ରୁଷ୍‌ ଦଖଲରେ ଲିମାନ୍‌ ସହର: ମାଇକୋଲେବ, ଖାରକିଭରେ ଜୋରଦାର ଆକ୍ରମଣ

ଖେରସନ୍‌ ସୀମାକୁ ବନ୍ଦ କଲା ରୁଷ୍‌

କିବ୍‌: ପୂର୍ବ ୟୁକ୍ରେନ୍‌ରେ ରୁଷ୍‌ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି। ସମଗ୍ର ପୂର୍ବ ୟୁକ୍ରେନ୍‌କୁ ଦଖଲ କରିବା ଏବେ ରୁଷ୍‌ର ପ୍ରମୁଖ ଲକ୍ଷ୍ୟ। ରୁଷ୍‌ ପୂର୍ବ ୟୁକ୍ରେନ୍‌ର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ସହର ଲିମାନ୍‌କୁ ଆଜି ନିୟନ୍ତ୍ରଣକୁ ନେଇଛି। ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏ ବାବଦ ସୂଚନା ଜାରି କରାଯାଇଛି। ସେଠାରେ ରୁଷ୍‌ ସେନା ନିୟନ୍ତ୍ରଣରେ ଜରୁରୀ ସେବା କାର୍ଯ୍ୟ ଚାଲିଛି ବୋଲି କୁହାଯାଇଛି। ଡୋନେସ୍କ ପିପୁଲ୍ସ ରିପବ୍ଲିକ୍‌ର ରୁଷ୍‌ ସମର୍ଥିତ ବିଚ୍ଛିନତାବାଦୀମାନେ ଏହି ସହରକୁ ଦଖଲ କରିବା ପରେ ସମସ୍ତ ପ୍ରଶାସନିକ ଭବନକୁ ନିୟନ୍ତ୍ରଣକୁ ନେଇ ଲୋକଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। କେବଳ ଲିମାନ୍‌ ସହର ନୁହେଁ ସେଭେରୋଡୋନେସ୍କର ପଶ୍ଚିମରେ ଥିବା ଏକ ରେଳଷ୍ଟେସନ୍‌ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନକୁ ମଧ୍ୟ ରୁଷ୍‌ ଦଖଲ କରିନେଇଛି। ଉଲ୍ଲେଖଯୋଗ୍ୟ, ଲିମାନ୍‌ରେ ଦୀର୍ଘ ଦିନ ଧରି ଲଢ଼େଇ ଚାଲିଥିଲା। ଯୋଗାଯୋଗ ଓ ପରିବହନ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଏହି ସହରକୁ ଦଖଲ କରି ରୁଷ୍‌ ଦଖଲକୁ ଯିବା ପରେ ୟୁକ୍ରେନ୍‌ ସେନାର ସମସ୍ୟା ବଢ଼ିଯାଇଛି।

ଦ୍ବିତୀୟ ବୃହତ୍ତମ ସହର ଖାରକିଭରେ ରୁଷ୍‌ ପୁଣି ଥରେ ଆକ୍ରମଣ ଆରମ୍ଭ କରିଛି। ମାଇକୋ‌ଲେବ୍‌ ଏବେ ୟୁକ୍ରେନ୍‌ ସରକାରଙ୍କ ନିୟନ୍ତ୍ରଣରେ ଅଛି କିନ୍ତୁ ଏହା ରୁଷ୍‌ ଦଖଲ କରିଥିବା ସହର ଖେରସନ୍‌ଠାରୁ ମାତ୍ର ୬୦ କିମି ଦୂରରେ। ମାଇକୋଲେବ୍ ସହରରେ ଆଜି ସକାଳେ ବୋମାବର୍ଷା ହୋଇଛି। ଖାରକିଭରେ ମଧ୍ୟ ଆଜି ଜୋରଦାର ଗୋଳାବର୍ଷା‌ ହୋଇଛି। ଇତି ମଧ୍ୟରେ ରୁଷ୍‌ ନିୟନ୍ତ୍ରିତ ସହର ଖେରସନ୍‌ରେ ସମଗ୍ର ସୀମାକୁ ରୁଷ୍‌ ବନ୍ଦ କରିଦେଇଛି। ଦକ୍ଷିଣ ୟୁକ୍ରେନ୍‌ର ଖେରସନ୍‌ ସ୍ଥିତ ସମସ୍ତ ଅଞ୍ଚଳରୁ ରୁଷ୍‌ ଯୁଦ୍ଧ ଆରମ୍ଭରୁ ଅକ୍ତିଆର କରିନେଇଛି। ଡୋନବାସ୍‌ରେ ଅତି ଜଟିଳ ସ୍ଥିତି ଉପୁଜିଛି ବୋଲି ୟ‌ୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି କହିଛନ୍ତି। ଡୋନବାସରେ ରୁଷ୍‌ ଅସ୍ତ୍ର ଓ ସୈନିକ ମୁତୟନ ମଧ୍ୟ ବଢ଼ାଇଛି। ଡୋନ୍‌ବାସରେ ମାରିୟୁପୋଲ୍‌ ସ୍ଥିତି ଉପୁଜିବ ବୋଲି ଜେଲେନସ୍କି ଆଶଙ୍କା ବ୍ୟକ୍ତ କରିବା ସହ ପଶ୍ଚିମ ରାଷ୍ଟ୍ରଙ୍କ ସହାୟତା ଲୋଡ଼ିଛନ୍ତି।

ସମ୍ବନ୍ଧିତ ଖବର