ରୁଷ୍-ୟୁକ୍ରେନ୍ ଯୁଦ୍ଧ: ଭାରତକୁ କୂଟନୀତିର ଖଣ୍ଡାଧାରରେ ଚାଲିବାକୁ ପଡ଼ୁଛି

ନୂଆଦିଲ୍ଲୀ: ଭାରତ ରୁଷିଆ-ନିର୍ମିତ ଅସ୍ତ୍ରଶସ୍ତ୍ର ଉପରେ ଅଧିକ ନିର୍ଭର କରୁଥିବା ବେଳେ ୟୁକ୍ରେନ୍ ଯୁଦ୍ଧକୁ ନେଇ ରୁଷିଆ ଉପରେ ଆମେରିକାର କଟକଣା ଯୋଗୁ ଚୀନ୍ ବିପକ୍ଷରେ ଉଚ୍ଚସ୍ତରର ସାମରିକ ପ୍ରସ୍ତୁତି କିପରି କରାଯିବ ତାହା ଏବେ ଭାରତ ପାଇଁ ଆହ୍ବାନର ବିଷୟ ହୋଇଛି। ୨୦୨୦ ମେ ମାସରେ ଚୀନ୍‌ ସେନାର ପୂର୍ବାଞ୍ଚଳ ଲଦାଖରେ ଘନଘନ ଅନୁପ୍ରବେଶ ପରେ ଭାରତୀୟ ସେନା ଅଧିକ ଅସ୍ତ୍ରଶସ୍ତ୍ରର ଜରୁରୀ ଆବଶ୍ୟକତା ଅନୁଭବ କରୁଛି। ଭାରତ ମୁଖ୍ୟତଃ ରୁଷିଆରୁ ଅସ୍ତ୍ରଶସ୍ତ୍ର କିଣୁଥିବା ବେଳେ ବର୍ତ୍ତମାନ ରୁଷିଆ ବିରୋଧରେ ଆମେରିକା ଓ ପାଶ୍ଚାତ୍ୟ ଦେଶଗୁଡ଼ିକର କଟକଣା ସମସ୍ୟା ସୃଷ୍ଟି କରିଛି। ଏହି ସମୟରେ ଭାରତ ଯଦି ରୁଷିଆରୁ ଅସ୍ତ୍ରଶସ୍ତ୍ର ଆଣେ ତେବେ ଆମେରିକା ଭାରତ ଉପରେ ବି କଟକଣା ଲଗାଇଦେଇପାରେ। ଏଥିପାଇଁ ଆମେରିକାର କାଟ୍‌ସା (କାଉଣ୍ଟରିଂ ଆମେରିକାଜ୍ ଆଡ୍‌ଭର୍ସାରିଜ୍ ଥ୍ରୁ ସାଙ୍କସନ୍ସ ଆକ୍ଟ) ଆଇନ ରହିଛି। ଭାରତର ୭୦ ପ୍ରତିଶତ ଅସ୍ତ୍ରଶସ୍ତ୍ର ବା ଯନ୍ତ୍ରାଂଶ ରୁଷିଆରୁ ଆସିଥାଏ। ତେବେ ଚୀନ୍ ଓ ତୁର୍କୀ ଉପରେ ଆମେରିକା ପୂର୍ବରୁ କାଟ୍‌ସା ଲାଗୁ କରିଥିବା ବେଳେ ଭାରତ ରୁଷିଆରୁ ପାଞ୍ଚଟି ଏସ୍‌-୪୦୦ ସିଷ୍ଟମ୍ ଆଣିଥିଲେ ମଧ୍ୟ ଭାରତ ବିରୋଧରେ ଏହି ଆଇନ ଲାଗୁ କରିନାହିଁ। ଏକ ଟ୍ରେନିଂ ଏସ୍-୪୦୦ ସ୍କ୍ବାଡ୍ରନ୍ ଚଳିତ ମାର୍ଚ୍ଚ ମାସରେ ରୁଷିଆରୁ ଆସିବାର ଥିଲା। ଏହାପରେ ଦ୍ବିତୀୟ ଅପରେସନାଲ ସ୍କ୍ବାଡ୍ରନ୍ ଜୁନ୍-ଜୁଲାଇରେ ଆସିବାର ଥିଲା। ବର୍ତ୍ତମାନ ଏଗୁଡ଼ିକ ଯଥା ସମୟରେ ଭାରତ ଆସିବାରେ ବାଧା ସୃଷ୍ଟି ହୋଇପାରେ ବୋଲି ଅନୁମାନ କରାଯାଉଛି।

ସୂଚନାଯୋଗ୍ୟ, ୧୯୬୦ ଦଶକ ପ୍ରାରମ୍ଭରେ ଆମେରିକା ଏଫ୍‌-୧୦୪ ଯୁଦ୍ଧବିମାନ ପାକିସ୍ତାନକୁ ବିକିଥିବା ବେଳେ ଭାରତକୁ ଦେବାକୁ କୁନ୍ଥୁକୁନ୍ଥୁ ହୋଇଥିଲା। ତେଣୁ ୧୯୬୩ରେ ଭାରତ ତା’ଠାରୁ ଅଧିକ ଉନ୍ନତ ଅଥଚ କମ୍ ଦାମ୍‌ବାଲା ମିଗ୍-୨୧ ଜେଟ୍ ରୁଷିଆରୁ କିଣିଥିଲା। ସେବେଠାରୁ ରୁଷିଆ ଭାରତର ବଡ଼ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ବନ୍ଧୁରାଷ୍ଟ୍ରରେ ପରିଗଣିତ ହୋଇଆସୁଛି। ତେବେ ୨୦୦୭ରେ ଆମେରିକା ସହ ଭାରତର ରଣନୀତିକ ସମ୍ପର୍କ ବଢ଼ିଲା ଏବଂ ଆମେରିକା ଭାରତଠାରୁ ୨୧୦୦ କୋଟି ଡଲାରର ପ୍ରତିରକ୍ଷା ଚୁକ୍ତି ହାତେଇନେଲା। ତଥାପି ରୁଷିଆ ଭାରତର ସବୁଠାରୁ ବଡ଼ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ରାଷ୍ଟ୍ର ହୋଇ ରହିଛି। ଅସ୍ତ୍ରଶସ୍ତ୍ର ଓ ଜ୍ଞାନକୌଶଳ ଲାଗି ଭାରତ ରୁଷିଆ ଉପରେ ସର୍ବାଧିକ ନିର୍ଭର କରୁଥିବାରୁ ୟୁକ୍ରେନ୍ ଯୁଦ୍ଧକୁ ନେଇ ରୁଷିଆ ବିରୋଧରେ ମତ ଦେବାରୁ ବିରତ ରହିବାକୁ ବାଧ୍ୟ ହୋଇଛି। ଭାରତକୁ କୂଟନୀତିର ଖଣ୍ଡାଧାରରେ ଚାଲିବାକୁ ପଡ଼ୁଛି।

ସମ୍ବନ୍ଧିତ ଖବର