ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି। ୪ ଜଣ ବରିଷ୍ଠ ମନ୍ତ୍ରୀ ସେମାନଙ୍କ ବିଭାଗ ବଜାୟ ରଖିଥିବା ବେଳେ ଅନ୍ୟମାନଙ୍କ ବିଭାଗରେ ଅଦଳବଦଳ କରିଛନ୍ତି। ସହଯୋଗୀ ଦଳର ମନ୍ତ୍ରୀମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ବିଭାଗ ବଣ୍ଟନରେ ଖୁସି କରିବାକୁ ଉଦ୍ୟମ କରିଛନ୍ତି।

Advertisment

ମନ୍ତ୍ରିମଣ୍ଡଳରେ ଦୁଇ ନମ୍ବରରେ ଥିବା ରାଜନାଥ ସିଂହ ପ୍ରତିରକ୍ଷା ବିଭାଗ ବଜାୟ ରଖିଥିବା ବେଳେ ଅମିତ ଶାହ ସ୍ବରାଷ୍ଟ୍ର, ନିର୍ମଳା ସୀତାରମଣ ଅର୍ଥ ଏବଂ ଜୟଶଙ୍କର ‌ବୈଦେଶିକ ବିଭାଗ ବଜାୟ ରଖିଛନ୍ତି। ମୋଦୀଙ୍କ ଦ୍ବିତୀୟ ପାଳି ମନ୍ତ୍ରିମଣ୍ଡଳରେ ମଧ୍ୟ ସଂପୃକ୍ତ ମନ୍ତ୍ରୀମାନଙ୍କ ହାତରେ ଏହି ବିଭାଗ ରହିଥିଲା। ଅନ୍ୟତମ ବରିଷ୍ଠ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ହାତରେ ସଡ଼କ ପରିବହନ ଓ ରାଜପଥ ବିଭାଗ ରହିଛି। ଗତ ୧୦ ବର୍ଷ ହେଲା ୬୭ ବର୍ଷୀୟ ଗଡ଼କରୀ ଏହି ବିଭାଗ ଦାୟିତ୍ବରେ ଅଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ନିଜ ହାତରେ କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ବିଭାଗ ସହିତ ଆଣବିକ ଶକ୍ତି ଓ ମହାକାଶ ବିଭାଗ ରଖିଛନ୍ତି।

ରାଜନାଥଙ୍କୁ ପ୍ରତିରକ୍ଷା, ଶାହଙ୍କୁ ଗୃହ, ନିର୍ମଳାଙ୍କୁ ଅର୍ଥ, ଜୟଶଙ୍କରଙ୍କୁ ବୈଦେଶିକ ବିଭାଗ
ସଡ଼କ ପରିବହନ ଦାୟିତ୍ବରେ ରହିଲେ ଗଡ଼କରୀ
ନଡ୍ଡାଙ୍କୁ ସ୍ବାସ୍ଥ୍ୟ, ଶିବରାଜଙ୍କୁ କୃଷି
ହରଦୀପ ସିଂହ ପୁରୀଙ୍କୁ ପେଟ୍ରୋଲିୟମ୍‌
ରାମ ମୋହନଙ୍କୁ ବେସାମରିକ ବିମାନଚଳାଚଳ

