ନୂଆଦିଲ୍ଲୀ: କୋଭିଡ୍‌ ଟିକାର ଦୁଇଟି ଯାକ ମାତ୍ରା ନେଇସାରିଥିବା ହିତାଧିକାରୀମାନଙ୍କ ଭିତରୁ ୯୭.୩୮ ପ୍ରତିଶତ ଏହି ମହାମାରୀ ଭୂତାଣୁଠାରୁ ସୁରକ୍ଷିତ ରହିପାରିବେ। ସେହିପରି ସେମାନଙ୍କ ଭିତରୁ ମାତ୍ର ୦.୦୬ ପ୍ରତିଶତ କ୍ଷେତ୍ରରେ ଏହି ଭୂତାଣୁ ଦ୍ବାରା ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତ୍ତିହେବାର ଆଶଙ୍କା ରହିଛି ବୋଲି ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲ୍‌ ପକ୍ଷରୁ କରାଯଇଥିବା ଏକ ଅନୁଧ୍ୟାନରୁ ଜଣାଯାଇଛି। ଦେଶରେ ଟିକାକରଣ ଆରମ୍ଭ ହେବାର ପ୍ରଥମ ୧୦୦ ଦିନ ଭିତରେ ବିଶେଷ କରି କୋଭିସିଲ୍‌ଡ ଟିକା ନେଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ଭିତରୁ ଯେଉଁମାନେ କୋଭିଡ୍‌ ଲକ୍ଷଣ ସହ ଉକ୍ତ ଡାକ୍ତରଖାନାକୁ ଆସିଥିଲେ, ସେମାନଙ୍କ ଉପରେ ଅନୁଧ୍ୟାନ ଚଳାଇ ହସ୍ପିଟାଲ ପକ୍ଷରୁ ଏପରି ନିର୍ଯାସ ମିଳିପାରିଛି।

Advertisment

ଆପୋଲୋ ହସ୍ପିଟାଲ୍‌ସ ଗ୍ରୁପ୍‌ର ନିର୍ଦ୍ଦେଶକ ଡା. ଅନୁପମ ସିବାଲଙ୍କ କହିବା ଅନୁଯାୟୀ, ସମ୍ପ୍ରତି ଦେଶରେ କୋଭିଡ୍‌-୧୯ ଦ୍ବିତୀୟ ଲହର ସଂକ୍ରମଣ ଜାରି ରହିଥିବା ଅବସରରେ ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ ଚାଲୁ ରହିଛି। ଟିକା ନେଲା ପରେ କାହା କାହା ଠାରେ କୋଭିଡ୍‌ ସଂକ୍ରମଣ ଦେଖାଦେଉଥିବାର ଅଭିଯୋଗ ମାନ ପହଞ୍ଚୁଛି ଯାହାକୁ ମହତ୍ବପୂର୍ଣ୍ଣ ସଂକ୍ରମଣ ତଥ୍ୟ ଭାବେ ବିବେଚନା କରାଯାଏ। ଏପରି ସଂକ୍ରମଣ କିଛି ବ୍ୟକ୍ତିଙ୍କ ଠାରେ ଟିକାର ପ୍ରଥମ ମାତ୍ରା ନେଲା ପରେ ଏବଂ କାହା କାହା ଠାରେ ଉଭୟ ମାତ୍ରା ନେଲା ପରେ ବି ଦେଖାଦେଇଥାଏ। ମୋଟ ୩,୨୩୫ ଜଣ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ କରାଯାଇଥିବା ଏହି ଅନୁଧ୍ୟାନ ଅନୁଯାୟୀ, ସେମାନଙ୍କ ଭିତରୁ ମାତ୍ର ୮୫ ଜଣ ସଂକ୍ରମିତ ହୋଇଥିଲେ।

ଏପରିକି ସେମାନଙ୍କ ଭିତରୁ ୨୦ ଜଣ ପ୍ରଥମ ମାତ୍ରା ନେଇଥିବା ବେଳେ ୮୫ ଜଣଙ୍କର ସମ୍ପୂର୍ଣ୍ଣ ଟିକାକରଣ କରାଯାଇଥିଲା। କୋଭିଡ୍‌ ଟିକା ନେଲେ ଜଣେ ଶତ ପ୍ରତିଶତ ରୋଗପ୍ରତିରୋଧକତା ବିକଶିତ କରିନପାରେ। ତେବେ ସଂପୂର୍ଣ୍ଣ ଟିକାକରଣ ପରେ ଜଣଙ୍କ ଠାରେ ଗୁରୁତର କୋଭିଡ୍‌ ଲକ୍ଷଣ ଆଉ ଜଣାପଡ଼ିବ ନାହିଁ ବୋଲି ଡା. ସିବାଲ କହିଛନ୍ତି। । ତେବେ ଟିକା ନେଇଥିବା ହିତାଧିକାରୀଙ୍କ ଭିତରୁ ଯେଉଁ ନଗଣ୍ୟ ପ୍ରତିଶତ ସଂକ୍ରମଣର ଶିକାର ହୋଇଥାନ୍ତି, ସେମାନଙ୍କ ଠାରେ ରୋଗର ଅତିଶୟତା ଆଦୌ ନଥାଏ।