ନୂଆଦିଲ୍ଲୀ: ମହାମାରୀ କୋଭିଡ୍-୧୯ ଦ୍ବିତୀୟ ଲହର ସଂକ୍ରମଣର ଉପଦ୍ରବରୁ ତ୍ରାହି ପାଇବା ପାଇଁ ଦେଶବାସୀ ଲଢ଼େଇ ଜାରି ରଖିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ରହଣୀୟତା କମିଥିବା ଏକ ସର୍ବେକ୍ଷଣରୁ ଜଣାଯାଇଛି। ଚଳିତ ସପ୍ତାହରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ଅଢ଼େଇ କୋଟିକୁ ଟପିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାରେ ମୋଦୀଙ୍କ ବିଫଳତା ଓ କ୍ଷୟ ପ୍ରାୟ ସମର୍ଥନ ଯୋଗୁଁ ତାଙ୍କ ଲୋକପ୍ରିୟତା ଏପରି ସର୍ବକାଳୀନ ନିମ୍ନକୁ ଖସି ଆସିଛି ବୋଲି ଆମେରିକାର ତଥ୍ୟ ଅନ୍ବେଷଣ କମ୍ପାନି ମର୍ଣ୍ଣିଂ କନ୍ସଲ୍ଟ ପକ୍ଷରୁ କୁହାଯାଇଛି। ସୂଚନା ଥାଉ କି, ୨୦୧୪ରେ ଦେଶର ଶାସନ କ୍ଷମତା ଦଖଲ କରିଥିବା ମୋଦୀ ଜଣେ ଶକ୍ତିଶାଳୀ ଜାତୀୟ ନେତା ଭାବେ ନିଜର ଭାବମୂର୍ତ୍ତି ଅକ୍ଷୁଣ୍ଣ ରଖିବା ସହ ୨୦୧୯ରେ ବିଗତ ତିନି ଦଶନ୍ଧିର ସର୍ବାଧିକ ସଂଖ୍ୟା ଗରିଷ୍ଠତା ସହ ପ୍ରଧାନମନ୍ତ୍ରିତ୍ବ ବଜାୟ ରଖିଥିଲେ। ମାତ୍ର ଦେଶରେ ମହାମାରୀ କୋଭିଡ୍ର ସମୟୋଚିତ ପରିଚାଳନାରେ ତ୍ରୁଟି ଯୋଗୁଁ ମୋଦୀଙ୍କୁ ଏପରି ଗ୍ରହଣୀୟତା ହରାଇବାକୁ ପଡ଼ିଛି ବୋଲି ଜଣାଯାଇଛି।
୨୦୧୯ ଅଗଷ୍ଟ ମାସରୁ ମୋଦୀଙ୍କ ଲୋକପ୍ରିୟତା ଉପରେ ନିଘା ରଖୁଥିବା ମର୍ଣ୍ଣିଂ କନ୍ସଲ୍ଟ ଚଳିତ ସପ୍ତାହରେ ତାହା ସର୍ବନିମ୍ନ ୬୩ ପ୍ରତିଶତକୁ ଖସି ଆସିଛି ବୋଲି ଜାଣିବାକୁ ପାଇଛି। କେବଳ ଗତ ଏପ୍ରିଲ ମାସରେ ହିଁ ସେଥିରେ ସର୍ବାଧିକ ୨୨ ପଏଣ୍ଟ୍ ହ୍ରାସ ଘଟିଥିବା କୁହାଯାଇଛି। ଦିଲ୍ଲୀ ଓ ମୁମ୍ବାଇ ପରି ନଗରାଞ୍ଚଳରେ ଡାକ୍ତରଖାନାରେ ରୋଗୀଶଯ୍ୟା ନ ମିଳିବା ଏବଂ ଅମ୍ଳଜାନ ଅଭାବରୁ କୋଭିଡ୍ ପୀଡ଼ିତମାନେ ମୃତ୍ୟୁମୁଖରେ ପଡ଼ିବା ଆଦି ଘଟଣା ତାଙ୍କ ଲୋକପ୍ରିୟତାକୁ ନକାରାତ୍ମକ ଭାବେ ପ୍ରଭାବିତ କରିଥିବା ସ୍ପଷ୍ଟ ହୋଇଛି। ସରକାରୀ ସହଯୋଗ ଅଭାବରୁ ଶବଗୃହ ଓ ଶବଦାହ କେନ୍ଦ୍ରମାନଙ୍କରେ ଶହ ଶହ ଶବ ଗଦା ହେବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଛାଇଯାଇଥିଲା। ସ୍ଥିତି ସୁଧୁରିବାକୁ ଅନେକ ଦିନ ଲାଗିଯିବ ବୋଲି ଅନୁମାନ କରାଯାଉଛି। ଆଗାମୀ ୨୦୨୪ ଯାଏ ମୋଦୀଙ୍କୁ ନିର୍ବାଚନର ସମ୍ମୁଖୀନ ହେବାକୁ ପଡ଼ିବନି, ତେବେ ତାଙ୍କ ନେତୃତ୍ବକୁ ଚ୍ୟାଲେଞ୍ଜ୍ କରିବା ଲାଗି ବିରୋଧୀଦଳମାନେ ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ନେଇଥିବା ମଧ୍ୟ ନଜିର ନାହିଁ ବୋଲି ଏହି ରିପୋର୍ଟରେ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/pm-modi-3.jpg)