ବିଜେପି ସଭାପତି ଜେପି ନଡ୍ଡାଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମିଳିଥିବା ବେଳେ ଶିବରାଜ ସିଂହ ଚୌହାନଙ୍କୁ କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମିଳିଛି। ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ବିଭାଗ ମିଳିଥିବା ବେଳେ ସର୍ବାନନ୍ଦ ସୋନୋୱାଲଙ୍କୁ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ବିଭାଗ ଦିଆଯାଇଛି। ହରଦୀପ ସିଂହ ପୁରୀ ପୂର୍ବଭଳି ପେଟ୍ରୋଲିୟମ ବିଭାଗ ଦାୟିତ୍ବରେ ରହିବେ। ବୀରେନ୍ଦ୍ର କୁମାରଙ୍କୁ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ବିଭାଗ ଦିଆଯାଇଛି। ଜୁଏଲ ଓରାମଙ୍କୁ ପୁଣି ଆଦିବାସୀ ବ୍ୟାପାର ବିଭାଗ ଦିଆଯାଇଥିବା ବେଳେ ପ୍ରହ୍ଲାଦ ଯୋଶୀଙ୍କୁ ଖାଉଟି ବ୍ୟାପାର ଖାଦ୍ୟ ଏବଂ ସାଧାରଣ ବଣ୍ଟନ, ନବୀନ ଓ ଅକ୍ଷୟ ଶକ୍ତି ବିଭାଗ ମିଳିଛି। ଅଶ୍ବିନୀ ବୈଷ୍ଣବଙ୍କୁ ରେଳ, ସୂଚନା ଓ ପ୍ରସାରଣ ବିଭାଗ ସମେତ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ମିଳିଛି। ଗିରିରାଜ ସିଂହଙ୍କୁ ବୟନଶିଳ୍ପ, ଏଚ୍‌ଡି କୁମାରସ୍ବାମୀଙ୍କୁ ଇସ୍ପାତ ଓ ଭାରୀ ଶିଳ୍ପ, ମନୋହରଲାଲ ଖଟ୍ଟରଙ୍କୁ ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବିକାଶ ସହିତ ଶକ୍ତି ମନ୍ତ୍ରାଳୟ ଦିଆଯାଇଛି। ଜେଡିୟୁର ଲଲ୍ଲନ ସିଂହଙ୍କୁ ପଞ୍ଚାୟତିରାଜ, ମତ୍ସ୍ୟ, ପ୍ରାଣୀ ସଂପଦ ଏବଂ ଦୁଗ୍ଧ ମନ୍ତ୍ରାଳୟ ମିଳିଛି। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଯୋଗାଯୋଗ ଏବଂ ଉତ୍ତର ପୂର୍ବାଞ୍ଚଳ ବିକାଶ ବିଭାଗର ଦାୟିତ୍ବ ଦିଆଯାଇଛି। ଭୂପେନ୍ଦ୍ର ଯାଦବ ପୂର୍ବପରି ପରିବେଶ ଏବଂ ଜଙ୍ଗଲ ମନ୍ତ୍ରୀ ରହିଛନ୍ତି। ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଦିଆଯାଇଥିବା ବେଳେ ଅନ୍ନପୂର୍ଣ୍ଣା ଦେବୀଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରଦାନ କରାଯାଇଛି।

ମୋଦୀ ମନ୍ତ୍ରିମଣ୍ଡଳର ସବୁଠାରୁ କନିଷ୍ଠ ମନ୍ତ୍ରୀ ଟିଡିପିର ରାମ ମୋହନ ନାଇଡୁଙ୍କୁ ବେସାମାରିକ ବିମାନ ଚଳାଚଳ ବିଭାଗ ଦିଆଯାଇଛି। ଏହି ବିଭାଗ ଜ୍ୟୋତିରାଦିତ୍ୟଙ୍କ ହାତରେ ଥିଲା। ସେହିଭଳି ମନ୍ତ୍ରିମଣ୍ଡଳରେ‌ ସବୁଠାରୁ ବୟସ୍କ ମନ୍ତ୍ରୀ ଜିତନରାମ ମାଝୀଙ୍କୁ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଦିଆଯାଇଛି। ଚିରାଗ ପାଶ୍ବାନଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ବିଭାଗ ମିଳିଛି। କିରଣ ରିଜିଜୁଙ୍କୁ ସଂସଦୀୟ ବ୍ୟାପାର ବିଭାଗ ଦାୟିତ୍ବ ଦିଆଯାଇଥିବା ବେଳେ ସିଆର ପାଟିଲଙ୍କୁ ଜଳ ଶକ୍ତି ବିଭାଗ ମିଳିଛି। ମନସୁଖ୍ ମାଣ୍ଡେଭିୟାଙ୍କୁ ଶ୍ରମ ଓ ନିୟୋଜନ ବିଭାଗ ସହିତ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଦିଆଯାଇଛି।ରାଷ୍ଟ୍ରମନ୍ତ୍ରୀମାନଙ୍କ ମଧ୍ୟରୁ ଡ. ଜୀତେନ୍ଦ୍ର ସିଂହଙ୍କୁ ସବୁଠାରୁ ଅଧିକ ବିଭାଗ ମିଳିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ‌ସେ ରାଷ୍ଟ୍ରମନ୍ତ୍ରୀ ସହିତ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ତଥା ଭୂବିଜ୍ଞାନ ବିଭାଗର ସ୍ବାଧୀନ ଦାୟିତ୍ବ ତୁଲାଇବେ। ଅର୍ଜୁନ ରାମ ମେଘାୱଲଙ୍କୁ ଆଇନ ବିଭାଗର ସ୍ବାଧୀନ ଦାୟିତ୍ବ ଦିଆଯାଇଛି। ଏହାସହିତ ସଂସଦୀୟ ବ୍ୟ‌ାପାର ବିଭାଗରେ ‌ସେ ରାଷ୍ଟ୍ର ମନ୍ତ୍ରୀ ଭାବେ କାମ କରିବେ।