ନୂଆଦିଲ୍ଲୀ/ଭୁବନେଶ୍ବର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ୨୦ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ। ଏଥି ପାଇଁ ପ୍ରଚାର ମଇଦାନ ବେଶ୍ ସରଗରମ ହୋଇଛି। ପୂରା ଓଡ଼ିଶା ଏବେ ଉଠୁଛି ପଡ଼ୁଛି। ତିନି ପ୍ରମୁଖ ଦଳ ସେମାନଙ୍କ ପ୍ରଚାରକୁ ଜୋର୍ଦାର କରିଛନ୍ତି। ବିଜେପି ପାଇଁ ମୋଦୀ, ଶାହଙ୍କ ସମେତ ହେଭିୱେଟ୍ମାନେ ଘନ ଘନ ଓଡ଼ିଶା ଗସ୍ତ କରୁଥିଲା ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସବୁ ସଂସଦୀୟ କ୍ଷେତ୍ରରେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଚଳାଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଓଡ଼ିଶା ଆସି ନେତା ଓ କର୍ମୀଙ୍କୁ ବଳ ଦେଉଛନ୍ତି।
୧୫ ତାରିଖରେ ହାଇଭୋଲ୍ଟେଜ୍ ପ୍ରଚାର ଦେଖିବାକୁ ମିଳିବ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କାଲି ସୋରଡ଼ାରେ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ଉଦ୍ବୋଧନ ଦେବେ। ତା’ ସହ କଟକରେ ବିଶାଳ ରୋଡ୍ ସୋ’ରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ। ଶାହ ୧୯ ତାରିଖରେ ପୁଣି ସମ୍ବଲପୁର ଆସିବାର କାର୍ଯ୍ୟକ୍ରମ ରହିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ମଧ୍ୟ ବୁଧବାର ଦିନ ଭୁବନେଶ୍ବରରେ ପହଞ୍ଚି ଦଳୀୟ କର୍ମଶାଳାରେ ଯୋଗ ଦେବେ। ସେ ୧୬ ତାରିଖରେ ବରଗଡ଼ ଜିଲ୍ଲା ପଦ୍ମପୁର ଓ ସୁନ୍ଦରଗଡ଼ରେ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ। ସେହିପରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ଦିନ ଅନୁଗୁଳ ଗସ୍ତ କରିବେ। ସେଠାରେ ସେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାରାଥନ୍ ପ୍ରଚାର କରିବେ। ନବୀନ ପୁଣି ୧୭ ତାରିଖରେ ସମ୍ବଲପୁର ଯିବେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦ୍ବିତୀୟ ଥର ପାଇଁ ନିର୍ବାଚନ ପ୍ରଚାରରେ ବୁଧବାର ଓଡ଼ିଶା ଆସିବେ। ସେ ବଲାଙ୍ଗୀରରେ ହେବାକୁ ଥିବା ଜନସଭାକୁ ଉଦ୍ବୋଧନ ଦେବେ। ଗୋଟିଏ ଦିନରେ ତିନି ଦଳର ହେଭିୱେଟ୍ମାନଙ୍କର ପ୍ରଚାରକୁ ନେଇ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇଛି। ଏହି ନେତାମାନେ ପରସ୍ପରକୁ କିପରି ଆକ୍ରମଣ କରିବେ ଓ ନିଜ ଦଳ ପାଇଁ କ’ଣ କହି ଭୋଟ୍ ମାଗିବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ବିଜେପି ଟାର୍ଗେଟ୍ରେ ଓଡ଼ିଶା, ଆଜି ଆସୁଛନ୍ତି ଶାହ ଓ ନଡ୍ଡା
ଧର୍ମେନ୍ଦ୍ରଙ୍କ ଅନୁଗୁଳ ଗଡ଼ରେ ପ୍ରଚାର କରିବେ ନବୀନ
ଆଜି ବଲାଙ୍ଗୀରରେ ପ୍ରଚାର କରିବେ ରାହୁଲ ଗାନ୍ଧୀ
ଚଳିତ ସାଧାରଣ ନିର୍ବାଚନ ପରିପେକ୍ଷୀରେ ବିଜେପିର କେନ୍ଦ୍ରୀୟ ଶୀର୍ଷ ନେତୃତ୍ବ ଓଡ଼ିଶାକୁ ଫୋକସ୍ରେ ରଖିଥିବା ସୂଚନା ମିଳିଛି। ଦେଶରେ ଲୋକସଭାର ଚାରିଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ସେଥିରୁ ମୁକ୍ତ ହୋଇଥିବା ନେତାମାନଙ୍କୁ ଓଡ଼ିଶାର ବଳକା ଥିବା ତିନିଟି ପର୍ଯ୍ୟାୟ ନିର୍ବାଚନ ପ୍ରଚାର କାର୍ଯ୍ୟରେ ନିୟୋଜିତ କରିବା ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି। ନିର୍ବାଚନ ହେବାକୁ ଥିବା ପ୍ରତ୍ୟେକ ଆସନ ପାଇଁ ୧୦ଜଣ ନେତାଙ୍କୁ ନିର୍ବାଚନ ପ୍ରଚାର ପରିଚାଳନାର ସ୍ବତନ୍ତ୍ର ଦାୟିତ୍ବ ଦିଆଯାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ଓଡ଼ିଶା ଗସ୍ତ ପୂର୍ବରୁ ଗତକାଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶାହ ଏନ୍ଡିଟିଭିକୁ ସାକ୍ଷାତକାରରେ ଓଡ଼ିଶା ସଂପର୍କରେ ଏକ ଗୁରୁତ୍ବପୂର୍ଣ୍ଣ ବୟାନ ଦେଇଥିଲେ। ସେ କହିଥିଲେ ଯେ ଓଡ଼ିଶାରେ ବିଜେପି ୧୭ଟି ଲୋକସଭା ଆସନରେ ଜିତିବ ଓ ବିଧାନସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଢ଼ିବ। ଖରାପ ଶାସନ ଯୋଗୁ ଓଡ଼ିଶାବାସୀ ହଇରାଣ ହେଉଛନ୍ତି। ତେଣୁ ଏଥର ପରିବର୍ତ୍ତନ ଆଣିବାକୁ ପଡ଼ିବ ବୋଲି ଓଡ଼ିଶାବାସୀ ମନ ସ୍ଥିର କରିଛନ୍ତି। ଓଡ଼ିଶାରେ ବିଜେପିର ପ୍ରଦର୍ଶନ ବହୁତ ଭଲ ରହିବ। ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ବିଜେପିରୁ ହେବେ ବୋଲି ସେ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/sfhfsfhssfhsfh.jpg)