ଆମ ଆଣବିକ ବାହିନୀ ପ୍ରସ୍ତୁତ : ଆମେରିକାକୁ ରୁଷର ଚେତାବନୀ

ମସ୍କୋ : ୟୁକ୍ରେନକୁ ଦୂରଗାମୀ ରକେଟ ସିଷ୍ଟମ ପ୍ରଦାନ କରିବାକୁ ଆମେରିକାର ଘୋଷଣା କରିବା ପରେ ସ୍ଥିତି ପୁଣି ଜଟିଳ ହୋଇଛି । ଆମେରିକାକୁ  ଜବାବ ଦେଇ ରୁଷ କହିଛି ଯେ ତାହାର ନ୍ୟୁକ୍ଲିଅର ଫୋର୍ସ ବା ଆଣବିକ ବାହିନୀ ପ୍ରସ୍ତୁତ ରହିଛି ।

ରୁଷର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଏହାର ଆଣବିକ ଫୋର୍ସ ଇଭାନୋଭୋ ରାଜ୍ୟରେ ଆଣବିକ ଆକ୍ରମଣର ଅଭ୍ୟାସ କରିଛି । ୟାର୍ସ ଅନ୍ତଃମହାଦେଶୀୟ ବାଲିଷ୍ଟକ କ୍ଷେପଣାସ୍ତ୍ର ବ୍ୟବହାର କରି  ଏହି ଅଭ୍ୟାସ କରାଯାଇଥିଲା ଓ ଏଥିରେ ପ୍ରାୟ ୧ ହଜାର ସୈନ୍ୟ ଓ ୧୦୦ରୁ ଅଧିକ ସାମରିକ ଯାନକୁ ନିୟୋଜିତ କରାଯାଇଥିଲା । ତେବେ ଆମେରିକାର ନାଁ ନ ନେଇ ରୁଷ ଏହି ବୟାନ ଜାରି କରିଛି ।

ରୁଷର ଜଣେ ସେନା ଅଧିକାରୀ କହିଛନ୍ତି ଯେ ଜିରକନ ହାଇପରସୋନିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଶେଷ ହୋଇଛି । ଏହି କ୍ଷେପଣାସ୍ତ୍ରକୁ ଚଳିତ ବର୍ଷ ଶେଷସୁଦ୍ଧା ନଦର୍ଣ୍ଣ ଫ୍ଲିଟର ଏକ ଜାହାଜରେ ଏହାକୁ ମୁତୟନ କରାଯିବ । ଏହି ଅମୋଘ ଅସ୍ତ୍ରକୁ କୌଣସି ବାୟୁ ପ୍ରତିରୋଧ ବ୍ୟବସ୍ଥା ଅଟକାଇ ପାରିବ ନାହିଁ ବୋଲି ରୁଷ ଦାବି କରିଛି ।

ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଘୋଷଣା କରିଥିଲେ ଯେ ତାଙ୍କ ଦେଶ ୟୁକ୍ରେନକୁ ଦୂରଗାମୀ ରକେଟ ସିଷ୍ଟମ ପ୍ରଦାନ କରିବ । ଏହାକୁ ବ୍ୟବହାର କରି ୟୁକ୍ରେନ ରୁଷର ଆଭ୍ୟନ୍ତରୀଣ ଅଂଚଳକୁ ଏପରିକି ମସ୍କୋକୁ ଟାର୍ଗେଟ୍ କରିପାରିବ ।

ସମ୍ବନ୍ଧିତ ଖବର