ରେଜାଙ୍ଗ୍‌ ଲା ସ୍ମାରକୀ ଉଦ୍‌ଘାଟିତ: ୧୯୬୨ ଯୁଦ୍ଧର ସହିଦଙ୍କୁ ସମ୍ମାନ

ନୂଆଦିଲ୍ଲୀ: ୧୯୬୨ ଭାରତ ଚୀନ ଯୁଦ୍ଧରେ ଲଦାଖ ସେକ୍ଟରର ଚୁସୁଲ-ଡୁଙ୍ଗଟି-ଲେହ ଅଞ୍ଚଳର ସୁରକ୍ଷା ପାଇଁ ୧୩ କୁମାଉଁ ବାଟାଲିୟନର ଚାର୍ଲି କମ୍ପାନିର ମେଜର ସୈତାନ ସିଂହଙ୍କ ସମେତ ୯୮ ଜଣ ଯବାନ ଦେଶପାଇଁ ପ୍ରାଣବଳି ଦେଇଥିଲେ। ଇତିହାସରେ ଏହା ରେଜାଙ୍ଗ୍ ଲା ଯୁଦ୍ଧ ଭାବେ ବେଶ୍ ପରିଚିତ। ଉକ୍ତ ଯୁଦ୍ଧର ୫୯ତମ ବ‌ାର୍ଷିକୀରେ ଲଦାଖରେ ନବନିର୍ମିତ ସ୍ମାରକୀସ୍ଥଳକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସିଡିଏସ୍‌ ବିପିନ ରାୱତ, ସ୍ଥଳସେନାର ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି, ସେନାର ନଦର୍ଣ୍ଣ କମାଣ୍ଡର ୱାଇ କେ ଯୋଶୀ ପ୍ରମୁଖ ଆଜି ଉଦ୍‌ଘାଟନ କରିଛନ୍ତି। ଉଭୟ ରେଜାଙ୍ଗ୍ ଲା ଏବଂ ଗଲୱାନ ସଂଘର୍ଷରେ ଦେଶପାଇଁ ପ୍ରାଣବଳି ଦେଇଥିବା ଭାରତୀୟ ସେନାର ବୀର ଯବାନଙ୍କ ପାଇଁ ଏହି ନବନିର୍ମିତ ସ୍ମାରକୀ ନିର୍ମାଣ ହୋଇଛି।

୧୯୬୨ ମସିହା ନଭେମ୍ବର ୧୮ ତାରିଖରେ ଭାରତୀୟ ସେନା ରେଜାଙ୍ଗ ଲା ଯୁଦ୍ଧ ଲଢ଼ିଥିଲା। ନୂଆ ସ୍ମାରକୀସ୍ଥଳ ଏକ ଉପସନା ସ୍ଥଳ ଭଳି ହୋଇଛି। ପ୍ରଥମ ଯୁଦ୍ଧ ସ୍ମାରକୀ ସ୍ତମ୍ଭ ଭାରତୀୟ ସେନା ଦ୍ବାରା ନିର୍ମାଣ ହୋଇଥିଲା। ମୋଦୀ ସରକାରଙ୍କ ଦ୍ବାରା ପ୍ରଥମ ଥର ପାଇଁ ଏହାକୁ ନୂଆ ରୂପ ଦିଆଯାଇଛି। ରେଜାଙ୍ଗ ଲା ଯୁଦ୍ଧରେ ସୈତାନ କମ୍ପାନି ଚୀନ ସେନାର ପାଖାପାଖି ୪୦୦ ଯବାନଙ୍କର ଏଭଳି କ୍ଷୟକ୍ଷତି କରିଥିଲେ ଯେ ସେମାନେ ଜଣେ ହେଲେ ଭାରତୀୟ ଯବାନଙ୍କୁ ଯୁଦ୍ଧ ବନ୍ଦୀ ଭାବେ ପାଇ ପାରି ନଥିଲେ। ସୂଚନା ଅନୁସାରେ ଚୀନ ସେନା ୧୯୬୨ ନଭେମ୍ବର ୧୮ ତାରିଖ ଭୋର ୪ଟାରେ ଲେହ ଏବଂ ‌ଚୁସୁଲ ମଧ୍ୟରେ ସଡ଼କ ଯୋଗାଯୋଗକୁ ବିଚ୍ଛିନ୍ନ କରି ଚୁସୁଲଠାରେ ଥିବା ଶସ୍ୟାଗାରରୁ ଖାଦ୍ୟ ଯୋଗାଣ ବନ୍ଦ ଉଦ୍ଦେଶ୍ୟ ରଖିଥିଲା। ଭାରତୀୟ ସେନା ପକ୍ଷରୁ ସେହିଦିନ ରାତି ୧୦ଟାରେ ଶେଷ ବନ୍ଧୁକ ଗୁଳି ଫୁଟିବା ଶୁଣାଯାଇଥିଲା। ତେବେ ସେ‌ହି ସମୟରେ ଯୁଦ୍ଧର ପ୍ରତ୍ୟକ୍ଷ ଅନୁଭୂତି ବର୍ଣ୍ଣନା କରିବା ପାଇଁ ୧୧୨ ଜଣଙ୍କ ମଧ୍ୟରୁ ୧୪ ଜଣ ଯବାନ ଜୀବିତ ଥିଲେ। ଅର୍ଥାତ୍ ୯୮ ଜଣ ଦେଶପାଇଁ ବଳିଦାନ ଦେଇଥିଲେ। ଚୀନ ସେନା ସହିତ ମେଜର ସୈତାନ ସିଂହ ଏବଂ ତାଙ୍କ କମ୍ପାନି ଭୀଷଣ ଲଢ଼େଇ କରିଥିଲେ। ରେଜାଙ୍ଗ ଲାରେ ନିର୍ମିତ ଉକ୍ତ ଯୁଦ୍ଧ ସ୍ମାରକୀକୁ ନୂଆରୂପ ଦେବାର କାରଣ ହେଲା ଉକ୍ତ ଅଞ୍ଚଳରେ ଭାରତର ଶକ୍ତିକୁ ପ୍ରଦର୍ଶିତ କରିବା। ଚୀନ ସୀମାର ଅତି ନିକଟରେ ନିର୍ମିତ ଏହି ସ୍ମାରକୀ ସ୍ଥଳ ଏଲ୍‌ଏସିର ଆରପଟୁ ଦୃଶ୍ୟମାନ ହେଉଛି।

ସମ୍ବନ୍ଧିତ ଖବର