ନୂଆଦିଲ୍ଲୀ: ଯେତେବେଳେ ଦେଶସାରା ଦୀପାବଳି ପାଳନ ହେଉଥିଲା ସେତେବେଳେ ଉତ୍ତରାଖଣ୍ଡର ଦୁର୍ଗମ କୋଣରେ ସିଲ୍କୟାରା ଓ ବାରକୋଟ ମଧ୍ୟରେ ନିର୍ମାଣାଧୀନ ସୁଡ଼ଙ୍ଗରେ ନବଯୁଗ ଇଞ୍ଜିନିୟରିଂ କମ୍ପାନି ଲିମିଟେଡ୍ (ଏନ୍ଇସିଏଲ୍)ର ୪୧ ଜଣ ଶ୍ରମିକ ଫସି ରହିଥିବା ନେଇ ନିରାଶାଜନକ ଖବର ପ୍ରକାଶ ପାଇଥିଲା। ଫଳରେ ନିର୍ମାଣ ଶ୍ରମିକଙ୍କ ଅସହାୟ ସମ୍ପର୍କୀୟମାନଙ୍କ ଦୀପାବଳି ପାଳନ ଅଧାରେ ରହିଯାଇଥିଲା। ସୁଡ଼ଙ୍ଗ ଭିତରେ ୧୭ ଦିନ ରହିବା ପରେ ଶେଷରେ ମଙ୍ଗଳବାର ସନ୍ଧ୍ୟାରେ ୧୨ ଜଣ ରୢାଟ୍ହୋଲ୍ ମାଇନର ମାନୁଆଲ ଡ୍ରିଲିଂ କରି ଭିତରେ ପଶି ସେମାନଙ୍କୁ ଉଦ୍ଧାର କରିଥିଲେ। ଏହି ଉଦ୍ଧାରକୁ ଅନେକ ଶ୍ରମିକ ଭଗବାନଙ୍କ ଦୟା ବୋଲି ବର୍ଣ୍ଣନା କରିଛନ୍ତି। ଉଦ୍ଧାର ଶ୍ରମିକ ସବା ଅହମଦ କହିଛନ୍ତି, ଆମ ପାଇଁ ଦୁନିଆ ପୁଣି ସୁନ୍ଦର ହୋଇଯାଇଛି। ଟନେଲ ଉଦ୍ଧାର କାର୍ଯ୍ୟର ସଫଳତା ସାରା ଦେଶରେ ଆନନ୍ଦ ଓ ଉତ୍ସାହ ସୃଷ୍ଟି କରିଥିଲା। ସୁଡ଼ଙ୍ଗ ମୁହଁରେ ଖୁସିର ଦୃଶ୍ୟ ଦେଖିବାକୁ ମିଳିଥିଲା ଏବଂ ଉଭୟ ଉଦ୍ଧାରକାରୀ ଓ ଉଦ୍ଧାରପ୍ରାପ୍ତ ଲୋକଙ୍କ ମୁହଁରେ ହସର ଝଲକ ଦେଖିବାକୁ ମିଳିଥିଲା।
ସେତେବେଳର ସମୟ ଥିଲା ଏହିପରି। ସେପଟେ ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ଫାଇନାଲ୍ରେ ଅଷ୍ଟ୍ରେଲିଆଠାରୁ ଭାରତୀୟ କ୍ରିକେଟ୍ ଦଳର ଶୋଚନୀୟ ପରାଜୟର ଦୁଃଖ କୋଟି କୋଟି ଲୋକଙ୍କ ମନକୁ ବିଷାଦରେ ଭରିଦେଉଥିଲା। ପୃଥିବୀର ବିଭିନ୍ନ ସ୍ଥାନରେ ଦୁଇଟି ଯୁଦ୍ଧ ଏବଂ ମୃତ୍ୟୁ ଓ ବିନାଶର ଖବରକୁ ନେଇ ଚର୍ଚ୍ଚା ଚାଲିଥିଲା। ଏପଟେ ଉଦ୍ଧାର କାର୍ଯ୍ୟରେ ବାରମ୍ବାର ବାଧା ସୃଷ୍ଟି ହେଉଥିଲା। ପରେ ଯେତେବେଳେ ୧୭ ଦିନ ପରେ ରୢାଟ୍ହୋଲ୍ ମାଇନରମାନେ ଅସମ୍ଭବ ମନେ ହେଉଥିବା କାର୍ଯ୍ୟକୁ ସମ୍ଭବ କଲେ ଏବଂ ମଙ୍ଗଳବାର ସନ୍ଧ୍ୟା ୭ଟା ୪୫ରେ ପ୍ରଥମ ଶ୍ରମିକ ବାହାରକୁ ଆସିଲେ ସେ ମୁହୂର୍ତ୍ତର ଆନନ୍ଦ କହିଲେ ନ ସରେ। ‘ଏହା ଆମ ପାଇଁ ଆଉ ଏକ ଦୀପାବଳି ପରି ଥିଲା’ ବୋଲି କହିଛନ୍ତି ଜଣେ ଶ୍ରମିକ ଗବ୍ବର ସିଂହ ନେଗୀଙ୍କ ଭାଇ ଜୟମଲ। ଏହା ପୂର୍ବର ସମସ୍ତ ବିଫଳତା ଓ କ୍ରିକେଟ୍ ପରାଜୟର ଦୁଃଖକୁ ଭୁଲାଇ ଦେଇଥିଲା।