ଲାହୋର: ୨୦୨୫ ଚାମ୍ପିୟନ୍ସ ଟ୍ରଫି ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଛି। ଏହା ପଛର କାରଣ ଥିଲା ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ, କିନ୍ତୁ ଏବେ ଏହି ଅଚଳାବସ୍ଥା ଶେଷ ହୋଇଛି। ହାଇବ୍ରିଡ୍ ମଡେଲ୍ ପାଇଁ ପିସିବି ରାଜି ହେବା ପରେ ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଯାଇଛି । ଆଜି ସଂଧ୍ୟାରେ ଏହାର ଘୋଷଣା ହେବାର ସମ୍ଭାବନା ରହିଛି ।
ସୂଚନାଯୋଗ୍ୟ ଯେ ୨୦୨୫ ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନ ଆୟୋଜନ କରୁଛି। କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆକୁ ପାକିସ୍ତାନ ପଠାଇବାକୁ ଭାରତ ସ୍ପଷ୍ଟ ମନା କରିଦେଇଥିଲା। ଏହା ପଛରେ ସୁରକ୍ଷା କାରଣ ଦର୍ଶାଯାଇଥିଲା। ସେବେଠାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଭାରତ ଏକ ହାଇବ୍ରିଡ୍ ମଡେଲ ପ୍ରସ୍ତାବ ଦେଇଥିଲା, ଯାହାକୁ ପାକିସ୍ତାନ କିଛି ସର୍ତ୍ତ ସହ ଗ୍ରହଣ କରିଥିଲା।
ବିସିସିଆଇ ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ ମଧ୍ୟରେ ବୁଝାମଣା ପରେ ନିଷ୍ପତ୍ତି ନିଆଯାଇଥିଲା ଯେ ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନ ଏବଂ ଦୁବାଇରେ ହାଇବ୍ରିଡ୍ ମଡେଲରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆର ମ୍ୟାଚ୍ ଦୁବାଇରେ ଖେଳାଯିବ। ଯଦି ଭାରତ ସେମିଫାଇନାଲ ଓ ଫାଇନାଲକୁ ଯାଏ ତେବେ ତାହା ଦୁବାଇରେ ଖେଳାଯିବ ଓ ଯଦି ଭାରତ ନ ଯାଏ ତେବେ ସେମିଫାଇନାଲ ଓ ଫାଇନାଲ ପାକିସ୍ତାନରେ ହେବ ।