ପୁରୀ ଆସିବେ ଦିଲ୍ଲୀର ବ‌ୟୋଜ୍ୟେଷ୍ଠ ନାଗରିକ

ଦିଲ୍ଲୀ ସରକାରଙ୍କ ନିଃଶୁଳ୍କ ତୀର୍ଥଯାତ୍ରା ଯୋଜନା, ଜୁଲାଇ ୧୧ ଓ ୨୮ରେ ଆସିବ ଦୁଇଟି ଟ୍ରେନ୍‌

ନୂଆଦିଲ୍ଲୀ : ନିଃଶୁଳ୍କ ତୀର୍ଥଯାତ୍ରା ‌ଯୋଜନାରେ ଦିଲ୍ଲୀର ବୟୋଜ୍ୟେଷ୍ଠ ନାଗରିକ ପୁରୀ ଆସିବେ। ଚଳିତ ମାସ ୧୧ ଓ ୨୮ ତାରିଖରେ ଦୁଇଟି ଟ୍ରେନ ପୁରୀ ଆସିବ। ଦିଲ୍ଲୀ ସରକାରଙ୍କର ତୀର୍ଥଯାତ୍ରା ବିକାଶ କମିଟିର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଦୁଇ ବର୍ଷ ଧରି ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କରୋନା କଟକଣା ଯୋଗୁ ପ୍ରଭାବିତ ହୋଇଥିଲା। ଯୋଜନା ସତ୍ତ୍ବେ ଦିଲ୍ଲୀର ବ‌ୟୋଜ୍ୟେଷ୍ଠ ନାଗରିକମାନେ ପୁରୀ ଯାତ୍ରା କରିପାରିନଥିଲେ। ଚଳିତ ବର୍ଷ ରଥଯାତ୍ରା ସ୍ବାଭାବିକ ଭାବେ ଚାଲିଛି।

ଏହି ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବହୁତ ଲୋକପ୍ରିୟ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନିର୍ଦ୍ଦେଶ ଅନୁସାରେ ବୟୋଜ୍ୟେଷ୍ଠ ନାଗରିକମାନଙ୍କୁ ନିଃଶୁଳ୍କ ତୀର୍ଥଯାତ୍ରାର ସୁବିଧା ପ୍ରଦାନ କରାଯାଉଛି। ବର୍ତ୍ତମାନ ସେମାନଙ୍କୁ ଏୗତିହାସିକ ଯାତ୍ରାର ଅବସର ପ୍ରଦାନ କରାଯିବ। ଦିଲ୍ଲୀ ସରକାରଙ୍କ ଦ୍ବାରା ମୁଖ୍ୟମନ୍ତ୍ରୀ ନିଃଶୁଳ୍କ ତୀର୍ଥଯାତ୍ରା ଯୋଜନା ୨୦୧୯ରେ ଆରମ୍ଭ ହୋଇଥିଲା। ‌କରୋନା ଯୋଗୁ ଏହାକୁ ବାତିଲ କରିଦିଆଯାଇଥିଲା। ଚଳିତ ବର୍ଷ ଫେବ୍ରୁଆରି ୧୪ରେ ଦିଲ୍ଲୀ ସରକାର ବୟୋଜ୍ୟେଷ୍ଠ ନାଗରିକମାନଙ୍କୁ ଦ୍ବାରକା-ସୋମନାଥ ତୀର୍ଥଯାତ୍ରା ପାଇଁ ପଠାଇବା ପରେ ୧୧ ଓ ୨୮ ଜୁଲାଇରେ ପୁରୀ ଯାତ୍ରା ପାଇଁ ଦିଲ୍ଲୀରୁ ଟ୍ରେନ ଗଡ଼ିବ। ୬୦ ବର୍ଷରୁ ଉର୍ଦ୍ଧ୍ବ ଦିଲ୍ଲୀର ଯେ କୌଣସି ବୟୋଜ୍ୟେଷ୍ଠ ନାଗରିକ ସେହି ଅଞ୍ଚଳର ବିଧାୟକଙ୍କ ଠାରୁ ତାଙ୍କର ଆବାସିକ ସାର୍ଟିଫିକେଟ ହାସଲ କରି ନିଃଶୁଳ୍କ ତୀର୍ଥଯାତ୍ରା ପାଇଁ ଅନଲାଇନରେ ଆବେଦନ କରିପାରିବେ ବୋଲି ଏହି ଅଧିକାରୀ ଜଣକ କହିଛନ୍ତି।

ସମ୍ବନ୍ଧିତ ଖବର