ନୂଆଦିଲ୍ଲୀ: ମାଳଦ୍ୱୀପରୁ ସମସ୍ତ ଭାରତୀୟ ସୈନ୍ୟଙ୍କୁ ପ୍ରତ୍ୟାହାର କରିବା ପାଇଁ ମାଲେର ଦାବି ଉପରେ ଭାରତ ଓ ମାଳଦ୍ୱୀପ ମଧ୍ୟରେ ଶୁକ୍ରବାର ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ଆରମ୍ଭ ହୋଇଛି। ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଜାନୁଆରି ୧୪ ତାରିଖରେ ମାଲେଠାରେ ଦୁଇ ଦେଶ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ କୋର ଗ୍ରୁପ୍‌ର ପ୍ରଥମ ବୈଠକରେ ମାର୍ଚ୍ଚ ୧୫ ସୁଦ୍ଧା ସାମରିକ କର୍ମଚାରୀଙ୍କୁ ପ୍ରତ୍ୟାହାର କରିବାକୁ ଭାରତକୁ କହିଥିଲେ। ସେହି ସମୟରେ ମାଳଦ୍ୱୀପ ଏକ ବିବୃତିରେ କହିଥିଲା ଯବାନଙ୍କ ପ୍ରତ୍ୟାହାରକୁ ତ୍ୱରାନ୍ୱିତ କରିବାକୁ ଉଭୟ ପକ୍ଷ ରାଜି ହୋଇଛନ୍ତି, କିନ୍ତୁ ଭାରତୀୟ ପକ୍ଷ କହିଥିଲା ଯେ ଏହି ପ୍ରସଙ୍ଗରେ ଅଧିକ ଆଲୋଚନା କରାଯିବ।

Advertisment

ନୂଆଦିଲ୍ଲୀସ୍ଥିତ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ବୁଧବାର ଅନୁଷ୍ଠିତ କୋର୍ ଗ୍ରୁପ୍ ବୈଠକ ସମ୍ପର୍କରେ କୌଣସି ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରିନାହିଁ। ଗତ ମାସରେ ଦୁବାଇରେ ଅନୁଷ୍ଠିତ ସିଓପି-୨୮ ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଇଜୁଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ଏହି କୋର୍ ଗ୍ରୁପ୍ ଗଠନ କରାଯାଇଥିଲା। ମୁଇଜୁ ନିଜ ଦେଶକୁ ଚୀନ୍‌ର ନିକଟତର କରିବା ଏବଂ ସ୍ୱାସ୍ଥ୍ୟସେବା ତଥା ଖାଦ୍ୟ ନିରାପତ୍ତା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଭାରତ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଅନେକ ପଦକ୍ଷେପ ନେବା ପରେ ଭାରତ-ମାଳଦ୍ୱୀପ ସମ୍ପର୍କରେ ଯଥେଷ୍ଟ ତିକ୍ତତା ଦେଖାଦେଇଛି। ମୁଇଜୁ ମାଳଦ୍ୱୀପରେ ଦୁଇଟି ହେଲିକପ୍ଟର ଏବଂ ଗୋଟିଏ ବିମାନ ଚଳାଇବାକୁ ନିୟୋଜିତ ୭୫ରୁ ଅଧିକ ସାମରିକ କର୍ମଚାରୀଙ୍କୁ ପ୍ରତ୍ୟାହାର କରିବାକୁ ନୂଆଦିଲ୍ଲୀକୁ ଆହ୍ୱାନ ଦେଇଛନ୍ତି। ପର୍ଯ୍ୟଟକଙ୍କ ସୁରକ୍ଷା ଏବଂ ଜରୁରିକାଳୀନ ଚିକିତ୍ସା ଲାଗି ସ୍ଥାନାନ୍ତର ପାଇଁ ଭାରତର ଉକ୍ତ ବିମାନ ସେବା ନିୟୋଜିତ ଥିଲା। ପରେ ମାଳଦ୍ୱୀପର ପବ୍ଲିକ ପଲିସି ସେକ୍ରେଟାରୀ ଅବଦୁଲ୍ଲା ନାଜିମ ସ୍ପଷ୍ଟ କରିଥିଲେ ଯେ ତାଙ୍କ ସରକାରଙ୍କ ଆଭିମୁଖ୍ୟ ହେଉଛି ବେସାମରିକ କର୍ମଚାରୀମାନେ ବିମାନ ଚଳାଚଳ ପାଇଁ ମାଳଦ୍ୱୀପରେ ରହିପାରିବେ କିନ୍ତୁ ସାମରିକ କର୍ମଚାରୀଙ୍କୁ ଯିବାକୁ ପଡିବ।