୫ ରାଜ୍ୟରେ ନିୟମ କଡ଼ାକଡ଼ି: ସୀମା ଓ ବିମାନ ବନ୍ଦରରେ କରୋନା ଟେଷ୍ଟ ବାଧ୍ୟତାମୂଳକ

ପ୍ରଧାନମନ୍ତ୍ରୀଙ୍କ ଅଫିସ୍‌ରେ କରୋନା ସ୍ଥିତି ସମୀକ୍ଷା

ନୂଆଦିଲ୍ଲୀ: ଦେଶରେ ପୁଣିଥରେ କରୋନା ସଂକ୍ରମଣ ଚିନ୍ତା ବଢ଼ାଇଛି। ମହାରାଷ୍ଟ୍ର ସମେତ ୭ଟି ରାଜ୍ୟରେ ଲଗାତାର ସଂକ୍ରମଣ ବଢ଼ୁଛି। ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ, ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶ ଭଳି ୫ଟି ରାଜ୍ୟରେ ହାଇ ଆଲର୍ଟ ଭଳି ସ୍ଥିତି ସୃଷ୍ଟି ହୋଇଛି। ସେଠାରେ କରୋନା ନିୟମ କଡ଼ାକଡ଼ି କରାଯାଇଛି। ମହାରାଷ୍ଟ୍ରରୁ ଆସୁଥିବା ବ୍ୟକ୍ତିଙ୍କୁ ସୀମାରେ କରୋନା ଟେଷ୍ଟିଂ ପାଇଁ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଏବଂ ଗୁଜରାଟ ସରକାର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ମହାରାଷ୍ଟ୍ର ଏବଂ ରାଜସ୍ଥାନରେ ସଂକ୍ରମଣ ବୃଦ୍ଧି ହେବାରୁ ଏହି ୨ଟି ରାଜ୍ୟରେ ରାଜ୍ୟ ସରକାର ବିଭିନ୍ନ ସହରରେ ଲକ୍‌ଡା‌ଉନ୍‌ ଏବଂ କର୍ଫ୍ୟୁ ଜାରି କରିଛନ୍ତି।

ରାଜସ୍ଥାନ ସରକାର ଯୋଧପୁରରେ ୧୪୪ ଧାରା ଜାରି କରିଥିବାବେଳେ ମହାରାଷ୍ଟ୍ରର ଅମରାବତୀ, ମୁମ୍ବାଇ, ନାଗପୁର, ପୁନେ , ପିମ୍ପଡ଼ି ଛିଞ୍ଚୱାଡ଼ା , ନାସିକ , ଔରଙ୍ଗାବାଦ୍‌, ଥାନେ, ନାଭି ମୁମ୍ବାଇ, କଲ୍ୟାଣ-ଦୋମ୍ବିଭ୍‌ଲି, ଅକୋଲା, ୟବତମାଲ୍‌, ୱାଶିମ୍‌ ଏବଂ ବୁଲ୍‌ଧାନାରେ କଟକଣା କଡ଼ାକଡ଼ି କରାଯାଇଛି। ମରାରାଷ୍ଟ୍ର ସରକାର ଲୋକଙ୍କୁ କରୋନା ନିୟମ ମାନିବା ପାଇଁ କହିଛନ୍ତି। ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ବ ଅବଲମ୍ବନ କରିବା ପାଇଁ ଲୋକମାନଙ୍କୁ ଚେତାଇ ଦିଆଯାଇଛି। ରାଜ୍ୟରେ ସମସ୍ତ ପ୍ରକାର ଧାର୍ମିକ, ସାମାଜିକ ଏବଂ ରାଜନୈତିକ ସମାବେଶକୁ ବାରଣ କରାଯାଇଛି। ମଧ୍ୟପ୍ରଦେଶ ଏବଂ ଗୁଜରାଟ‌ରେ ବି ସତର୍କତା ବଢ଼ିଛି। ଅଧିକ ବିପଦ ଥିବା ରାଜ୍ୟମାନଙ୍କରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଏହି ୨ଟି ରାଜ୍ୟର ଥର୍ମାଲ୍‌ ସ୍କାନିଂ ବ୍ୟବସ୍ଥା କରାଯାଇଛି।

ତେବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ମହାରାଷ୍ଟ୍ର, କେରଳ, ଛତିଶଗଡ଼, ପଂଜାବ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶରେ ସଂକ୍ରମଣ ବଢ଼ିବା ଯୋଗୁଁ ସକ୍ରିୟ ମାମଲା ବୃଦ୍ଧି ହୋଇଛି। ଉତ୍ତରପ୍ରଦେଶ ସରକାର ମଧ୍ୟ ଅଧିକାରୀମାନଙ୍କୁ ସଚେତନ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତରପ୍ରଦେଶ ଅନ୍ୟ ରାଜ୍ୟର ଯାତ୍ରୀମାନଙ୍କ ପାଇଁ ଶୀଘ୍ର ଏକ ନିର୍ଦ୍ଦେଶାବଳି ଜାରି କରିବ। ପଂଜାବରେ ମଧ୍ୟ କଟକଣା କଡ଼ାକଡ଼ି କରାଯାଇଛି। ସଂକ୍ରମଣ ବଢ଼ିବାରୁ ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଉଭୟ ଆଭ୍ୟନ୍ତରୀଣ ଏବଂ ବାହ୍ୟ ସମାବେଶ ଉପରେ କଟକଣା ଲଗାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଭ୍ୟନ୍ତରୀଣ ସମାବେଶରେ ୧୦୦ରୁ ଅଧିକ ଏବଂ ବାହ୍ୟ ସମାବେଶରେ ୨୦୦ରୁ ଅଧିକ ଲୋକ ରହିବେନି। ଆସନ୍ତା ମାର୍ଚ୍ଚ ୧ ତାରିଖରୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ। ସେହିପରି ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତ୍ବ ଅବଲମ୍ବନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଦେଶରେ ଗତକାଲି ୧୦,୫୮୪ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହେବା ସହ ମୋଟ୍ ସଂକ୍ରମଣ ସଂଖ୍ୟା ୧,୧୦,୧୬,୪୩୪ ପହଞ୍ଚିଛି।

ନୂଆଦିଲ୍ଲୀ : ଦେଶରେ ପୁଣିଥରେ କରୋନା ସଂକ୍ରମଣ ବଢ଼ୁଥିବାରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ମହାରାଷ୍ଟ୍ର ଏବଂ କେରଳ‌ରେ ସକ୍ରିୟ ମାମଲା ୫୦ ହଜାରରୁ ଅଧିକ ରହୁଛି। ଆଜିର ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଉପସ୍ଥିତ ଥିଲେ। ତେବେ ବୈଠକରେ କି ନିଷ୍ପତ୍ତି ନିଆଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଗତକାଲି ଦେଶର କୋଭିଡ୍‌ ସ୍ଥିତି ସମୀକ୍ଷା କରିଥିଲେ। ବୈଠକରେ ମହାରାଷ୍ଟ୍ର କୋଭିଡ୍‌ ଟାସ୍କ ଫୋର୍ସ‌୍‌ର ସଦସ୍ୟ ଡା ଶଶାଙ୍କ ଯୋଶୀ କହିଛନ୍ତି, ଦେଶରେ କରୋନାର ୨୪୦ ନୂଆ ଷ୍ଟ୍ରେନ୍‌ ପାଇଁ ସଂକ୍ରମଣ ହଠାତ୍‌ ବଢ଼ିଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାନୁଯାୟୀ ମହାରାଷ୍ଟ୍ର ଏବଂ କେରଳରୁ ଆଜି ସକାଳେ ୮୦୦ ରୁ ୯୦୦ ନମୁନା ଜେନୋମ୍‌ ସିକ୍ବେନ୍ସିଂ ପାଇଁ ପଠାଯାଇଛି। ଏଯା‌ବତ୍‌ ୬ ହଜାର ନମୁନାର ଜେନମ୍‌ ସିକ୍ବେନ୍ସିଂ ସରିଛି।

ନୂଆଦିଲ୍ଲୀ : ଦେଶରେ କରୋନାର ବିଭିନ୍ନ ନୂଆ ପ୍ରଜାତି ପାଇଁ ହଠାତ୍‌ ସଂକ୍ରମଣ ବଢ଼ିଛି ବୋଲି କୁହାଯାଉଛି। ତେବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ଏଯାବତ୍‌ ଦେଶରେ ୧୮୭ ଜଣଙ୍କ ଶରୀରରେ ବ୍ରିଟେନ୍‌ ପ୍ରଜାତିର କରୋନା ଭୂତାଣୁ ଚିହ୍ନଟ ହୋଇଥିବାବେଳେ ୬ ଜଣଙ୍କ ଶରୀରରେ ଦକ୍ଷିଣ ଆଫ୍ରିକୀୟ କରୋନା ପ୍ରଜାତି ଏବଂ ଜଣଙ୍କଠାରେ ବ୍ରାଜିଲୀୟ କରୋନା ପ୍ରଜାତି ଚିହ୍ନଟ ହୋଇଛି। ତେବେ ଏହି ନୂଆ ପ୍ରଜାତିଗୁଡ଼ିକ ପାଇଁ ଯେ, ଦେଶରେ ସଂକ୍ରମଣ ବୃଦ୍ଧି ହେଉଛି ସେନେଇ କୌଣସି ପ୍ରମାଣ ନାହିଁ। ସ୍ବାସ୍ଥ୍ୟ ମନ୍ତ୍ରାଳୟ ସଚିବ ରାଜେଶ ଭୂଷଣ କହିଛନ୍ତି, ଦେଶରେ ପଜିଟିଭ୍‌ ହାର ୫.୧୯ ପ୍ରତିଶତ ରହିଛି ଏବଂ ଏହା ଲଗାତାର ଭାବେ କମୁଛି। ମହାରାଷ୍ଟ୍ର ଏବଂ କେରଳରେ ଏବେ ବି ୭୫ ପ୍ରତିଶତ ସକ୍ରିୟ ମାମଲା ରହିଛି।

ସମ୍ବନ୍ଧିତ ଖବର