ନୂଆଦିଲ୍ଲୀ/ ଭୁବନେଶ୍ୱର : ୧୯୯୯ ପରେ ବଙ୍ଗୋପସାଗରରେ ସୃଷ୍ଟିହୋଇଛି ଦ୍ୱିତୀୟ ସାମୁଦ୍ରିକ ମହାବାତ୍ୟା ‘ଅମ୍ଫାନ୍‌’। ଏବେ ସମୁଦ୍ର ମଧ୍ୟରେ ଥାଇ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଥିବା ଏହି ମହାବାତ୍ୟା ଅମ୍ଫାନ ଆସନ୍ତା ୨୦ ତାରିଖ ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହତିଆ ଉପକୂଳ ଦେଇ ସ୍ଥଳଭାଗକୁ ଅତିକ୍ରମ କରିବ। ଅମ୍ଫାନ୍‌ ଓଡ଼ିଶା ଉପକୂଳ ଦେଇ ଏକ ସମାନ୍ତରାଳ ରେଖାରେ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହତିଆ ଉପକୂଳ ଆଡ଼କୁ ଅଗ୍ରସର ହେବାର ସମସ୍ତ ସମ୍ଭାବନା ରହିଥିଲେ ମଧ୍ୟ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବ‌ାର କରିବାର ଆଦୌ କୌଣସି ପ୍ରକାରର ସମ୍ଭାବନା ନାହିଁ ବୋଲି ବୋଲି ଆଜି ସନ୍ଧ୍ୟାରେ ସ୍ପଷ୍ଟ କରି ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।

Advertisment

ଆଜି ଫେସ୍‌ବୁକ ଲାଇଭ୍‌ରେ ଆସି ଦର୍ଶକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିବା ଅବସରରେ ଏହି ସୂଚନା ଦେଇଛନ୍ତି ଶ୍ରୀ ମହାପାତ୍ର। ଏଥିସହ ଶ୍ରୀ ମହାପାତ୍ର କହିଛନ୍ତି ଯେ ଅମ୍ଫାନ୍‌ର ଗତିପଥ ଓଡ଼ିଶା ଉପକୂଳ ଦେଇ ଏକ ସମାନ୍ତରାଳ ରେଖାରେ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହତିଆ ଉପକୂଳ ଆଡ଼କୁ ଅଗ୍ରସର ହେଉଥିବା ଦୃଷ୍ଟିରୁ  ରାଜ୍ୟର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ପ୍ରମୁଖ ୪ ଜିଲ୍ଲା ପ୍ରଭାବିତ ହେବ। ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଏହି ସବୁ ଜିଲ୍ଲାରେ ଘଣ୍ଟାପ୍ରତି ୧୬୫ରୁ ୧୭୫ କିଲୋମିଟର ବେଗରେ ପବନ ବହିବା ସହ ୧୯୫ କିଲୋମିଟର ବେଗରେ ମଧ୍ୟ ପବନ ଝଟକା ଦେଇପାରେ। ଓଡ଼ିଶା ଉପକୂଳ ଅତିକ୍ରମ କରିବା ପରେ ଅମ୍ଫାନ ସୁନ୍ଦରବନ ଉପର ଦେଇ ଗତି କରିବ ଫଳରେ ସୁନ୍ଦରବନର ଜୈବ ବିବିଧତା ମଧ୍ୟ ପ୍ରଭାବିତ ହେବ ବୋଲି ମଧ୍ୟ କହିଛନ୍ତି ଶ୍ରୀ ମହାପାତ୍ର।