ସୁପ୍ରିମକୋର୍ଟଙ୍କୁ କହିଲେ ସରକାର: ଗୋପନୀୟତା ଅଧିକାର ନିରଙ୍କୁଶ ନୁହେଁ, କଟକଣା ଲାଗିପାରିବ

ନୂଆଦିଲ୍ଲୀ : ରାଇଟ୍ ଟୁ ପ୍ରାଇଭେସି ବା ନାଗରିକଙ୍କ ଗୋପନୀୟତା ଅଧିକାର ନିରଙ୍କୁଶ ନୁହେଁ। ଏହା ଉପରେ ମଧ୍ୟ କଟକଣା ଲାଗିପାରିବ। ସୁପ୍ରିମକୋର୍ଟଙ୍କୁ ସରକାର ଏହା ଜଣାଇଛନ୍ତି। ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍ସ ଉପକରଣ ଜବତ, ଯାଞ୍ଚ ଏବଂ ସରଂକ୍ଷଣ କ୍ଷେତ୍ରରେ ତଦନ୍ତକାରୀ ପ୍ରତିଷ୍ଠାନଗୁଡ଼ିକ ପାଇଁ ମାର୍ଗଦର୍ଶିକା ବା ଗାଇଡଲାଇନ ପ୍ରସ୍ତୁତ କରାଯାଉ ବୋଲି ହୋଇଥିବା ଏକ ପିଟିସନ ଉପରେ କେନ୍ଦ୍ର ସରକାର ଏହା କହିଛନ୍ତି। ୫ ଜଣ ଶିକ୍ଷାବିତ୍‌ଙ୍କ ପକ୍ଷରୁ ଏ ନେଇ ଏକ ପିଟିସନ ଦାଖଲ ହୋଇଛି। ପୁଲିସ ଏବଂ ତଦନ୍ତକାରୀ ଅଧିକାରୀମାନେ ଇଲେକ୍ଟ୍ରୋନିକ୍ସ ଉପକରଣ ଜବତ ବା ଆକ୍ସେସ କରିବା ପୂର୍ବରୁ ବିଚାରବିଭାଗୀୟ ମାଜିଷ୍ଟ୍ରେଟଙ୍କ ଠାରୁ ଅନୁମତି ନେବା ଆବଶ୍ୟକ ଏବଂ ଅଭିଯୋଗ ହୋଇଥିବା ଅପରାଧ କ୍ଷେତ୍ରରେ ତାହା କିଭଳି ସେମାନଙ୍କ ପାଇଁ ପ୍ରାସଙ୍ଗିକ ବା ଦରକାର ତାହା ଉଲ୍ଲେଖ କରିବା ଆବଶ୍ୟକ ବୋଲି ଆବେଦନରେ ଶିକ୍ଷାବିତମାନେ କହିଛନ୍ତି।

ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ଅଗଷ୍ଟ ୫ରେ ଏହାର ଲିଖିତ ସତ୍ୟପାଠ ଦାଖଲ ହୋଇଛି। ସେଥିରେ ଦର୍ଶାଯାଇଛି ଏଭଳି ଆବେଦନ ବିଚାର ପାଇଁ ଯୋଗ୍ୟ ନୁହେଁ। କିନ୍ତୁ ‌ଅଦାଲତ ସେଥିରେ ସନ୍ତୁଷ୍ଟ ହୋଇ ନଥିଲେ। ଆଉଥରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ର ସରକାର ଜବାବ ଦାଖଲ ନକରିବାରୁ ଅଦାଲତ ଗତ ୧୧ ତାରିଖରେ ୨୫ ହଜାର ଟଙ୍କାର ଜରିମାନା ଲଗାଇଥିଲେ। ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ବିଚାରପତି ସଞ୍ଜୟ କିଷାନ କୌଲ ଏବଂ ଏଏସ ଓକା ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ କେନ୍ଦ୍ର ସରକାର ତାଙ୍କ ସଦ୍ୟ ଜବାବରେ ଏ ବାବଦ ସ୍ଥିତି ସ୍ପଷ୍ଟ କରିଛନ୍ତି। ତଦନ୍ତ ପରିସରରେ ଥିବା ଜଣେ ବ୍ୟକ୍ତିଙ୍କ ଡିଜିଟାଲ ଓ ଇଲେକ୍ଟ୍ରୋନିକ୍ସ ଉପକରଣ ଫେରାଇବା ଲାଗି ଏଭଳି ସାର୍ବଜନୀନ ଆଦେଶ ଦିଆ ନଯିବା ସପକ୍ଷରେ କେନ୍ଦ୍ର ସରକାର ଯୁକ୍ତି ବାଢ଼ିଛନ୍ତି ବୋଲି ଏକ ରିପୋର୍ଟରେ କୁହାଯାଇଛି। ଯଦିଓ ବିଶ୍ବର ସବୁ ଦେଶରେ ଗୋପନୀୟତା ଅଧିକାର ରହିଛି ତଥାପି ବୈଧାନିକ ଆଇନ ଜରିଆରେ ଏହାର ନିୟନ୍ତ୍ରଣ ପାଇଁ ଅନୁମତି ରହିଛି ବୋଲି କେନ୍ଦ୍ର ସରକାର କହିଛନ୍ତି।

ଅନ୍ୟପକ୍ଷରେ ଯେଉଁ ୫ ଜଣ ଶିକ୍ଷାବିତ ଗୋପନୀୟତା ଅଧିକାର ପାଇଁ ଆବେଦନ କରିଛନ୍ତି ସେମାନେ ହେଲେ ଜେଏନୟୁର ପ୍ରଫେସର ରାମ ରାମସ୍ବାମୀ, ସାବିତ୍ରୀ ଫୁଲେ ପୁନେ ବିଶ୍ବବିଦ୍ୟାଳୟର ପ୍ରଫେସର ସୁଜାତା ପଟେଲ, ହାଇଦ୍ରାବାଦସ ଇଂଲିସ ଆଣ୍ଡ ଫରେନ ଲାଙ୍ଗୁଏଜସ ୟୁନିଭର୍ସିଟିର କଲଚରାଲ ଷ୍ଟଡିଜର ପ୍ରଫେସର ମାଧବ ପ୍ରସାଦ, ଜାମିଆ ମିଲିଆ ଇସଲାମିଆର ମଡର୍ନ ଇଣ୍ଡିଆନ ହିଷ୍ଟ୍ରିର ପ୍ରଫେସର ମୁକୁଲ କେଶବ ଏବଂ ଥିଓରୋଟିକାଲ ଇକୋଲୋଜିକାଲ ଇକୋନୋମି‌ଷ୍ଟ ଦୀପକ ମାଲଘନ।

ସମ୍ବନ୍ଧିତ ଖବର