ମଡର୍ନାର ଦ୍ବିତୀୟ ପର୍ଯ୍ୟାୟ କୋଭିଡ୍ ଟିକା ପରୀକ୍ଷଣ

ନ୍ୟୁୟର୍କ: ମାସାଚ୍ୟୁସେଟ୍‌ସ୍‌ ସ୍ଥିତ ଜୈବପ୍ରଯୁକ୍ତି କମ୍ପାନି ମଡର୍ନା ଦ୍ବାରା ବିକଶିତ ଏକ କୋଭିଡ୍-୧୯ ଟିକାର ଦ୍ବିତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୪୫ ଜଣ ସ୍ବେଚ୍ଛାସେବୀଙ୍କ ଠାରେ ପ୍ରୟୋଗ କରାଯାଇଥିବା ‘ଏମ୍ଆର୍‌ଏନ୍ଏ-୧୨୭୩’ ନାମକ ଏହି ଟିକାର ଆଶାନୁରୂପ ଫଳାଫଳ ପରେ ଏବେ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣରେ ୬୦୦ ଜଣ ସ୍ବେଚ୍ଛାସେବୀଙ୍କୁ ବିକ୍ଷିପ୍ତ ଭାବେ ସାମିଲ କରାଯିବାର ଲକ୍ଷ୍ୟ ରହିଛି। ସେହିପରି ଆସନ୍ତା ଜୁଲାଇରେ ଏହାର ଚୂଡା଼ନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ କରାଯିବ। କୌଣସି ଟିକାର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ସବୁଠୁ ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ଏହା ମନୁଷ୍ୟ ଶରୀରରେ ସଂପୃକ୍ତ ରୋଗ ଭୂତାଣୁ ବିରୋଧରେ କେତେ ଫଳପ୍ରଦ ଏବଂ ଏହାର ବହୁଳ ବ୍ୟବହାର କେତେ ନିରାପଦ, ତାହା ଜଣାପଡ଼ିବ। ଏଥି ସହିତ ଭବିଷ୍ୟତରେ ଏହାର ସାର୍ବଜନୀନ ବ୍ୟବହାର ପାଇଁ ମଧ୍ୟ ଏଥିରୁ କିଛି ନିଷ୍କର୍ଷ ମିଳିବ।

ସାମଗ୍ରିକ ଭାବେ ଐତିହାସିକ ତଥ୍ୟ ଅନୁଯାୟୀ, ସାଧାରଣତଃ ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ ଉତ୍ତୀର୍ଣ୍ଣ ହୋଇଥିବା ଟିକାର ସଫଳତା ହାର ଦ୍ବିତୀୟ ପର୍ଯ୍ୟାୟ ପାଇଁ ୬୩ ପ୍ରତିଶତ ରହିଆସିଛିା ତେବେ ଏମ୍ଆର୍ଏନ୍ଏ–୧୨୭୩ର ଏହି ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟରେ ସବୁ କିଛି ଠିକ୍ଠାକ ରହିଲେ ଜୁଲାଇରେ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବା ସହ ଆଗାମୀ ଅଗଷ୍ଟ ଶେଷ ବେଳକୁ ଫଳାଫଳ ମିଳିଯିବ ବୋଲି କମ୍ପାନି ଆଶାବାଦୀ ରହିଛିା

ସମ୍ବନ୍ଧିତ ଖବର