ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୭.୭୩; ଅବମୂଲ୍ୟାୟନ ସର୍ବକାଳୀନ ରେକର୍ଡ ଛୁଇଁଲା

ନୂଆଦିଲ୍ଲୀ: ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟରେ ଅବମୂଲ୍ୟାୟନ ଘଟିଛି। ଗୁରୁବାର ଗୋଟିଏ ଆମେରିକୀୟ ଡଲାରର ମୂଲ୍ୟ ୭୭.୭୩ ଟଙ୍କାରେ ପହଞ୍ଚିଛି। ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟରେ ଏପରି ଅବମୂଲ୍ୟାୟନ ଏକ ନୂତନ ସର୍ବକାଳୀନ ସର୍ବନିମ୍ନ ସ୍ତର ଥିବା କହିଛି ବ୍ଲୁମ୍‌ବର୍ଗ। ଷ୍ଟକ ବଜାରରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ଏବେ ଚିନ୍ତାର କାରଣ ପାଲଟିଛି।

ଅନ୍ୟପକ୍ଷରେ ଡଲାର ତୁଳନାରେ ଭାରତୀୟ ଟଙ୍କର ମୂଲ୍ୟ ହ୍ରାସ ଷ୍ଟକ ବଜାର କାରବାରକୁ ଗଭୀର ଭାବେ ପ୍ରଭାବିତ କରିଛି। ଆନ୍ତଃବ୍ୟାଙ୍କ ବୈଦେଶିକ ମୁଦ୍ରା ବଜାରରେ ଗୁରୁବାର ଟଙ୍କା ଗ୍ରୀନବ୍ୟାକ୍‌ ବିରୁଦ୍ଧରେ ୭୭.୭୬ରେ ଖୋଲିଥିଲା ଏବଂ ବ୍ୟବସାୟ କାଳରେ ୭୭.୬୩ ମଧ୍ୟରେ ରହିଥିଲା। ବୁଧବାରର ମୁଦ୍ରାସ୍ଫୀତି ଏବଂ ଅର୍ଥନୈତିକ ମାନ୍ଦାବସ୍ଥା କାରଣରୁ ଡଲାର ତୁଳନାରେ ଭାରତୀୟ ଟଙ୍କା ରେକର୍ଡ ନିମ୍ନସ୍ତରରେ ପହଞ୍ଚିଥିବା ଅର୍ଥଶାସ୍ତ୍ରୀମାନେ କହିଛନ୍ତି।

ଟପ୍‌ ଲାଇନ୍‌ ସିକ୍ୟୁରିଟିଜ୍‌ର ବିଶ୍ଳେଷକ କହିଛନ୍ତି, ଯେପର୍ଯ୍ୟନ୍ତ ସରକାର ଅର୍ଥନୈତିକ ମାନ୍ଦାବସ୍ଥାକୁ କିପରି ବନ୍ଦ କରିବାକୁ ଚାହୁଁଛନ୍ତି ଏବଂ ବଜାରର ପୁନରୁଦ୍ଧାର ପାଇଁ କ’ଣ ଯୋଜନା ପ୍ରସ୍ତୁତ କରୁଛନ୍ତି ସେ ସଂପର୍କରେ ଅଧିକ ସ୍ପଷ୍ଟତା  ନ ଦେଖାଇଛନ୍ତି ସେପର୍ଯ୍ୟନ୍ତ ବଜାର ଏହିପରି ଅନିଶ୍ଚିତତା ମଧ୍ୟରେ କାର୍ଯ୍ୟ କରୁଥିବ ଏବଂ ଦିନକୁ ଦିନ ଡଲାର ଲାଭ କରିଚାଲିଥିବ।

କେବଳ ଭାରତୀୟ ଟଙ୍କା ନୁହେଁ, ପାକିସ୍ତାନୀ ଟଙ୍କା ମଧ୍ୟ ଏହାର ମାସବ୍ୟାପୀ ଅବମୂଲ୍ୟାୟନ ଜାରି ରଖିଛି। ଗୁରୁବାର ଦିନ ଆମେରିକୀୟ ଡଲାର ତୁଳନାରେ ପାକିସ୍ତାନୀ ମୁଦ୍ରା କାରବାର ସର୍ବକାଳୀନ ସର୍ବନିମ୍ନ ୨୦୦ ଟଙ୍କାରେ ପହଞ୍ଚିଛି।

ସମ୍ବନ୍ଧିତ ଖବର