩୮ ଘଣ୍ଟା ବିତିଗଲେ ମଧ୍ୟ ତନ୍ମୟ ସାହୁ ନାମକ ବାଳକଟି ଏବେ ବି ଗାତ ଭିତରେ ଫସି ରହିଛି।

Advertisment

ବେଟୁଲ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ୟାମେନ୍ଦ୍ର ଜୟସ୍ବାଲ କହିଛନ୍ତି ଯେ ବୋର୍‌ୱେଲ୍‌ ପାଖରେ ଆଉ ଏକ ଗାତ ଖୋଳାଯାଉଛି। ଏପର୍ଯ୍ୟନ୍ତ ୩୩ ଫୁଟ୍‌ ଯାଏ ଖୋଳା ସରିଲାଣି। ଆମେ ୪୫ ଫୁଟ୍‌ ଯାଏ ଖୋଳିସାରିବା ପରେ ଏକ ଟନେଲ ଖୋଳିବୁ। ଟାଣ ପଥର ଥିବାରୁ ଏଥିପାଇଁ ଟିକେ ସମୟ ଲାଗିବ। କିନ୍ତୁ ପିଲାଟି ଏବେ କିଛି ପ୍ରତିକ୍ରିୟା ପ୍ରକାଶ କରୁନାହିଁ। ସମ୍ଭବତଃ ସେ ବେହୋସ୍ ହୋଇଯାଇଛି। ପିଲାକୁ ବଞ୍ଚାଇବା ପାଇଁ ଆମେ ସବୁ ପ୍ରକାର ଉଦ୍ୟମ କରୁଛୁ। ଏସ୍‌ଡିଆର୍‌ଏଫ୍‌ ଟିମ୍, ହୋମ୍‌ଗାର୍ଡ ଓ ପୁଲିସ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାରକାର୍ଯ୍ୟ ପରିଚାଳନା କରୁଛନ୍ତି ବୋଲି ଜୟସ୍ବାଲ କହିଛନ୍ତି।