ଆରମ୍ଭ ହେଲା ସଂସଦର ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ: ତିନି ଦଳର ସାଂସଦଙ୍କ ସଜବାଜ

ନୂଆଦିଲ୍ଲୀ : ସୋମବାରଠାରୁ ସଂସଦରେ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହା ଏପ୍ରିଲ ୬ ପର୍ଯ୍ୟନ୍ତ ଚାଲିବ। ଏହି ପର୍ଯ୍ୟାୟ ପାଇଁ ଓଡ଼ିଶାର କଂଗ୍ରେସ, ବିଜେଡି ଓ ବିଜେପି ସାଂସଦମାନେ ବିଭିନ୍ନ ପ୍ରସଙ୍ଗକୁ ଉପସ୍ଥାପନ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି।

ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ବିଭିନ୍ନ ମନ୍ତ୍ରାଳୟ ଏବଂ ବିଭାଗୀୟ ଅନୁଦାନ ସଂପର୍କିତ ଆଲୋଚନାରେ ତିନି ଦଳର ସାଂସଦମାନେ ଭାଗନେଇ ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି। ବିଜେଡି ମହିଳା ସଂରକ୍ଷଣ ବିଲକୁ ପାରିତ କରିବା, ଓଡ଼ିଶାର ୧୬୯ ଆଦିବାସୀମାନଙ୍କୁ ଜନଜାତି ମାନ୍ୟତା ଓ ରେଳ ଭିତ୍ତିଭୂମି ଭଳି ପ୍ରସଙ୍ଗକୁ ପ୍ରମୁଖତା ସହିତ ଉପସ୍ଥାପନ କରିବ ବୋଲି ରାଜ୍ୟସଭା ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ଆୟୁଷ୍ମାନ୍‌ ‌ଯୋଜନା ଖର୍ଚ୍ଚ ତୁଳନାରେ ବିଜୁ ସ୍ବାସ୍ଥ୍ୟ ‌ଯୋଜନାରେ ଅଧିକ ଖର୍ଚ୍ଚ ହେଉଥିବା ଆଲୋଚନା ପରିପେକ୍ଷୀରେ ସଦନକୁ ଅବଗତ କରାଯିବ ବୋଲି ମଧ୍ୟ ସେ କହିଛନ୍ତି। ବିଭାଗୀୟ ଅନୁଦାନ ସଂପର୍କିତ ଆଲୋଚନା ତଥା ବିଭିନ୍ନ ବିଲ୍‌ ବିତର୍କରେ କେଉଁ ସବୁ ସାଂସଦ ଭାଗନେବେ ସେ ସମ୍ପର୍କରେ ଆସନ୍ତାକାଲି ବିଜେଡି ଚୂଡ଼ାନ୍ତ କରିବ। ସଂସଦସ୍ଥିତ ବିଜେଡି କାର୍ଯ୍ୟାଳୟରେ ସାଂସଦମାନଙ୍କ ଆସନ୍ତାକାଲି ବୈଠକ ହେବ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ଏଥର ଓଡ଼ିଶାର ବିଜେପି ସାଂସଦମାନେ ଅଧିବେଶନରେ ଓଡ଼ିଶା ସରକାରଙ୍କୁ ଟାର୍ଗେଟ୍‌ କରିବା ପାଇଁ ସଜବାଜ ହେଉଛନ୍ତି। ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ସୂଚନ‌ା ହେଲା, ଓଡ଼ିଶାର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି, ପ୍ରଶାସନର ସଂପୂର୍ଣ୍ଣ ରାଜନୀତିକରଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମେତ ଏକାଧିକ ଯୋଜନାରେ ହେଉଥିବା ଦୁର୍ନୀତି ସଂପର୍କରେ ସଦନର ଦୃଷ୍ଟି ଆକର୍ଷଣ କରାଯିବ। ଶୂନ୍ୟକାଳ, ପ୍ରଶ୍ନକାଳ, ନିୟମ ୩୭୭ ଓ ବିତର୍କ ଆଲୋଚନା ସମୟରେ ବିଜେପି ସାଂସଦମାନେ ଏହି ସବୁ ପ୍ରସଙ୍ଗ ଉଠାଇବେ।

କଂଗ୍ରେସ ସାଂସଦ ସପ୍ତଗିରି ଉଲାକା କହିଛନ୍ତି, ବିରୋଧୀଦଳ ନେତାଙ୍କ ବିରୋଧରେ ସିବିଆଇ ଓ ଇଡି ଭଳି କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର କ୍ଷମତା ଅପବ୍ୟବହାର କରାଯିବା ପ୍ରସଙ୍ଗକୁ ଅଧିବେଶନରେ ଜୋର୍‌ସୋର୍‌ରେ ଉଠାଯିବ। ଓଡ଼ିଶାରେ ବିଗିଡ଼ିଥିବା ଆଇନଶୃଙ୍ଖଳା ପରିପେକ୍ଷୀରେ ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାର ତଦନ୍ତ ସିବିଆଇ କିମ୍ବା ସୁପ୍ରିମକୋର୍ଟ ବିଚାରପତିଙ୍କ ତତ୍ତ୍ବାବଧାନରେ ଏସ୍‌ଆଇଟି ଗଠନ କରି ନିରପେକ୍ଷ ତଦନ୍ତ ପାଇଁ ସଦନରେ ଦାବି କରାଯିବ। କୌଣସି ଗ୍ରାମସଭା ଓ ଜନଶୁଣାଣି ନକରି ଆଦାନି କଂପାନିକୁ ବାଲଦା ଓ କୁଟୁରୁମାଲା ବକ୍ସାଇଟ ଖଣି ଓ ବେଦାନ୍ତକୁ ସିଜିମାଲା ଖଣି ଆବଣ୍ଟନ ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି ପ୍ରସଙ୍ଗକୁ ସଦନରେ ଉଠାଯିବା ସହ ବିରୋଧ କରାଯିବ ବୋଲି ଶ୍ରୀ ଉଲାକା କହିଛନ୍ତି।

ସମ୍ବନ୍ଧିତ ଖବର